ପିପିଲି ଏନ୍‍ଏସିରେ ପାନୀୟ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ପିପିଲି : ପିପିଲି ବିଜ୍ଞପିତ ଅଞ୍ଚଳ ପରିଷଦର ସମସ୍ତ ୱାର୍ଡ ଓ ବସ୍ତିର ପାନୀୟ ଜଳଯୋଗାଣ ବ୍ୟବସ୍ଥାର ସଂପୂର୍ଣ୍ଣ ଉନ୍ନତିକରଣ ନିମନ୍ତେ ୬କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ଦ୍ୱାରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ପିପିଲି ଉପନିର୍ବାଚନ ପୂର୍ବରୁ ପିପିଲି ପୌରାଞ୍ଚଳର ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ଗତବର୍ଷ ଫେବୃଆରୀ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ପୌରାଞ୍ଚଳରେ ପାଇପ ଲାଇନ ସଂପ୍ରସାରଣ ପାଇଁ ୭କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ।
ରାଜ୍ୟ ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନରେ ଥିବା ପିପିଲି ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ପିପିଲି ପୌରାଞ୍ଚଳରେ ପାନୀୟ ଜଳଯୋଗାଣ ବ୍ୟବସ୍ଥାର ଉନ୍ନତିକରଣ ପାଇଁ ୬ କୋଟି ଟଙ୍କା ବ୍ୟୟରେ ୪ ଲକ୍ଷ ଲିଟର କ୍ଷମତା ସଂପନ୍ନ ଗୋଟିଏ ଭୂତଳ ଜଳଭଣ୍ଡାର, ୨ଲକ୍ଷ ଲିଟର କ୍ଷମତା ସଂପନ୍ନ ଦୁଇଟି ସୁଉଚ୍ଚ ପାଣିଟାଙ୍କି, ୫ଟି ଗଭୀର ନଳକୂପ, ପମ୍ପହାଉସ ସମେତ ୫.୭ କିଲୋମିଟର ଲମ୍ବର ନୂତନ ପାଇପ ଲାଇନ ଆଦିର ନିର୍ମାଣ କରାଯିବ ବୋଲି ଜନସ୍ୱାସ୍ଥ୍ୟ ଇଞ୍ଜିନିୟରିଂ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରିଶ ଚନ୍ଦ୍ର ବଳ ସୂଚନା ଦେଇଛନ୍ତି । ୯ମାସ ମଧ୍ୟରେ ଏହି ପ୍ରକଳ୍ପର ନିର୍ମାଣ ଶେଷ ହେବ ଓ ଏହାଦ୍ୱାରା ପୌରାଞ୍ଚଳର ପ୍ରତି ଘରକୁ ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ କରାଯିବ ବୋଲି ବିଭାଗୀୟ ପିପିଲି ସହକାରୀ ଯନ୍ତ୍ରୀ ନଟବର ବିଶ୍ୱାଳ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟନିର୍ବାହୀ ଅଂଶୀଦାର (ଠିକାଦାର) ରାକେଶ କୁମାର ଖଣ୍ଡୁଆଳ, ଲକ୍ଷ୍ମଣ କୁମାର ପ୍ରଧାନ, ପିପିଲି ବ୍ଳକ ଉପାଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ବ୍ଳକ ଆତ୍ମା କମିଟିର ଅଧ୍ୟକ୍ଷ ଧରଣୀଧର ସାହୁ, ଯୁବନେତା ପ୍ରୀୟବ୍ରତ ସାମନ୍ତରାୟ, ପୂର୍ବତନ ପୌରାଧ୍ୟକ୍ଷ ସେକ୍‍ ବାବୁ, ପୂର୍ବତନ କାଉନସିଲର ଚନ୍ଦନ ସେଠୀ, ବରିଷ୍ଠନେତା ଶରତ କୁମାର ବାରିକ, ପୂର୍ବତନ କାଉନସିଲର ଗନ୍ଧର୍ବ ପରିଡା, ଗନ୍ଧର୍ବ ପ୍ରଧାନ, ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, ଯୁବ ସମାଜସେବୀ ତ୍ରିନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.