www.samajalive.in
Friday, December 5, 2025
17.1 C
Bhubaneswar

ପିପିଲିରେ ଗଣେଶ ଭସାଣି ଉତ୍ସବ

ପିପିଲି: ପିପିଲି ପୌରାଞ୍ଚଳର ୧୪ଟି ପୂଜାମଣ୍ଡପର ସମୁହ ଗଣେଶ ମୂର୍ତ୍ତି ଭସାଣି ଶୋଭାଯାତ୍ରା ରବିବାର ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ବାଦ୍ୟ ଓ ନୃତ୍ୟ ଏହି ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଥିବା ବେଳେ ଏହାକୁ ଦେଖିବା ପାଇଁ ୧୦ହଜାରରୁ ଉର୍ଦ୍ଧ ଜନସମାଗମ ହୋଇଥିଲା। ପିପିଲି ବଜାର ବ୍ୟବସାୟୀ ସଂଘର ଉଦ୍ୟମକ୍ରମେ ଓ ପିପିଲି ପୁଲିସର ସହଯୋଗରେ ଦ୍ୱିତୀୟଥର ପାଇଁ ପିପିଲିରେ ସମୁହ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପିପିଲି ପୌରାଞ୍ଚଳର ସାଇରାମ କ୍ଲବ- କଲେଜଛକ, ବାଜିରାଉତ କ୍ଲବ-ଦରଡା, ପିପିଲି ବଜାର ବ୍ୟବସାୟୀ ସଂଘ, ଏମ୍ଡିଡି ସ୍ପୋଟିଂ-ଦରଜିସାହି, ରୟାଲ କ୍ଲବ-କଲେଜଛକ, ଧନେଶ୍ୱରୀ କ୍ଲବ-ପିପିଲିଶାସନ, ରୟାଲ କ୍ଲବ-ସିଂହିସାହି, ମହାରାଜା କ୍ଲବ-ମଢିଆଳି, ଗରୁଡ କ୍ଲବ- ଭବାନୀପୁର, ଗଣପତି କ୍ଲବ- ସମଲପୁର, ମା’ମଙ୍ଗଳା କ୍ଲବ-ପଣ୍ଡାବଜାର, ଧନେଶ୍ୱରୀ କ୍ଲବ- କଲେଜରୋଡ୍, ବିଶ୍ୱକର୍ମା କ୍ଲବ-ମହାରଣାସାହି ଓ ଦରଜୀସାହିର ଅନ୍ୟଏକ ଯୁବସଂଗଠନର ମେଢ ଏହି ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ପିପିଲି ହନୁମାନମନ୍ଦିର ଛକ ଠାରୁ ଅପରାହ୍ନ ୬ଟାରେ ଭସାଣି ଶୋଭାଯାତ୍ରା ବାହାରିଥିଲା। ଗୋଟିଏ ପରେ ଗୋଟିଏ କରି ସମସ୍ତ ୧୪ଟି ପୂଜା ମଣ୍ଡପର ମେଢ ଲମ୍ବା ଧାଡିରେ ପିପିଲି ବଜାର ପରିକ୍ରମା କରିଥିଲେ। ପ୍ରତ୍ୟେକ ପୂଜା ମଣ୍ଡପ ପକ୍ଷରୁ ପୃଥକ ପୃଥକ ବାଜା, ଲାଇଟ୍ ଆଦିର ବ୍ୟବସ୍ଥା କରାଯାଇଥିଲା। କଳଘୋଡା ନୃତ୍ୟ, ବାଘ-ବାଘୁଣୀ ନୃତ୍ୟ, ସମ୍ବଲପୁରୀ ଓ ପଞ୍ଜାବୀ ନୃତ୍ୟ, ଚଢେୟା ନୃତ୍ୟ, ପାଇକ ନୃତ୍ୟ, କଣ୍ଢେଇ ନାଚ, ଘଣ୍ଟୁଆ ନୃତ୍ୟ, ବାନାଟି ଖେଳ, ସିଂହବାଜା, ଢୋଲବାଜା, ପଞ୍ଜାବୀ ବାଜା, ମହୁରୀ ଆଦିରେ ପରିବେଶ ପ୍ରକମ୍ପିତ ହୋଇଥିଲା।

- Advertisement -

ପ୍ରାୟ ଦେଢ କିଲୋମିଟର ପର୍ୟ୍ୟନ୍ତ ଏହି ଶୋଭାଯାତ୍ରା ଲମ୍ବିଥିଲା। ବର୍ଷା ସତ୍ତ୍ବେ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ରାସ୍ତାର ଉଭୟ ପାର୍ଶ୍ବରେ ଠିଆହୋଇ ଏହି ଶୋଭାଯାତ୍ରାକୁ ମନଭରି ଉପଭୋଗ କରିଥିଲେ। ଏହି ଅବସରରେ ପିପିଲି ପୁଲିସ ପକ୍ଷରୁ ଆଇଆଇସି ଶରତ କୁମାର ସାହୁ ସମସ୍ତ ପୂଜାମଣ୍ଡପର ସଭାପତି ଓ ସଂପାଦକଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ପିପିଲି ଚାନ୍ଦୁଆ ବଜାର, ମୁଖ୍ୟବଜାର, ଥାନାଛକ ଦେଇ ମେଢ ଗୁଡିକ ହାଟଛକ ଠାରେ ପହଞ୍ଚିବା ପରେ ସେଠାରୁ ୫ଟି ମେଢ କଲେଜରୋଡରେ ଯାଇ ଜାଆଁଳାଶଙ୍ଖ ଠାରେ ମୂର୍ତ୍ତି ବିସର୍ଜ୍ଜନ କରିଥିଲେ। ଅନ୍ୟ ମେଢ ଗୁଡିକ ହାଟଛକ ଠାରୁ ମିଶନଛକ ପର୍ୟ୍ୟନ୍ତ ଆସି ସେଠାରୁ ପୁନର୍ବାର ପିପିଲି ବଜାର ଦେଇ ପଛକୁ ଫେରିଥିଲେ। ସେଗୁଡିକ ହରିପୁର ସ୍ଥିତ ଭାର୍ଗବୀ ନଦୀ, ଦରଜୀସାହି ସ୍ଥିତ ପୋଖରୀ ଓ ଶିଶୁ ଉଦ୍ୟାନ ଛକ ଠାରେ କେନାଲରେ ମୂର୍ତ୍ତି ବିସର୍ଜ୍ଜନ କରିଥିଲେ। ଏହି ଶୋଭାଯାତ୍ରା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ନିୟନ୍ତ୍ରଣ ଶାନ୍ତିଶୃଙ୍ଖଳାର ସହ ଭସାଣି ଶୋଭାଯାତ୍ରା ସଂପନ୍ନ ହୋଇଥିବାରୁ ଏଥିପାଇଁ ସମସ୍ତଙ୍କୁ ପିପିଲି ବଜାର ବ୍ୟବସାୟୀ ସଂଘ ପକ୍ଷରୁ କୃତଜ୍ଞତା ଅର୍ପଣ କରାଯାଇଛି। ଏହି ଭସାଣି ଶୋଭାଯାତ୍ରାରେ ଶ୍ରେଷ୍ଠ ଓ ଶୃଙ୍ଖଳିତ ମେଢ ବିସର୍ଜ୍ଜନ ଶୋଭାଯାତ୍ରାକାରୀଙ୍କୁ ପୁଲିସ ପକ୍ଷରୁ ସମୀକ୍ଷା ବୈଠକରେ ପୁରଷ୍କୃତ କରାଯିବ ବୋଲି ଆଇଆଇସି ଶ୍ରୀସାହୁ ଘୋଷଣା କରିଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories