ପିପିଲି : ଆସନ୍ତା ୨୪ ତାରିଖରେ ହେବାକୁ ଯାଉଥିବା ପିପିଲି ଏନ୍ଏସି ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସାହିବସ୍ତିରେ ଭୋଟ୍ ପ୍ରଚାର ସେତିକି ସରଗରମ ହେବାରେ ଲାଗିଛି । ଘରକୁ ଘର ବୁଲି ପ୍ରାର୍ଥୀ ଓ ନେତାମାନେ ଭୋଟ୍ ପ୍ରଚାର ଚଳାଇଥିବା ବେଳେ ସାମାଜିକ ଗଣମାଧ୍ୟମରେ ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଚଳାଇଛନ୍ତି । ଏପରିକି ଡାକବାଜି ଯନ୍ତ୍ରରେ ବିଭିନ୍ନ ଗୀତ ମାଧ୍ୟମରେ ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି । ପିପିଲି ଏନ୍ଏସିର ୧୬ଟି ଯାକ ୱାର୍ଡରେ ନିର୍ବାଚନ ପ୍ରଚାର ଏବେ ଜୋର୍ ଧରିଥିବା ବେଳେ ସାହିବସ୍ତିରେ ଡାକବାଜି ଯନ୍ତ୍ର ପ୍ରଚାରକୁ ନେଇ କେଉଁଠି ଲୋକେ ଖୁସି ହେଉଛନ୍ତି ତ’ କେଉଁଠି ଉଚ୍ଚ ଶବ୍ଦରେ ଲୋକେ ବିରକ୍ତ ହେଉଛନ୍ତି। ଅନେକ ସମୟରେ ଗୋଟିଏ ସ୍ଥାନରେ ଏକାଧିକ ପ୍ରାର୍ଥୀଙ୍କର ଡାକବାଜି ଯନ୍ତ୍ର ପ୍ରଚାର ଗାଡି ଏକାଠି ହୋଇ ଯାଉଥିବାରୁ ଲୋକେ ଅତିଷ୍ଠ ହୋଇପଡୁଛନ୍ତି।
ପିପିଲି ଏନ୍ଏସିର ଅଧ୍ୟକ୍ଷ ଆସନରେ ୫ଜଣ ପ୍ରାର୍ଥୀ ଓ ୧୬ଟି କାଉନ୍ସିଲର ଆସନରେ ୫୧ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଅନୁସୂଚିତ ଜନଜାତିର ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ୧୪ନଂ ୱାର୍ଡର କାଉନ୍ସିଲର ଆସନରେ ବିଜେଡିର ଲିଲିତା ପାତ୍ର ଅପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ହୋଇଥିବା ବେଳେ ସେଠାରେ କାଉନ୍ସିଲର ଆସନରେ ନିର୍ବାଚନ କରାଯିବ ନାହିଁ ବୋଲି ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଅନ୍ୟ ୧୫ଟି କାଉନ୍ସିଲର ଆସନ ସମେତ ଅଧ୍ୟକ୍ଷ ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଓ ସ୍ୱାଧିନ ପ୍ରାର୍ଥୀମାନେ ଏବେ ଭୋଟରଙ୍କ ନିକଟତର ହେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ପ୍ରତ୍ୟେକ ୱାର୍ଡ ଓ ସାହି ବସ୍ତିରେ ଏବେ ଭୋଜିର ଆସର ବେଶ୍ ଜମିବାରେ ଲାଗିଛି। କାନ୍ଥ ବାଡ ଠାରୁ ଆରମ୍ଭ କରି ବିଦ୍ୟୁତ ଖୁଣ୍ଟରେ ପ୍ରଚାର ପତ୍ର ଲାଗିବା ସହ ସାହିବସ୍ତିର ରାସ୍ତାରେ ମାଳ ମାଳ ପ୍ରଚାର ପତାକା ଝୁଲୁଛି । ବିଭିନ୍ନ ରାଜନୈତିକ ଦଳର ନିର୍ବାଚନମଣ୍ଡଳୀସ୍ତରୀୟ ନେତାମାନେ ଏବେଠାରୁ ଏନ୍ଏସିରେ ଡେରା ପକାଇବା ଆରମ୍ଭ କଲେଣି। ପ୍ରାର୍ଥୀଙ୍କ ସହ ଦଳର ତୁଙ୍ଗନେତାମାନେ ଘରକୁ ଘର ବୁଲି ପୁସିଂ କାର୍ଡ ମାଧ୍ୟମରେ ପ୍ରଚାର ଚଳାଇଛନ୍ତି। ‘ହାତି ନେ, ଘୋଡା ନେ- ମୋ ପେଁକାଳି ବଜାଇଦେ’ ନ୍ୟାୟରେ ଭୋଟ ହାତେଇବା ପାଇଁ ନେତାମାନେ ଭୋଟରଙ୍କୁ ପ୍ରତିଶୃତିରେ ପୋତି ପକାଉଛନ୍ତି। ଏପରିକି ଡାକବାଜି ଯନ୍ତ୍ରରେ ପ୍ରଚାର ଗୀତ ମାଧ୍ୟମରେ ପ୍ରାର୍ଥୀମାନେ ବିଭିନ୍ନ ପ୍ରକାର ନିର୍ବାଚନୀ ପ୍ରତିଶୃତି ମଧ୍ୟ ଦେଉଛନ୍ତି । ବଜାରଘାଟ ଠାରୁ ଆରମ୍ଭ କରି ଚା’ଖଟି, କ୍ଲବଘର, ଖେଳପଡିଆ, ସାପ୍ତାହିକ ହାଟ ଓ ଖଟିରେ ଏବେ କେବଳ ରାଜନିତୀ ଚର୍ଚ୍ଚା । ଭୋଟରମାନେ କାହାକୁ ନଗରପାଳ ଓ କାଉନସିଲର ଭାବେ ଚୟନ କରିବେ ସେନେଇ ସରଗରମ ଚର୍ଚ୍ଚା ଚାଲିଛି।
ପିପିଲି ଏନ୍ଏସି ଅଧ୍ୟକ୍ଷ ଆସନରେ କଂଗ୍ରେସ ଦଳରୁ ଗୁଣନିଧି ପ୍ରଧାନ, ବିଜେଡିରୁ ସେକ୍ ବାବୁ, ଭାଜପାରୁ ସୁକାନ୍ତ ଭଟ୍ଟ, ଆମ୍ ଆଦମୀ ପାର୍ଟିରୁ ବାଦଲ ଖାନ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ଭାଜପାର ଅସନ୍ତୁଷ୍ଟ ଯୁବନେତା ଦେବାଶିଷ ଦିକ୍ଷୀତ ନିର୍ବାଚନ ରଣାଙ୍ଗନରେ ପ୍ରତିଦ୍ୱନ୍ଦତା କରୁଛନ୍ତି। ତେବେ ଏଥର ପୌରାଧ୍ୟକ୍ଷ ନିର୍ବାଚନରେ ତ୍ରିମୁଖି ଲଢେଇ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି । ବିଶେଷ କରି ବିଜେଡି, ବିଜେପି ଓ କଂଗ୍ରେସ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ଚାଲିଥିବା ସୂଚନା ମିଳିଛି।


କଂଗ୍ରେସର ଦୁର୍ଗ କୁହାଯାଉଥିବା ପିପିଲି ଏନ୍ଏସିକୁ ପ୍ରଥମଥର କରି ୨୦୦୮ ମସିହାରେ ବିଜେଡି ଦଖଲ କରିବାରେ ସକ୍ଷମ ହୋଇଥିଲା। ସେତେବେଳେ ବିଜେଡିର ସେକ୍ ବାବୁ ପୌରାଧ୍ୟକ୍ଷ ହୋଇଥିଲେ। ଚଳିତ ନିର୍ବାଚନରେ ଅଧ୍ୟକ୍ଷ ଆସନରେ ବିଜୁ ଜନତା ଦଳର ପ୍ରାର୍ଥୀଭାବେ ସେକ୍ ବାବୁ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ତାଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଓ ରାଜ୍ୟ ବିଜେଡି ସଂପାଦକ ଯୁବନେତା ପ୍ରୀୟବ୍ରତ ସାମନ୍ତରାୟ। ଦଳର ସମସ୍ତ କାଉନସିଲର ଓ ନଗରପାଳ ପ୍ରାର୍ଥୀଙ୍କୁ ଜିତାଇବା ଲକ୍ଷ୍ୟରେ ଶ୍ରୀମହାରଥୀ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି। ଦଳୀୟ ପ୍ରାର୍ଥୀଙ୍କୁ ସାଙ୍ଗରେ ଧରି ରାଲିରେ ବିଭିନ୍ନ ୱାର୍ଡରେ ଭୋଟ୍ ପ୍ରଚାର କରିବା ସହ ଘରକୁ ଘର ବୁଲି ସିଧାସଳଖ ଭୋଟରଙ୍କ ସହ ମିଶୁଛନ୍ତି । ପିପିଲି ପୌରାଞ୍ଚଳରେ ସାମଗ୍ରିକ ବିକାଶର ଧାରାକୁ ବଜାୟ ରଖିବା ନିମନ୍ତେ ବିଜେଡି କାଉନସିଲର ଓ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରୁଦ୍ର ଓ ପ୍ରୀୟବ୍ରତ ଘରକୁ ଘର ବୁଲି ଭୋଟରଙ୍କୁ ଅନୁରୋଧ କରୁଛନ୍ତି। ବିଧାୟକଙ୍କ ଧର୍ମପତ୍ନୀ ଜାଗୃତି ମଧ୍ୟ ବିଜେଡି ଦଳର କାଉନ୍ସିଲର ପ୍ରାର୍ଥୀ ଓ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କ ପାଇଁ ପ୍ରଚାରର ମଙ୍ଗ ସମ୍ଭାଳିଛନ୍ତି। ସେ ବିଭିନ୍ନ ୱାର୍ଡରେ ଘରକୁ ଘର ବୁଲି ଭୋଟ୍ ପ୍ରଚାର ଚଳାଇଥିବା ବେଳେ ତାଙ୍କ ନମ୍ର ବ୍ୟବହାର ଓ ପ୍ରଚାରଶୈଳୀ ବିଶେଷ ଭାବେ ମହିଳା ଓ ଯୁବଗୋଷ୍ଠୀର ଭୋଟରଙ୍କୁ ଅଧିକ ପ୍ରଭାବିତ କରୁଥିବା ସୂଚନା ମିଳିଛି। ଗତ ପଞ୍ଚାୟତ ନିର୍ବାଚନରେ ଜାଗୃତିଙ୍କ ଦମଦାର ପ୍ରଚାର ଦଳକୁ ଅଧିକ ସଫଳତା ଦେଇଥିଲା।
ସେହିପରି ଭାରତୀୟ ଜନତା ପାର୍ଟି (ଭାଜପା)ରୁ ଅଧ୍ୟକ୍ଷ ଆସନ ନିମନ୍ତେ ପ୍ରାର୍ଥୀ ହୋଇଥିବା ସୁକାନ୍ତ ଭଟ୍ଟ ଜଣେ ଟାଣୁଆ ନେତା ହୋଇଥିବା ବେଳେ ସେ ୨୦୧୩ ମସିହାରେ କଂଗ୍ରେସ ଦଳର କାଉନ୍ସିଲର ପ୍ରାର୍ଥୀ ଭାବେ ବିଜୟୀ ହୋଇ ପିପିଲି ଏନ୍ଏସିରେ ଉପାଧ୍ୟକ୍ଷ ରହିଥିଲେ। ପରେ ସେ ଓ ତାଙ୍କ ସହଯୋଗୀମାନେ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣି ଚର୍ଚ୍ଚାକୁ ଆସିଥିଲେ। ସେ ଏବେ ଭାଜପାରୁ ଟିକେଟ ପାଇ ନିର୍ବାଚନ ଲଢୁଥିବା ବେଳେ ପିପିଲି ଏନଏସିକୁ ଦୁର୍ନିତୀ ମୁକ୍ତ କରିବା ସହ ପୌରାଞ୍ଚଳର ସର୍ବାଙ୍ଗୀନ ଉନ୍ନତିର ପ୍ରତିଶୃତି ଦେଇ ଭୋଟ୍ ପ୍ରଚାର ଚଳାଇଛନ୍ତି। ତାଙ୍କ ସହ ବିଜେପିର ଜିଲା ସଭାପତି ଆଶ୍ରୀତ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରର ମଙ୍ଗ ଧରି ଘରକୁ ଘର ବୁଲି ଭୋଟ୍ ପ୍ରଚାରକୁ ଅଧିକ ଜୋରଦାର କରିଛନ୍ତି।

ତେବେ ସବୁଠାରୁ ଚର୍ଚ୍ଚାରେ ଅଛନ୍ତି କଂଗ୍ରେସ ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଗୁଣନିଧି ପ୍ରଧାନ। ଜଣେ ସଫଳ ବ୍ୟବସାୟୀ ଓ ମୁରବୀ ଭାବେ ସମଗ୍ର ନିର୍ବାଚନମଣ୍ଡଳୀରେ ପରିଚିତ ଥିବା ଗୁଣନିଧି ଯଦିଓ ୪୦ବର୍ଷ ଧରି କଂଗ୍ରେସ ଦଳରେ ଅଛନ୍ତି କିନ୍ତୁ ପ୍ରତ୍ୟକ୍ଷ ରାଜନିତୀ ସହିତ ସେ ନୂଆ ହୋଇଥିବା ସୂଚନା ମିଳିଛି। ଜଣେ ଭଦ୍ର ଓ ପରୋପକାରୀ ବ୍ୟକ୍ତି ଭାବେ ଜଣାଶୁଣା ଗୁଣନିଧି ଏବେ ପୌର ଭୋଟରଙ୍କ ସହ ଗତ କିଛି ମାସ ହେଲା ଯୋଡି ହୋଇଛନ୍ତି । ଏକ ଦୁର୍ନିତୀମୁକ୍ତ ପୌରାଞ୍ଚଳ ଗଢିତୋଳିବା ଦିଗରେ ନୂଆ ମୁହଁକୁ ସୁଯୋଗ ଦେବା ପାଇଁ ସେ ଭୋଟରଙ୍କୁ କହିବା ସହ ନିଜ ସପକ୍ଷରେ ଜନମତ ଟାଣିବାକୁ ଚେଷ୍ଟା ଜାରି ରଖିଛନ୍ତି । ଗୁଣନିଧିଙ୍କ ପ୍ରତି ଶିକ୍ଷିତ, ବୟସ୍କ, ବୁଦ୍ଧିଜୀବୀଙ୍କ ସମର୍ଥନ ବୃଦ୍ଧି ପାଉଥିବା ବେଳେ ସେ ଏହି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେବେ ବୋଲି ଆଲୋଚନା ଚାଲିଛି। ତାଙ୍କ ପାଇଁ ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର, ବରିଷ୍ଠ ଯୁବନେତା ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପ୍ରମୁଖ ପ୍ରଚାର ଚଳାଇଛନ୍ତି। ଗୁଣନିଧିଙ୍କ ନିଷ୍କଳଙ୍କ ଚରିତ୍ର ଓ ମେଳାପି ବ୍ୟବହାର ପାଇଁ ଏଥର ଅଞ୍ଚଳବାସୀ କଂଗ୍ରେସକୁ ସୁଯୋଗ ଦେବେ ବୋଲି ଦଳ ଆଶାବାଦୀ ଅଛି।



