ପିପିଲି: ସ୍ୱଚ୍ଛ ପରିବେଶ ସହ ପ୍ରଶାସନିକ ସ୍ୱଚ୍ଛତା ଜରୁରୀ ବୋଲି ପିପିଲି ବ୍ଳକ ଅନ୍ତର୍ଗତ ଚଉଦମାଣ ଗ୍ରାମରେ ବାପୁଜୀ ୟୁଥ୍ କ୍ଲବ ପକ୍ଷରୁ ଆୟୋଜିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ନୂଆଶାସନ ପଞ୍ଚାୟତ ଅନ୍ତର୍ଗତ ଚଉଦମାଣ ଗ୍ରାମର ଖେଳପଡ଼ିଆ ଠାରେ ବରିଷ୍ଠ ଶିକ୍ଷାବିତ୍ ସାଗର ନାୟକଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ପୁରୀ ଲୋକସଭା ସାଂସଦ ଡ. ସମ୍ବିତ ପାତ୍ର ଯୋଗଦେଇ ନିଜ ବକ୍ତବ୍ୟରେ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ସ୍ୱଚ୍ଛ ଭାରତ ଅଭିଯାନ’ କିଭଳି ଗତ ୧୦ବର୍ଷ ମଧ୍ୟରେ ଦେଶରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି ସେସଂପର୍କରେ ଆଲୋକପାତ କରିଥିଲେ।
ମୁଖ୍ୟବକ୍ତା ଭାବେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଯୋଗଦେଇ ସ୍ଥାନୀୟ ଅଞ୍ଚଳ ସମେତ ସମଗ୍ର ପିପିଲି ନିର୍ବାଚନମଣ୍ଡଳୀରେ ‘ସ୍ୱଚ୍ଛ ଭାରତ ଅଭିଯାନ’କୁ ଅଧିକ ବ୍ୟାପକ କରାଯିବା ସହିତ ଆମ ସଂସ୍କୃତିର ଅଙ୍ଗ ଭାବେ ସ୍ୱଚ୍ଛତାକୁ ଆପଣାଇବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଚଉଦମାଣ ଗ୍ରାମର ବିଭିନ୍ନ ସମସ୍ୟାର ସମାଧାନ କରାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଉଭୟ ନେତା ପ୍ରକାଶ କରିଥିଲେ।
ଅନ୍ୟତମ ଅତିଥି ଭାବେ ପିପିଲି ସାଂସ୍କୃତିକ ପରିଷଦର ସଂପାଦକ ତଥା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ରମେଶ ଚନ୍ଦ୍ର ମହାପାତ୍ର, ବରିଷ୍ଠ ନାଗରିକ ପଦ୍ମନାଭ ପ୍ରଧାନ, ଯୁବ ସମାଜସେବୀ ଦୀନବନ୍ଧୁ ବେହୁରା, ଶିକ୍ଷାବିତ୍ ହେମନ୍ତ କୁମାର ପ୍ରଧାନ, ପୂର୍ବତନ ସରପଞ୍ଚ ସୌମ୍ୟକାନ୍ତ ଦାଶ, ସରପଞ୍ଚ ଶ୍ରଦ୍ଧାଞ୍ଜଳୀ ଦାସ ପ୍ରମୁଖ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ଜଣେ ଭଲ ମଣିଷ ଓ ଦେଶସେବକ ଭାବେ ଗଢିତୋଳିବା ପାଇଁ ଉପସ୍ଥିତ ଛାତ୍ରଛାତ୍ରୀ ଓ ଯୁବଗୋଷ୍ଠୀଙ୍କୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଅଞ୍ଚଳର ଗରିବ ବୃଦ୍ଧ, ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ପରେ ଗ୍ରାମର ଶିଶୁ କଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।



