ପିପିଲି : ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପିପିଲିର ଦୁର୍ଗାଦାସପୁର ବଜାର ଠାରେ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ ସଂବର୍ଦ୍ଧନା ଦିଆଯାଇଛି। ଗୁରୁବାର ମଧ୍ୟାହ୍ନରେ ଉଭୟ କେନ୍ଦ୍ରମନ୍ତ୍ରୀ ପୁରୀରୁ ଭୁବନେଶ୍ୱର ଫେରୁଥିବା ବେଳେ ବିଜେପିର ପୁରୀ ଜିଲା ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟକର୍ତ୍ତା, କର୍ମୀ, ମହିଳାଗୋଷ୍ଠୀ ଓ ସମର୍ଥକ ମାନେ ଉଭୟଙ୍କୁ ଉତ୍ତରୀୟ ଓ ଫୁଲତୋଡା ଦେଇ ଭବ୍ୟ ସ୍ୱାଗତ କରିଥିଲେ। ପ୍ରବଳ ବର୍ଷାକୁ ଖାତିର ନକରି ମହିଳାମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିବାରୁ ଦୁଇ ମନ୍ତ୍ରୀ ଖୁସି ପ୍ରକାଶ କରିଥିଲେ।
ପିଏମ୍ ବିଶ୍ୱକର୍ମା ଯୋଜନାରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଗୁରୁତ୍ୱ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଦେଶ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଜରିଆରେ ଧନ୍ୟବାଦ ପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ପିପିଲିର ଚାନ୍ଦୁଆ କାରିଗର ସୁରେଶ ମହାପାତ୍ର ଓ ଚନ୍ଦନ ଦାସ ଉଭୟ କେନ୍ଦ୍ରମନ୍ତ୍ରୀଙ୍କୁ ଚାନ୍ଦୁଆ ଭେଟି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବରିଷ୍ଠନେତା ଓମ୍ପ୍ରକାଶ ମିଶ୍ରଙ୍କ ସମେତ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା, ଅଞ୍ଚଳର ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।



