www.samajalive.in
Sunday, December 7, 2025
23.1 C
Bhubaneswar

ବନ୍ଦ ହେବ ପିପିଲିର ଯୋଗାଣ ନିଗମ ଗୋଦାମ, ଦାନା ବାନ୍ଧୁଛି ଜନ ଆନ୍ଦୋଳନ

ପିପିଲି: ପିପିଲି ବ୍ଲକଛକ ସ୍ଥିତ ଶିରିଆପୁର ମୌଜାରେ ଥିବା ଓଡିଶା ରାଜ୍ୟ ଯୋଗାଣ ନିଗମର ୫ଶହ ମେଟ୍ରିକ୍‍ ଟନ କ୍ଷମତା ସଂପନ୍ନ ଗୋଦାମ ଗୃହ ଏବେ ବନ୍ଦ ହେବାକୁ ଯାଉଛି। ଚଳିତ ୩୧ ତାରିଖରେ ଏହି ଗୋଦାମକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇ ନିକଟବର୍ତ୍ତୀ ସାକ୍ଷୀଗୋପାଳ ସ୍ଥିତ ଓଏସ୍‍ଡବ୍ଲ୍ୟୁସି ର ଗୋଦାମ ଗୃହ ସହ ଏହାକୁ ଟ୍ୟାଗ୍‍ କରାଯିବାକୁ ନିଷ୍ପତ୍ତି ହୋଇଛି। ଫଳରେ ପିପିଲି ବ୍ଳକର ୨୫ଟି ପଞ୍ଚାୟତ ସମେତ ପିପିଲି ଏନ୍‍ଏସିର ସମସ୍ତ ପିଡିଏସ୍‍ ସାମଗ୍ରୀ ଏବେ ପିପିଲି ପରିବର୍ତ୍ତେ ଏଠାରୁ ୨୦ କିଲୋମିଟର ଦୂର ସାକ୍ଷୀଗୋପାଳରୁ ଆସିବ।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରୀୟା ପ୍ରକାଶ ପାଇଥିବା ବେଳେ ଏକ ଜନ ଆନ୍ଦୋଳନ ମୁଣ୍ଡ ଟେକୁଥିବା ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁଯାଇ, ୧୯୯୯ ମହାବାତ୍ୟା ପରେ ପିପିଲି ବ୍ଳକଛକ ସ୍ଥିତ ଶିରିଆପୁର ମୌଜାରେ ଓଡିଶା ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ୫ଶହ ମେଟ୍ରିକ୍‍ ଟନ କ୍ଷମତା ସଂପନ୍ନ ଏକ କଂକ୍ରିଟ୍‍ ଛାତର ଗୋଦାମ ଗୃହ ନିର୍ମାଣ କରାଯାଇଥିଲା। ଯାହାକୁ ୨୦୦୨ ମସିହା ଡିସେମ୍ବର ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‍ଘାଟନ କରିଥିଲେ। ରାଜ୍ୟ ଯୋଗାଣ ନିଗମର ଏହି ଗୋଦାମରୁ ପିପିଲି ବ୍ଲକର ୨୫ଟି ପଞ୍ଚାୟତ ସମେତ ପିପିଲି ଏନ୍‍ଏସିକୁ ପିଡିଏସ୍‍ ସାମଗ୍ରୀ ଯୋଗାଯାଇଥାଏ। ତେବେ ଗତ ଫଣି’ ମହାବାତ୍ୟା ସମୟରେ ଜିଲାର ବିଭିନ୍ନ ଗୋଦାମ ଘର ଭାଙ୍ଗି ଯାଇଥିବା ବେଳେ ପିପିଲିର ଏହି ଗୋଦାମରୁ ବିଭିନ୍ନ ସ୍ଥାନକୁ ରିଲିଫ୍‍ ଚାଉଳ ପଠାଯାଇଥିଲା। ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି କଂକ୍ରିଟ୍‍ ଛାତ ବିଶିଷ୍ଟ ଗୋଦାମ ଗୃହ ସରକାରଙ୍କ ବହୁତ କାମରେ ଲାଗିଥାଏ। ତେବେ କ୍ଷୁଦ୍ର ଓ ଅନ୍‍ସାଇଣ୍ଟିଫିକ୍‍ ଦର୍ଶାଇ ଏହାକୁ ବନ୍ଦ କରାଯିବା ପାଇଁ ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାକୁ ମିଶାଇ ଜିଲାରେ ଥିବା ଅନ୍ୟ ୩ଟି ୫ଶହ ମେଟ୍ରିକ୍‍ ଟନ୍‍ କ୍ଷମତା ସଂପନ୍ନ ଆର୍‍ଆର୍‍ସି-କମ୍‍-ଡିଏସ୍‍ସି ଗୋଦାମ ଘରକୁ ବନ୍ଦ କରାଯିବାକୁ ନିର୍ଦ୍ଦେଶ ଆସିଥିବା ବେଳେ ଚଳିତ ୩୧ ତାରିଖ ଏହାର ଶେଷ ଦିନ ହୋଇଥିବା ସୂଚନା ମିଳିଛି। ଫେବୃଆରୀ ୧ ତାରିଖରୁ ସାକ୍ଷୀଗୋପାଳ ସ୍ଥିତ ଓଏସ୍‍ଡବ୍ଲ୍ୟୁସି ର ଗୋଦାମ ସହ ଏହାକୁ ଟ୍ୟାଗ୍‍ କରାଯିବ। ଫଳରେ ଫେବୃଆରୀ ୧ ତାରିଖରୁ ପିପିଲି ବ୍ଳକ ଓ ପିପିଲି ଏନ୍‍ଏସି ଅଞ୍ଚଳକୁ ପିଡିଏସ୍‍ ସାମଗ୍ରୀ ସାକ୍ଷୀଗୋପାଳରୁ ଯୋଗାଣ ହେବ। ଏଭଳି ଏକ ନିଷ୍ପତ୍ତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରୀୟା ପ୍ରକାଶ ପାଇଛି। ଗତ ଫଣି’ ମହାବାତ୍ୟା ସମୟରେ ଏଠାରେ ଗଚ୍ଛିତ ଥିବା ପିଡିଏସ୍‍ ସାମଗ୍ରୀ ସଂପୂର୍ଣ୍ଣ ସୁରକ୍ଷିତ ରହିଥିବା ବେଳେ ସେ ସମୟରେ ଏଠାରୁ ଜିଲାର ବିଭିନ୍ନ ସ୍ଥାନକୁ ରିଲିଫ୍‍ ସାମଗ୍ରୀ ଯୋଗାଯାଇଥିଲା। ଏପରିକି କରୋନା ମହାମାରୀ ସମୟରେ ଏଠାରୁ ଠିକ୍‍ ସମୟରେ ପିଡିଏସ୍‍ ସାମଗ୍ରୀ ବିତରଣ ଫଳରେ ବ୍ଲକ ଓ ପୌରବାସୀ ଉପକୃତ ହୋଇଥିଲେ। ଏବେ ଏହାକୁ ବନ୍ଦ କରାଯାଇ ଏଠାରୁ ୨୦ କିଲୋମିଟର ଦୂରରେ ଥିବା ସାକ୍ଷୀଗୋପାଳର ଓଏସ୍‍ଡବ୍ଲ୍ୟୁସି ର ଗୋଦାମ ସହ ଏହାକୁ ଟ୍ୟାଗ୍‍ କରାଯିବା ଫଳରେ ପିଡିଏସ୍‍ ପରିବହନ କ୍ଷେତ୍ରରେ ସରକାରଙ୍କ ଅଧିକ ଅର୍ଥ ବ୍ୟୟ ହେବ। ଏହି ଗୋଦାମରେ ୨୦୦୮ ମସିହାରୁ ନିୟୋଜିତ ଥିବା ୩୦ଜଣ ଠିକା ଶ୍ରମିକ ଏବେ ନିଜର ଜିବିକା ହରାଇବାକୁ ଯାଉଛନ୍ତି। ସେମାନେ ଏଠାରୁ ଦୈନିକ ୩ଶହରୁ ୪ଶହ ଟଙ୍କା ରୋଜଗାର କରି ନିଜର ପରିବାର ଚଳାଉଥିଲେ। ଗୋଦାମ ବନ୍ଦ ହେବା ଫଳରେ ସେମାନେ ରୋଜଗାର ହରାଇବା ସହ କିପରି ପରିବାର ଚଳାଇବେ ସେଥିନେଇ ଚିନ୍ତାରେ ଅଛନ୍ତି। ଏଥିପାଇଁ ସେମାନେ ଆନ୍ଦୋଳନକୁ ଓହ୍ଲାଇବା ସହ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି ଠିକାଶ୍ରମିକ ପ୍ରଭାକର ପ୍ରଧାନ, ପ୍ରମୋଦ କୁମାର ସାହୁ, ବିପିନ ବିହାରୀ ସାହୁ, ଇଶ୍ୱର ସାହୁ, ଚିନ୍ତାମଣୀ ପ୍ରଧାନ, ସୋମନାଥ ସ୍ୱାଇଁ, ଶରତ ଚନ୍ଦ୍ର ସେଠୀ ପ୍ରମୁଖ ପ୍ରକାଶ କରିଛନ୍ତି। ସୁରକ୍ଷିତ ଥିବା କଂକ୍ରିଟ୍‍ ଛାତ ବିଶିଷ୍ଟ ଏହି ଗୋଦାମକୁ ବନ୍ଦ କରାଯାଇ କାହା ସ୍ୱାର୍ଥରେ ଏହାକୁ ସାକ୍ଷୀଗୋପାଳ ସ୍ଥିତ ଓଏସ୍‍ଡବ୍ଲ୍ୟୁସି ର ଗୋଦାମ ସହ ଟ୍ୟାଗ୍‍ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ସେନେଇ ସରକାର ତଦନ୍ତ କରିବା ସହ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହୋଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories