ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ପିପିଲି ଗସ୍ତ

ପିପିଲି : ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ କୁମାର ବେରୀ ଗୁରୁବାର ପିପିଲି ବ୍ଲକ ଗସ୍ତ କରି ବିଭିନ୍ନ ସରକାରୀ ଯୋଜନାର ବାସ୍ତବ ରୂପରେଖ ପରିଦର୍ଶନ କରିବା ସହ ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ସଶସ୍ତିକରଣ, ସାଧାରଣ ବଣ୍ଟନ ବ୍ୟବସ୍ଥା ଆଦିର ସମୀକ୍ଷା କରିଛନ୍ତି ।
ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ କୁମାର ବେରୀଙ୍କ ସହ ନୀତି ଆୟୋଗ ନିର୍ଦ୍ଦେଶିକା ସୁବ୍ରତା ପ୍ରକାଶ, ସଦସ୍ୟ ଡାକ୍ତର ବିନୋଦ କୁମାର ପଲ, ଉପାଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ ଅମିତ ବର୍ମା, ପି. ଶଙ୍କର ଓ ବରିଷ୍ଠ ବିଶେଷଜ୍ଞ ରୂପେଶ ସିଂହ ପ୍ରମୁଖ ଗୁରୁବାର ପୂର୍ବାହ୍ନ ୯ଟା ୪୦ ମିନିଟ୍‍ରେ ପିପିଲି ବ୍ଲକରେ ପହଞ୍ଚି ଥିଲେ ।
ବ୍ଲକ ପରିସରରେ ଥିବା “ମିଶନ ଶକ୍ତି କାଫେ’କୁ ଶ୍ରୀ ବେରୀ ପରିଦର୍ଶନ କରିବା ସହ ସେଠାକାର ସ୍ୱଚ୍ଛତା, ଖାଦ୍ୟର ପ୍ରସ୍ତୁତି , ଖାଦ୍ୟର ମାନ, ଗୁଣବତ୍ତା ଆଦି ସଂପର୍କରେ ଅନୁଧ୍ୟାନ କରିଥିଲେ । ସେଠାକାର ମହିଳା କର୍ମଚାରୀଙ୍କ ସହ ସେ କାଫେର ପରିଚାଳନା ବିଷୟରେ ପଚାରି ବୁଝିଥିଲେ । ମହିଳା କର୍ମଚାରୀ ମାନଙ୍କୁ ସେମାନଙ୍କ ପରିବାରର ସହଯୋଗ ସଂପର୍କରେ ଶ୍ରୀ ବେରୀ ପଚାରି ବୁଝିବା ସହ ସେମାନଙ୍କ ପିଲାଙ୍କ ଶିକ୍ଷା ଓ ଭବିଷ୍ୟତ ସଂପର୍କିତ ଯୋଜନା ସଂପର୍କରେ ପଚାରିଥିଲେ ।
ପରେ ସେଠାରେ ସେ କଫି ପାନ କରିଥିଲେ । ପରେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସେ ପରିଦର୍ଶନ କରିଥିଲେ । ଡାକ୍ତରଖାନାର ସ୍ୱଚ୍ଛତା ଓ ଭିତ୍ତିଭୂମି ସଂପର୍କରେ ସେ ଅନୁଧ୍ୟାନ କରିବା ସହ ଆଉଟ୍‍ଡୋର ରେ ରୋଗୀଙ୍କ ସ୍ୱାସ୍ଥ୍ୟସେବା ସଂପର୍କରେ ଅନୁଧ୍ୟାନ କରିଥିଲେ ।
ପରେ ପ୍ରସୂତି ଗୃହ, ନିଦାନ ଲାବୋରେଟୋରୀ, ଆର୍‍ଏନ୍‍ଟିସିପି ଲାବୋରେଟୋରୀ, ନିଦାନ ନିଃଶୁଳ୍କ ରୋଗ ନିରୂପଣ ସେବା, ସମନ୍ୱିତ ପରୀକ୍ଷାଗାର, ସ୍ତ୍ରୀ ଓ ପ୍ରସୂତି ବର୍ହିବିଭାଗ, ଅନ୍ତଃ ବିଭାଗ ଆଦିକୁ ସେ ବୁଲି ଦେଖିବା ସହ ସ୍ଥିତି ପରଖିଥିଲେ । ପରେ ସେ ମଠସାହି ସ୍ଥିତ ଅଙ୍ଗନୱାଡି କେନ୍ଦ୍ରକୁ ପରିଦର୍ଶନରେ ଯାଇଥିଲେ । ପରେ ରାଜ୍ୟ ସରକାରଙ୍କ ଉଚ୍ଚବିଦ୍ୟାଳୟ ରୂପାନ୍ତରଣ (୫ଟି-ହାଇସ୍କୁଲ ଟ୍ରାନ୍ସଫର୍ମେସନ) କାର୍ଯ୍ୟକ୍ରମରେ ରୂପାନ୍ତରିତ ହୋଇଥିବା ଜବାହର ବିଦ୍ୟାପୀଠ ଓ ଜଗନ୍ନାଥପୁର ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥା କେନ୍ଦ୍ର (ପିଡିଏସ୍‍) କୁ ସେ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ଏହି ଗସ୍ତ ସମୟରେ ରାଜ୍ୟ ଯୋଜନା ଓ ସମନ୍ୱୟ ବିଭାଗର ବିଭିନ୍ନ ପଦାଧିକାରୀଙ୍କ ସମେତ ପୁରୀ ଜିଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତିଶଙ୍କର ମହାପାତ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଜାତା ମିଶ୍ର, ଡିପିଏମ୍‍ ଟି . ନାରାୟଣ ରାଓ, ପିପିଲି ବିଡିଓ ରଶ୍ମିତା ନାଥ, ପିପିଲି ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିନୟ କୁମାର ପଣ୍ଡା, ପିପିଲି ତହସିଲଦାର ପୁନମ ମହାପାତ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି ।

Comments are closed.