ଗଣମାଧ୍ୟମ ଯେତେ ସ୍ୱାଧୀନ ହେବ, ଗଣତନ୍ତ୍ର ସେତେ ସୁଦୃଢ ହେବ

ପିପିଲି ଗୁଡିଆପୋଖରୀ ଠାରେ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌‌ ଦିବସ ସମାବେଶ

ପିପିଲି:ଗଣତନ୍ତ୍ରରେ ବାକ୍‌‌ ସ୍ୱାଧୀନତା ଓ ତାହାର ପରିପ୍ରକାଶର ମୌଳିକ ମାଧ୍ୟମ ହେଉଛି ଗଣମାଧ୍ୟମ। କାର୍ଯ୍ୟପାଳିକା, ନ୍ୟାୟପାଳିକା, ଆଇନ ପ୍ରଣୟନକାରୀ ସଂସ୍ଥା ଯେତିକି ଗୁରୁତ୍ୱପୂର୍ଣ୍ଣ, ଗଣମାଧ୍ୟମ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ଗଣତନ୍ତ୍ର କିଭଳି ସୁସ୍ଥ ଓ ସମୃଦ୍ଧ ହୋଇ ରହିବ ଏବଂ ସରକାର କିଭଳି ଭାବେ ସ୍ୱେଚ୍ଛାଚାରୀ ନହୋଇ ଜନତାଙ୍କ ମଙ୍ଗଳ ପାଇଁ କାମ କରିବେ ସେଥିପାଇଁ ଗଣମାଧ୍ୟମ ହେଉଛି ପ୍ରମୁଖ ମାଧ୍ୟମ। ଗଣମାଧ୍ୟମ ଯେତେ ସ୍ୱାଧୀନ ହେବ ଗଣତନ୍ତ୍ର ସେତେ ସୁଦୃଢ ହେବ ବୋଲି ଗୁଡିଆପୋଖରୀ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌‌ ଦିବସ ସମାବେଶରେ ଯୋଗଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।

ପିପିଲି ସାମ୍ବାଦିକ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଗୁଡିଆପୋଖରୀ ସ୍ଥିତ ରୁକ୍ମଣୀ ପ୍ୟାଲେସ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍ ଦିବସ ସମାରୋହ ଅବସରରେ “ପରିବର୍ତ୍ତିତ ପରିସ୍ଥିତିରେ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା’ ଶୀର୍ଷକ ଆଲୋଚନାଚକ୍ରରେ ଅତିଥି ଭାବେ ଲେପ୍ଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି (ଅବସରପ୍ରାପ୍ତ), ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ, ସିନେ ଅଭିନେତା ବବି ମିଶ୍ର, ପିପିଲି ସାଂସ୍କୃତିକ ପରିଷଦର ସଂପାଦକ ତଥା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ରମେଶ ଚନ୍ଦ୍ର ମହାପାତ୍ର, ପିପିଲି ଥାନାଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ, ହେଡ୍ ଲାଇନ୍ସ ଓଡିଶାର ମୁଖ୍ୟ ଜ୍ୟୋତି ରଞ୍ଜନ ବେହେରା, ମାନବାଧିକାର କର୍ମୀ ଶ୍ରୀଅଖଣ୍ଡ, ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଚରଣ ନାୟକ, ଆନ୍ତର୍ଜାତୀୟ କ୍ରୀଡାବିତ ଅଂଶିକା ମହାପାତ୍ର ପ୍ରମୁଖ ଯୋଗଦେଇ ଗଣମାଧ୍ୟମ ବିନା ଗଣତନ୍ତ୍ର ସୁରକ୍ଷିତ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ।

ସଂଘର ସାଧାରଣ ସଂପାଦକ ଦୀନବନ୍ଧୁ ବେହୁରା ବିବରଣୀ ପାଠ କରିଥିବା ବେଳେ ଶିକ୍ଷାବିତ୍ ହେମନ୍ତ କୁମାର ପ୍ରଧାନ ଅତିଥି ପରିଚୟ ଓ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ରାଜ୍ୟର ୩୨ ଜଣ ବରିଷ୍ଠ ଡାକ୍ତର, ସାମ୍ବାଦିକ, ବୁଦ୍ଧିଜିବୀ, ଶିକ୍ଷାବିତ୍, ସ୍ୱାସ୍ଥ୍ୟସେବୀ, ସାହିତ୍ୟିକ, କବି, ଲେଖକ, କଳାକାର, ସମାଜସେବୀ, କ୍ରୀଡାବିତ୍, ମେଧାବୀ ଛାତ୍ରଛାତ୍ରୀଙ୍କୁ ସଂବର୍ଦ୍ଧିତ କରାଯାଇଥିଲା। ସଂଘର ମୁଖ୍ୟ ସଂଯୋଜକ ବିଜୟ କୁମାର ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକୁ ବରିଷ୍ଠ ସାମ୍ବାଦିକ ସୁବାଷ ପ୍ରଧାନ, ହେମନ୍ତ କୁମାର ସେଠୀ, ରଶ୍ମି ଋଞ୍ଜନ ପ୍ରଧାନ, ଦୁର୍ଗାମାଧବ ମିଶ୍ର, ନୃସିଂହ ଚରଣ ସାହୁ, କୃଷ୍ଣଚନ୍ଦ୍ର ସାହୁ, ଗୋକୁଳ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

Comments are closed.