www.samajalive.in
Saturday, December 13, 2025
23.1 C
Bhubaneswar

ମରଣଜନ୍ତା ପାଲଟିଛି ପିପିଲି-ଜଟଣୀ ରାସ୍ତା

ପିପିଲି : ପିପିଲି-ଜଟଣୀ ରାସ୍ତା ଏବେ ମରଣଜନ୍ତା ପାଲଟିଛି। ପିପିଲି ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ଖାଲଖମାରେ ପରିଣତ ହୋଇଥିବା ଏହି ମୁଖ୍ୟରାସ୍ତାର ଆବଶ୍ୟକ ମରାମତି କରାନଯିବାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ସଡକର ପିପିଲି ହାଟଛକ ଠାରୁ ବୁଢାପଡା ପର୍ଯ୍ୟନ୍ତ ୯ କିଲୋମିଟର ରାସ୍ତାକୁ ଅତିକ୍ରମ କରିବାକୁ ହାଲୁକା ଯାନ ଓ ଭାରୀଯାନକୁ ୩୦ ମିନିଟ୍‍ରୁ ୪୫ ମିନିଟ୍‍ ସମୟ ଲାଗୁଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ନିରାଟ ସତ୍ୟ ଅଟେ। ରାସ୍ତାର ଅନେକ ସ୍ଥାନରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ଟିକେ ଅସାବଧାନତା ହେଲେ ଦୁର୍ଘଟଣାର ସମ୍ମୁଖିନ ହୋଇ ରାସ୍ତାରେ ପଡି ଆହତ ହେବା ଏକପ୍ରକାର ନିଶ୍ଚିତ ଅଟେ।

ରାସ୍ତାର ଅବସ୍ଥା ଏପରି ହୋଇଛି ଯେ, ଯିଏ ଥରେ ଏହି ରାସ୍ତାରେ ଯାଉଛି ସେ ଦ୍ୱିତୀୟ ଥର ଯିବାକୁ ମନବଳାଉ ନାହିଁ। ଖାଲଖମାରେ ପରିଣତ ହୋଇଥିବା ଏହି ରାସ୍ତାରେ ଦୈନିକ ଛୋଟବଡ ଦୁର୍ଘଟଣାମାନ ଘଟୁଥିବା ବେଳେ ଯାତାୟତରେ ଲୋକେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି ।

- Advertisement -

ପିପିଲି-ଜଟଣୀ ରାସ୍ତାର ବିଭିନ୍ନ ସ୍ଥାନରେ ଏକାଧିକ ଖାଲଖମା ସୃଷ୍ଟି ହୋଇଛି । ପିପିଲି ହାଟଛକ ଠାରୁ କାକୁଡିଆ ପର୍ଯ୍ୟନ୍ତ ରାସ୍ତା ଉପରେ ବହୁତ ଗୁଡିଏ ଛୋଟ ବଡ ଖାଲ ସୃଷ୍ଟି ହୋଇଛି । କେଉଁଠି ୨ରୁ ୩ଇଞ୍ଚ ତ’ ପୁଣି କେଉଁଠି ଫୁଟେ ଖାଲ ହୋଇଛି। ଏଥିଯୋଗୁଁ ଗାଡି ଚାଳକମାନେ ନାନା ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ଏହି ରାସ୍ତାର ଅବସ୍ଥା ଏପରି ହୋଇଛି ଯେ, ରାସ୍ତା ଉପରେ ଥିବା ଖାଲଖମା ଠାରୁ ଦୂରେଇ ରହିବା ପାଇଁ ଗାଡି ଚାଳକମାନେ ବାଧ୍ୟହୋଇ କେତେବେଳେ ବାମ ପାଶ୍ୱର୍ ତ’ ପୁଣି କେତେବେଳେ ଡାହାଣ ପାଶ୍ୱର୍କୁ ମଡାଇ ଗାଡି ଚଳାଉଥିବା ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଫଳରେ ଏଥିଯୋଗୁଁ ଦୈନିକ ଛୋଟବଡ ଦୁର୍ଘଟଣା ଘଟୁଥିବା ସୂଚନା ମିଳିଛି। ଖୋର୍ଦ୍ଧା ଠାରୁ ପିପିଲି ଦେଇ ଅସ୍ତରଙ୍ଗ, କାକଟପୁର, ନିମାପଡା, କୋଣାର୍କ ଓ ପୁରୀ ଯିବା ପାଇଁ ଏହା ମୁଖ୍ୟରାସ୍ତା ହୋଇଥିବା ଯୋଗୁଁ ଦୈନିକ ଶହଶହ ସଂଖ୍ୟାରେ ଗାଡିମୋଟର ଏହି ରାସ୍ତାରେ ଚଳାଚଳ କରୁଛି । ଦୁଇଚକିଆ ଠାରୁ ଆରମ୍ଭ କରି ଚାରିଚକିଆ ଯାନବାହନ ଗୁଡିକ ଏହି ଖାଲରେ ପଡି କ୍ଷତିଗ୍ରସ୍ତ ହେଉଥିବା ବେଳେ ଲୋକେ ଆହତ ମଧ୍ୟ ହେଉଛନ୍ତି। ଗତ ୫ବର୍ଷ ମଧ୍ୟରେ ଏହି ରାସ୍ତାର ମରାମତି ଓ ଦୋହରୀକରଣ କାର୍ଯ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ନିମ୍ନମାନର କାର୍ଯ୍ୟ ଯୋଗୁଁ ଏହି ରାସ୍ତାରେ ପୁନର୍ବାର ପିଚୁ ଉଠିଯାଇ ଖାଲଖମାରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି।

ଏହି ରାସ୍ତାରେ ଯାଉଥିବା ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ରୋଗୀ ଓ ସାଧାରଣ ଲୋକେ ଏଥିଯୋଗୁଁ ଯାତାୟତରେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସରକାରୀ ବସ୍‍ ଓ ଘରୋଇ ଯାତ୍ରୀବାହୀ ବସରେ ଦୈନିକ ଶହ ଶହ ଲୋକେ ଏହି ରାସ୍ତାରେ ଯାତାୟତ କରୁଛନ୍ତି । ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ଯିବା ବେଳେ ଖାଲଖମା ଯୋଗୁଁ ବିଶେଷ ସମସ୍ୟାର ସମ୍ମୁଖିନ ହେଉଥିବା ସୂଚନା ମିଳିଛି । ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ପ୍ରମୁଖ ରାସ୍ତାର ଆବଶ୍ୟକ ମରାମତି ଦିଗରେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ତେବେ ଖୁବ୍‍ଶିଘ୍ର ଏହାର ମରାମତି କାର୍ଯ୍ୟ କରାଯିବ ବୋଲି ପିପିଲି ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ସାହୁ ସୂଚନା ଦେଇଛନ୍ତି।

Hot this week

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

Related Articles

Popular Categories