ସମାଜ ଡିଜିଟାଲ ଡେସ୍କ: ବିଜେଡି ଦଳରୁ ନିଲମ୍ବିତ ହେଲେ ପୂର୍ବତନ ମନ୍ତ୍ରୀ ତଥା ଟାଣୁଆ ନେତା ପ୍ରଫୁଲ୍ଲ ମଲ୍ଲିକ । ଦଳର ଉପସଭାପତି ପ୍ରତାପ ଜେନା ତାଙ୍କୁ ନିଲମ୍ବନ କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ ନେଇ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।
ତେବେ ଇସ୍ତଫା ପରେ ପ୍ରତିକ୍ରିୟା ଦେଇ ପ୍ରଫୁଲ୍ଲ କହିଛନ୍ତି ଯେ ମୁଁ ଇସ୍ତଫା ଦେବା ପରେ ମୋତେ ସସ୍ପେଣ୍ଡ କରାଯାଇଛି । ଦଳକୁ ସୁରକ୍ଷିତ ଭାବେ ରଖିବା ପାଇଁ ଆକ୍ସନ୍ ନେଇଥାଇପାରନ୍ତି । ବିଜେଡିର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କ ଜଣାଇଥିଲି । ଆଗକୁ ଚାଷୀ ଓ ଶ୍ରମିକଙ୍କ ପାଇଁ ସ୍ୱେଚ୍ଛାସେବୀ ଭାବେ କାମ କରିବେ ବୋଲି କୁହାଯାଉଛି । ଏବେ କେଉଁ ଦଳକୁ ଯିବା ପାଇଁ ମନ ସ୍ଥିର କରିନାହିଁ ବୋଲି ପ୍ରଫୁଲ୍ଲ କହିଛନ୍ତି ।

ସୂଚନା ଅନୁସାରେ ଗୁରୁବାର ଦିନ ବିଜେଡି ପରିଚାଳନା ନେଇ ମୁହଁ ଖୋଲିଥିଲେ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ । ସେ କହିଥିଲେ ଯେ ଆଗକୁ ଯଦି ଦଳ ଠିକ୍ ଭାବେ ନଚାଲେ ତାହେଲେ ଦଳଠୁ ଦୂରେଇ ଯିବି । ମୁଁ ଏବେ ବିଜେଡିରେ ଅଛି, କିନ୍ତୁ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେଉନି । ବିଜେଡି ସଠିକ୍ ଭାବେ ବିରୋଧୀ ଦଳ ଭୂମିକା ନିର୍ବାହ କରୁନାହିଁ । ପୂର୍ବ ବିଚାରଧାରାରେ ଦଳ ଚାଲୁନାହିଁ । ଦଳକୁ ସଂଗଠିତ କରିବାକୁ ପିଏସି, ଶୃଙ୍ଖଳା କମିଟି ପାଇଁ କହିଥିଲୁ, ଯାହାକି ହୋଇଛି କିନ୍ତୁ ଅନ୍ୟ ପ୍ରସ୍ତାବଗୁଡିକ ଦଳରେ ଗ୍ରହଣ କରାଯାଇନାହିଁ । ମୋ ସହିତ କେହି ଆଲୋଚନା କରି ନାହାନ୍ତି କି ମୁଁ କାହାକୁ ଭେଟିନି । ଏହାସହିତ ସେ କହିଛନ୍ତି ଯେ ନୂଆ ବିଜେଡି ଦଳ ଗଠନ ସମୟ ନୁହେଁ, ପୁରୁଣାକୁ ସଠିକ୍ ପରିଚାଳନା ଦରକାର ।



