www.samajalive.in
Saturday, December 6, 2025
17.1 C
Bhubaneswar

ପିପିଲି ଟୋଲ୍‌‌ଗେଟ୍‌‌ରେ ଫାଙ୍କା ଗୁଳିଚାଳନା ଘଟଣା: ୩ ଅଟକ, କାର୍‌‌ ଜବତ

ପିପିଲି: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ଜଇସପାଟଣାସ୍ଥିତ ପିପିଲି ଟୋଲ୍‌‌ ପ୍ଲାଜାଠାରେ ଗୁରୁବାର ଭୋର ସମୟରେ ୨ ରାଉଣ୍ଡ ଫାଙ୍କା ଗୁଳିଚାଳନା ହୋଇଛି। ଟୋଲ୍‌‌ ଟିକସକୁ ନେଇ ଏହି ଗୁଳିକାଣ୍ଡ ଘଟିଥିବା ବେଳେ ସୌଭାଗ୍ୟବସତଃ ଏଥିରେ କେହି ମୃତାହତ ହୋଇନାହାନ୍ତି। ଏହି ଘଟଣାରେ ପୁଲିସ ୩ଜଣ ଦୁର୍ବୃତ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ସେମାନେ ବ୍ୟବହାର କରିଥିବା କାର୍‌‌କୁ ଜବତ କରିଛି। ଏହି ଘଟଣାଟି ପିପିଲି ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଟୋଲଗେଟ୍‌‌ କର୍ମଚାରୀଙ୍କ ମଧ୍ୟରେ ଭୟ ଖେଳିଯାଇଛି।

ସୂଚନା ଅନୁଯାୟୀ, ଗୁରୁବାର ଭୋର ୫ଟା ସମୟରେ ଭୁବନେଶ୍ୱର ଦିଗରୁ ଏକ କାର୍‌‌ ପିପିଲି ଟୋଲ୍‌‌ ପ୍ଲାଜା ଦେଇ ପୁରୀ ଅଭିମୁଖେ ଯିବାବେଳେ ଏହି ଗୁଳିକାଣ୍ଡ ଘଟିଥିଲା। କାରର ଫାଷ୍ଟଟ୍ୟାଗରେ ରିଚାର୍ଜ ସରିଯାଇଥିବାରୁ ଟୋଲ୍‌‌ ଟିକସ ଦେବାକୁ ସେଠାରେ ଉପସ୍ଥିତ କର୍ମଚାରୀ କହିଥିଲେ। ଏହାକୁ ନେଇ କାର୍‌‌ରେ ଥିବା ଯୁବକମାନେ ଟୋଲ୍‌‌ଗେଟ୍‌‌ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ। ଟିକସ ଦେଇ ଯିବାକୁ କର୍ମଚାରୀ ଜଣକ ସେମାନଙ୍କୁ ବାରମ୍ବାର ବୁଝାଇବା ପରେ ଶେଷରେ ସେମାନେ ଟିକସ ପଇଠ କରି ଉକ୍ତ କାର୍‌‌କୁ ଟୋଲଗେଟ୍‌‌ ଫାଟକ ଆଗକୁ ନେଇଥିଲେ। କାର୍‌‌ରେ ଥିବା ମୋଟ୍‌‌ ୬ଜଣ ଯୁବକଙ୍କ ମଧ୍ୟରୁ ହଠାତ୍‌‌ ଜଣେ କାର୍‌‌ରୁ ଓହ୍ଲାଇ ହାତରେ ଏକ ପିସ୍ତଲ ଧରି ସେଠାରେ ଗୋଟିଏ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲା। ଏଥିରେ ଭୟଭୀତ ହୋଇ ସେଠାରେ ଡ୍ୟୁଟି କରୁଥିବା କିଛି କର୍ମଚାରୀ ଦଉଡି ପଳାଇଥିଲେ। ପରେ ଉକ୍ତ ଯୁବକ ଜଣକ ଟୋଲଗେଟ୍‌‌ ପାଖକୁ ଆସି ପୂର୍ବରୁ ଯୁକ୍ତି କରିଥିବା କର୍ମଚାରୀଙ୍କ ମୁଣ୍ଡ ଓ ଛାତିରେ ପିସ୍ତଲ ଲଗାଇ ନାନା ଧମକଚମକ ଦେବା ସହ ସେଠାରେ ପୁନର୍ବାର ଆଉ ଏକ ଫାଙ୍କା ଗୁଳିଚାଳନା କରିଥିଲା। ପରେ ଯୁବକ ଜଣକ କାର୍‌‌ରେ ବସି ସେଠାରୁ ପୁରୀ ଅଭିମୁଖେ ଫେରାର୍‌‌ ହୋଇଯାଇଥିଲା। ଏ ସଂପର୍କରେ ପିପିଲି ପୁଲିସଠାରୁ ସୂଚନା ପାଇବା ପରେ ସମସ୍ତ ଅପରାଧିଙ୍କୁ ତୁରନ୍ତ ଧରିବା ପାଇଁ ପୁରୀ ଏସ୍‌‌ପି ଡ଼ଃ କନ୍‌‌ୱର ବିଶାଳ ସିଂହ ଜିଲାର ବିଭିନ୍ନ ଥାନାକୁ ନିର୍ଦ୍ଦେଶ ଦେଇଥିଲେ। ପିପିଲି ଏସ୍‌‌ଡିପିଓ ବିରଞ୍ଚି ନାରାୟଣ ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପିପିଲି ପୁଲିସ, ବଳଙ୍ଗା ପୁଲିସ ଓ ନିମାପଡ଼ା ଏସ୍‌‌ଡିପିଓ ଦେବାଶିଷ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିମାପଡ଼ା ଓ ଗୋପ ପୁଲିସ ଅପରାଧିଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲେ। ଜିଲାର ବିଭିନ୍ନ ଥାନା ଅଞ୍ଚଳର ୯ଟି ସ୍ଥାନରେ ପୁଲିସ ପକ୍ଷରୁ ନାକା ଲଗାଯାଇଥିଲା। ଉକ୍ତ କାର୍‌‌ଟି ପୁରୀ ଅଭିମୁଖେ ଯାଉଥିବା ବେଳେ ହାଇୱେ ପୁଲିସ ପେଟ୍ରୋଲିଂ ଟିମ୍‌‌ ଓ ପୁରୀ ସଦର ପୁଲିସ ପେଟ୍ରୋଲିଂ ଟିମ୍‌‌ ଉକ୍ତ କାର୍‌‌କୁ ପିଛା କରିଥିଲେ। କାର୍‌‌ଟି ମାଳତିପାଟପୁରରୁ କୋଣାର୍କ ରାସ୍ତାରେ ଛଇତନା ଦେଇ ଗୋପରୁ ତଳରାସ୍ତାରେ ନିମାପଡ଼ା ଅଭିମୁଖେ ଯାଉଥିବା ବେଳେ ନିମାପଡ଼ା ନିକଟ ଅରିଷଣ୍ଢ ଡଗରାସାହି ଠାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ କାର୍‌‌କୁ କାବୁ କରିବାରେ ସକ୍ଷମ ହୋଇଥିଲା। କାର୍‌‌ ଛାଡି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ୩ଜଣଙ୍କୁ ଧାନବିଲ ଓ ଜଙ୍ଗଲିଆ ସ୍ଥାନରୁ ଧରିବାରେ ସକ୍ଷମ ହୋଇଥିଲା। ପୁରୀର ଅତିରିକ୍ତ ଏସ୍‌‌ପି, ପିପିଲି ଏସ୍‌‌ଡିପିଓ ବିରଞ୍ଚି ନାରାୟଣ ପତି ଓ ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ ଅଟକ ୩ଜଣଙ୍କୁ ପିପିଲି ଥାନାରେ ମାରାଥନ ଜେରା ଚଳାଇଥିବା ସୂଚନା ମିଳିଛି। ଅଟକ ୩ଜଣଙ୍କ ଘର କଟକ ଜିଲାରେ ହୋଇଥିବା ସୂଚନା ମିଳିଥିବା ବେଳେ ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୁଲିସ ସେମାନଙ୍କ ନାମକୁ ଗୋପନ ରଖିଛି। ସେମାନେ କେଉଁ ଉଦ୍ଦେଶ୍ୟ ନେଇ ଆସିଥିଲେ, ବନ୍ଧୁକ କେଉଁଠାରୁ ପାଇଲେ, ସେମାନଙ୍କ ନାମରେ ଅନ୍ୟ କେଉଁ ଥାନାରେ କେତେ ମାମଲା ରହିଛି ଓ ଅନ୍ୟ କେଉଁ କେଉଁ ମାମଲାରେ ସେମାନେ ସଂପୃକ୍ତ ଅଛନ୍ତି ସେନେଇ ପୁଲିସ ତଦନ୍ତ ଚଳାଇଛି। ଫେରାର ଥିବା ଅନ୍ୟ ୩ ଜଣଙ୍କୁ ଧରିବା ଓ ବନ୍ଧୁକ ଜବତ କରିବା ପାଇଁ ପୁଲିସର ସ୍ୱତନ୍ତ୍ର ଦଳ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ଘଟଣା ଘଟିବାର ମାତ୍ର ଦେଢରୁ ୨ ଘଣ୍ଟା ମଧ୍ୟରେ ୩ଜଣ ଅପରାଧିଙ୍କୁ ଧରିବାରେ ପୁଲିସ ସଫଳ ହୋଇଥିବା ଯୋଗୁଁ ପୁରୀ ଏସ୍‌‌ପି ଡ. କନ୍‌‌ୱର ବିଶାଳ ସିଂହ ଏଥିପାଇଁ ସମସ୍ତ ପୁଲିସ ଟିମ୍‌‌ ସମେତ ପୁଲିସକୁ ସହଯୋଗ କରିଥିବା ଅରିଷଣ୍ଢ ଡଗରାସାହିର ଅଧିବାସୀଙ୍କୁ ସାଧୁବାଦ ଜଣାଇଛନ୍ତି। ଫେରାର୍‌‌ ଥିବା ଅନ୍ୟ ୩ଜଣଙ୍କ ପରିଚୟ ମିଳିସାରିଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସ୍‌‌ପି ସୂଚନା ଦେଇଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories