ପ୍ରଭାକର ରଥ ମେମୋରିଆଲ ଟି-୨୦ କ୍ରିକେଟ୍‌‌; ବିହାରୀଲାଲ ଲାୟନ୍ସ ଚମ୍ପିୟାନ

ପିପିଲି: ଅଗ୍ରଣୀ କ୍ରୀଡ଼ା ଅନୁଷ୍ଠାନ ‘ଏଭର ଗ୍ରୀନ ଆଣ୍ଡ ବିହାରୀଲାଲ’ ପକ୍ଷରୁ ପିପିଲି ବ୍ଲକ ଅନ୍ତର୍ଗତ ସାତଶଙ୍ଖ ସ୍ଥିତ ଉତ୍ତରାୟଣୀ ଖେଳପଡ଼ିଆଠାରେ ଚାଲିଥିବା ରାଜ୍ୟସ୍ତରୀୟ ପ୍ରଥମ ପ୍ରଭାକର ରଥ ମେମୋରିଆଲ ଟି-୨୦ ଡ୍ୟୁଜ୍‌‌ ବଲ୍‌‌ କ୍ରିକେଟ୍‌‌ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇଛି ବିହାରୀଲାଲ ଲାୟନ୍ସ। ଭୁବନେଶ୍ୱରର ୟଙ୍ଗ ଭେଟେରାନ୍‌‌ କ୍ରିକେଟ୍‌‌ ଟିମ୍‌‌କୁ ୨୪ ରନ୍‌‌ରେ ପରାସ୍ତ କରି ବିହାରୀଲାଲ ଲାୟନ୍ସ ଦଳ ଚମ୍ପିୟାନ ହୋଇଛି।

ବିହାରୀଲାଲ ଲାୟନ୍ସ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‌‌ ବିନିୟମରେ ୧୬୭ ରନ୍‌‌ ସଂଗ୍ରହ କରିଥିଲା। ଦଳର ରାକେଶ ମହାନ୍ତି ସର୍ବାଧିକ ୫୩ ରନ୍‌‌ ଓ ଦେବରାଜ କର ୪୫ ରନ୍‌‌ ସଂଗ୍ରହ କରିଥିବା ବେଳେ ୟଙ୍ଗ ଭେଟେରାନ୍‌‌ ଦଳର ବୋଲର ଆର୍‌‌. ରାଉତ ଓ ଗୌତମ ସ୍ୱାଇଁ ସର୍ବାଧିକ ୩ଟି ଲେଖାଏଁ ୱିକେଟ୍‌‌ ନେଇଥିଲେ। ଏହାର ଜବାବରେ ୟଙ୍ଗ ଭେଟେରାନ୍‌‌ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌‌ ବିନିମୟରେ ୧୪୩ ରନ୍‌‌ ସଂଗ୍ରହ କରିପାରିଥିଲେ। ଦଳ ପକ୍ଷରୁ ଆର୍‌‌. ରାଉତ ସର୍ବାଧିକ ୪୫ ରନ୍‌‌, ଆର୍‌‌.ଆର୍‌‌ ଦାଶ ୩୫ ରନ୍‌‌, ଆର୍‌‌. ନାୟକ ୨୨ ରନ୍‌‌ ଓ ଏ.ନାୟକ ୨୦ ରନ୍‌‌ ସଂଗ୍ରହ କରିଥିଲେ। ବିହାରୀଲାଳ ଲାୟନ୍ସ ଦଳର ବୋଲର ସୁକାନ୍ତ ହାତି ଓ ଦେବାଶିଷ ବାରିକ ସର୍ବାଧିକ ୨ଟି ଲେଖାଏଁ ୱିକେଟ୍‌‌ ହାସଲ କରିଥିବା ବେଳେ ଦିପକ ମଙ୍ଗରାଜ, ଦିବ୍ୟ ପଣ୍ଡା ଓ ରାକେଶ ମହାନ୍ତି ଗୋଟିଏ ଲେଖାଏଁ ୱିକେଟ୍‌‌ ନେବାରେ ସକ୍ଷମ ହୋଇଥିଲେ। ସତ୍ୟସାଗର ଦାଶ ଓ ପ୍ରଶାନ୍ତ ଶତପଥୀ ଅମ୍ପାୟର ଭାବେ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ।

prayash

ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ବରିଷ୍ଠ ସମାଜସେବୀ ନଗେନ୍ଦ୍ର ମହାନ୍ତି, ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ସରପଞ୍ଚ ଅକ୍ଷୟ କୁମାର ବେହେରା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ଯୁବ ସଂଗଠକ ରଶ୍ମିରଞ୍ଜନ ଭଟ୍ଟ ପ୍ରମୁଖ ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ। ରାକେଶ ମହାନ୍ତିଙ୍କୁ ମ୍ୟାନ୍‌‌ ଅଫ୍‌‌ ଦି ମ୍ୟାଚ୍‌‌, ପବିତ୍ର ବରାଳଙ୍କୁ ମ୍ୟାନ୍‌‌ ଅଫ୍‌‌ ଦି ସିରିଜ୍ ଓ ଗୌତମ ସ୍ୱାଇଁଙ୍କୁ ଶ୍ରେଷ୍ଠ ବୋଲର ଭାବେ ପୁରସ୍କୃତ କରାଯାଇଥିଲା।

ଏହି ଅବସରରେ ଅନୁଷ୍ଠିତ ଏକ ପ୍ରଦର୍ଶନୀ ମ୍ୟାଚ୍‌‌ରେ ପିପିଲିର ରୁଦ୍ର ପ୍ରତାପ ମହାରଥୀ କ୍ରିକେଟ୍‌‌ ଟିମ୍‌‌ ପିପିଲିର ମିଡିଆ ଏକାଦଶକୁ ୧୦ ୱିକେଟ୍‌‌ରେ ହରାଇଥିଲା। ଟସ୍‌‌ ଜିଣି ମିଡିଆ ଏକାଦଶ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୫ ଓଭରରେ ୩ ୱିକେଟ୍‌‌ ବିନିମୟରେ ୨୩ ରନ୍‌‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଦ୍ୱିତିକୃଷ୍ଣ ପଟ୍ଟନାୟକ ୮, ପ୍ରଦ୍ୟୁମ୍ନ ସୁବୁଦ୍ଧି ୮ ଓ ସନ୍ତୋଷ ପ୍ରଧାନ ୫ ରନ୍‌‌ ସଂଗ୍ରହ କରିଥିଲେ। ଏହାର ଜବାବରେ ରୁଦ୍ର ପ୍ରତାପ ମହାରଥୀ କ୍ରିକେଟ୍‌‌ ଟିମ୍‌‌ ମାତ୍ର ୩ ଓଭରରେ ୨୪ ରନ୍‌‌ କରି ବିଜୟୀ ହୋଇଥିଲେ। ଦଳ ପକ୍ଷରୁ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ୧୦ ରନ୍‌‌ ଓ ଅମିତ କୁମାର ୧୩ ରନ୍‌‌ କରିଥିଲେ। ଏହି ମ୍ୟାଚ୍‌‌ଟି ବେଶ୍‌‌ ଉପଭୋଗ୍ୟ ହୋଇଥିଲା।

Comments are closed.