www.samajalive.in
Saturday, December 6, 2025
15.1 C
Bhubaneswar

ଉତ୍ତରାୟଣୀ ସମବାୟ ଶୀତଳଭଣ୍ଡାର ଅଢେଇ ବର୍ଷ ଧରି ଅଚଳ

ପିପିଲି:ପୁରୀ ଜିଲା ସାତଶଙ୍ଖ ସ୍ଥିତ ମା’ ଉତ୍ତରାୟଣୀ ସମବାୟ ଶୀତଳ ଭଣ୍ଡାର ଗତ ଅଢେଇ ବର୍ଷ ଧରି ଅଚଳ ହୋଇପଡିଥିବା ବେଳେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ସରକାର ତଥା ବିଭାଗୀୟ ଉଦାସିନତା ଯୋଗୁଁ ଅଦ୍ୟାବଧି ଏହାର ମରାମତି କରାଯାଇ ପାରିନାହିଁ। ଫଳରେ ଏହା ଉପରେ ନିର୍ଭର କରୁଥିବା ଜିଲାର ୧୦ଟି ବ୍ଲକର ଆଳୁଚାଷୀମାନେ ଏବେ ଚିନ୍ତାରେ ଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ଶୀତଳଭଣ୍ଡାର ପରିସର ଏବେ ବଣବୁଦାରେ ପରିପୂର୍ଣ୍ଣ ହୋଇ ବିଷାକ୍ତ ସର୍ପଙ୍କ ବାସସ୍ଥାନ ପାଲଟିଥିବା ଅଭିଯୋଗ ହୋଇଛି। ପୁରୀ ଜିଲାରେ ଆଳୁଚାଷର ପ୍ରୋତ୍ସାହନ ଓ ପ୍ରସାର ପାଇଁ ସାତଶଙ୍ଖ ଠାରେ ମା’ ଉତ୍ତରାୟଣୀ ସମବାୟ ଶୀତଳଭଣ୍ଡାର ସମବାୟ ଭିତ୍ତିରେ ନିର୍ମାଣ କରାଯାଇଥିଲା। ଏଥିରେ ଚାଷୀଙ୍କର ଆର୍ଥିକ ଭାଗିଦାରି ଥିଲା। ଜିଲାର ୧୦ଟି ବ୍ଳକର ୩୨ଶହରୁ ଉର୍ଦ୍ଧ ଚାଷୀ ଏହି ଶୀତଳଭଣ୍ଡାରରେ ସଭ୍ୟ ଥିବା ସୂଚନା ମିଳିଛି। ପୁରୀ ଜିଲାର ଆଳୁଚାଷୀଙ୍କ ପାଇଁ ଏକମାତ୍ର ଭରସା ପାଲଟିଥିବା ଏହି ଶୀତଳଭଣ୍ଡାର ଗତ ୨୦୧୯ ଫଣି’ ମହାବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଆଳୁ ଶୁଖାଇବା ଓ ଅଖାରେ ପ୍ୟାକିଂ କରିବା ପାଇଁ ଉଦ୍ଦିଷ୍ଟ ଡ୍ରାଇଂ ସ୍ପେସ ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ କାର୍ଯ୍ୟାଳୟ ଗୃହ ମଧ୍ୟ ଭାଙ୍ଗି ଯାଇଥିଲା। ଶୀତଳଭଣ୍ଡାରର ଜରୁରୀ କାଳୀନ ଦ୍ୱାର (ଏମର୍ଜେନ୍ସି ଡୋର)ର ଚାମ୍ବରଟି ବାତ୍ୟାରେ ସଂପୂର୍ଣ୍ଣ ଭାଙ୍ଗି ଉଡିଯାଇଥିଲା। ଫଳରେ ସେହି ସମୟରେ ସେଠାରେ ଗଚ୍ଛିତ ଥିବା ୫ହଜାରରୁ ଉର୍ଦ୍ଧ ଆଳୁ ପ୍ୟାକେଟ୍‍ ନଷ୍ଟ ହୋଇଯାଇଥିଲା। ସେହିଦିନ ଠାରୁ ଏହି ଶୀତଳଭଣ୍ଡାର ସଂପୂର୍ଣ୍ଣ ଅଚଳ ହୋଇ ପଡିରହିଛି ।

 

- Advertisement -

୪୦ହଜାର ଆଳୁ ପ୍ୟାକେଟ୍‍ ରହିବାର କ୍ଷମତା ଥିବା ଏହି ଶୀତଳଭଣ୍ଡାର ଉପରେ ଏବେ କୋଟିଏରୁ ଉର୍ଦ୍ଧ ଟଙ୍କାର ବିଦ୍ୟୁତ୍‍ ବିଲ୍‍ ବାକି ପଡିଛି । ଶୀତଳଭଣ୍ଡାରରେ ଥିବା ୧୨୦ କେଭି କ୍ଷମତା ସଂପନ୍ନ ଜେନେରେଟର, ସମସ୍ତ ଯନ୍ତ୍ରାଂଶ, ଚାମ୍ବର ସମେତ ମୋଟର ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଯନ୍ତ୍ରାଂଶ ସଂପୂର୍ଣ୍ଣ ଠିକ୍‍ ରହିଥିବା ସୂଚନା ମିଳିଛି। କେବଳ ସରକାରଙ୍କ ପକ୍ଷରୁ ଶୀତଳଭଣ୍ଡାରର ଜରୁରୀ କାଳୀନ ଦ୍ୱାର (ଏମର୍ଜେନ୍ସି ଡୋର)ର ମରାମତି ସାଙ୍ଗକୁ ଡ୍ରାଇଂ ସ୍ପେସ ର ଆବଶ୍ୟକ ମରାମତି ସହ ବିଦ୍ୟୁତ୍‍ ବିଲ୍‍ ପଇଠରେ ରିହାତି କରାଯାଇ ପାରିଲେ ଖୁବ୍‍ କମ୍‍ ଦିନ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହୋଇପାରନ୍ତା। ବର୍ଷର ଜାନୁଆରୀ ମାସର ଶେଷ ସପ୍ତାହରୁ ଅମଳ ହେବା ପରେ ଚାଷୀମାନେ ଏଠାରେ ଆଳୁ ରଖୁଥିବା ବେଳେ ଅପ୍ରେଲରୁ ଜୁନ୍‍ମାସ ମଧ୍ୟରେ ସେମାନେ ନିଜର ଆଳୁକୁ ଏଠାରୁ ନେଇଥାନ୍ତି । କରୋନା ମହାମାରୀ ସମୟରେ ଅନେକ ବ୍ୟକ୍ତି ନିଜର ଜୀବିକା ହରାଇଥିବା ବେଳେ ଏକମାତ୍ର ଚାଷ ଉପରେ ଭରଷା କରିଥିବା ଚାଷୀମାନେ ଗତବର୍ଷ ଅଧିକ ଲାଭ ପାଇବା ଆଶାରେ ହଜାର ହଜାର ହେକ୍ଟର ଜମିରେ ଆଳୁଚାଷ କରିଥିଲେ। ତେବେ ଏକମାତ୍ର ଭରସା ଥିବା ଏହି ଶୀତଳଭଣ୍ଡାରଟି ଅଚଳ ଥିବା କାରଣରୁ ଚାଷୀମାନେ ସେମାନଙ୍କ ଆଳୁକୁ ସଂରକ୍ଷିତ କରି ରଖିବା ପାଇଁ ଗତବର୍ଷ ନାନା ସମସ୍ୟାର ସମ୍ମୁଖିନ ହୋଇଥିଲେ। ଅଦ୍ୟାବଧି ଏହି ଶୀତଳଭଣ୍ଡାରର ମରାମତି କରାଯାଇନଥିବାରୁ ଆସନ୍ତା ଋତୁରେ ଜିଲାର ଚାଷୀମାନେ କେଉଁଠାରେ ସେମାନଙ୍କ ଆଳୁ ରଖିବେ ସେନେଇ ଚାଷୀକୂଳ ଏବେ ଚିନ୍ତାରେ ଥିବା ସୂଚନା ମିଳିଛି।
ଏହି ଶୀତଳଭଣ୍ଡାରର ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କ ଠାରେ ଅନେକ ଥର ଦାବି କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ପୁରୀ ଜିଲାର ୧୦ଟି ବ୍ଲକର ଆଳୁଚାଷୀଙ୍କ ସ୍ୱାର୍ଥ ପାଇଁ ତୁରନ୍ତ ଏହାର ମରାମତି ଦିଗରେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଶୀତଳଭଣ୍ଡାରର ପୂର୍ବତନ ପରିଚାଳନା ପରିଷଦ ସଦସ୍ୟ ତଥା ପିପିଲି ବ୍ଳକ ଆତ୍ମା କମିଟିର ଅଧ୍ୟକ୍ଷ ଧରଣୀଧର ସାହୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠି କିମ୍ବା ସ୍ପେଶାଲ ରିଲିଫ୍‍ ଫଣ୍ଡରୁ ଏଥିପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଗଲେ ଏହା ଖୁବ୍‍ କମ୍‍ ଦିନରେ କାର୍ଯ୍ୟକ୍ଷମ ହୋଇପାରନ୍ତା ଓ ଚାଷୀମାନେ ଉପକୃତ ହୋଇପାରନ୍ତେ ବୋଲି ଶ୍ରୀ ସାହୁ ପ୍ରକାଶ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories