www.samajalive.in
Saturday, December 6, 2025
16.1 C
Bhubaneswar

ପିପିଲିରେ ଚିନ୍ତା ବଢାଉଛି କରୋନା: ଗାଁ ଗଣ୍ଡାରେ ବ୍ୟାପୁଛି ଜ୍ୱର, ୪୩ ଦିନରେ ୬୮୯ ସଂକ୍ରମିତ

ପିପିଲି:କରୋନାର ଦ୍ୱିତୀୟ ଲହରୀକୁ ନେଇ ସମଗ୍ର ଦେଶରେ ଆତଙ୍କ ଖେଳି ଯାଇଥିବା ବେଳେ ପିପିଲି ଅଞ୍ଚଳରେ ହୁ ହୁ ହୋଇ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ପିପିଲି ବ୍ଲକର ବିଭିନ୍ନ ପଞ୍ଚାୟତ ସମେତ ପିପିଲି ଏନ୍‍ଏସି ଅଞ୍ଚଳରୁ ଗତ ୪୩ ଦିନରେ ୬୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାଯାଇଛି। ଏମାନଙ୍କ ମଧ୍ୟରେ ୪ବର୍ଷ ଓ ୬ବର୍ଷର ଶିଶୁ ମଧ୍ୟ ଅଛନ୍ତି। ବଜାର ଠାରୁ ଆରମ୍ଭ କରି ଗାଁ ଗଣ୍ଡା ପର୍ଯ୍ୟନ୍ତ ସବୁଆଡେ ଏବେ ଜ୍ୱର, ଥଣ୍ଡା, କାଶ ଆଦି ବ୍ୟାପିଥିବା ବେଳେ ଅଧିକାଂଶ ଲୋକେ ଭୟରେ ନିଜର କୋଭିଡ୍‍ ପରୀକ୍ଷା କରାଉ ନାହାନ୍ତି। ସରକାରୀ ହିସାବ ଅନୁଯାଇ ଇତିମଧ୍ୟରେ କରୋନାରେ ପିପିଲି ବ୍ଲକ ଓ ବିଜ୍ଞାପିତ ଅଞ୍ଚଳରେ ମୋଟ୍‍ ୬ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରକୃତରେ ଏହା ଢେର ଅଧିକ ବୋଲି କୁହାଯାଉଛି। କୋଭିଡ ପରୀକ୍ଷା ନକରି ଜ୍ୱରରେ ଆକ୍ରାନ୍ତ ହୋଇ ଘରେ ରହି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ପିପିଲି ଅଞ୍ଚଳରେ ୨୦ରୁ ଅଧିକ ହେବ ବୋଲି ସୂଚନା ମିଳିଛି। ଦୈନିକ କେହି ନା କେହି ଜ୍ୱରରେ ପଡି ମୃତ୍ୟୁବରଣ କରୁଥିବା ଖବର ଆସୁଛି।

କରୋନା ସଂକ୍ରମଣର ସମସ୍ତ ଲକ୍ଷଣ ଥିବା ସତ୍ତ୍ବେ ଅଧିକାଂଶ ଲୋକେ ଏହାକୁ ଲୁଚାଇ ସ୍ଥାନୀୟ ଅଞ୍ଚଳର ଘରୋଇ ଚିକିତ୍ସାଳୟ ଓ କେତେକ କ୍ଲିନିକ୍‍ରେ ଚିକିତ୍ସିତ ହେଉଛନ୍ତି। ଏପରିକି ନିଜର କୋଭିଡ୍‍ ପରୀକ୍ଷା ନକରାଇ ବିନା ଡାକ୍ତରୀ ପରାମର୍ଶରେ ଏମାନେ ଔଷଧ ଦୋକାନରୁ ଔଷଧ ଖାଉଛନ୍ତି ଓ ସାଙ୍ଗସାଥିଙ୍କ ସହ ଖଟି କରୁଛନ୍ତି। ସଂକ୍ରମିତଙ୍କ ଘରେ ପ୍ରଶାସନ ପକ୍ଷରୁ ସୂଚନା ଲଗାଯାଉନଥିବା ବେଳେ କେତେକ ଅମାନିଆ ସଂକ୍ରମିତ ବ୍ୟକ୍ତି ଖୋଲା ବଜାର ଓ ସର୍ବସାଧାରଣ ସ୍ଥାନରେ ବୁଲୁଥିବା ମଧ୍ୟ ଅଭିଯୋଗ ହୋଇଛି । ଯାହା ଫଳରେ ଏଠାରେ ଗୋଷ୍ଠି ସଂକ୍ରମଣ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏଠାରେ କୋଭିଡ୍‍ ନିୟମକୁ କେହି ଠିକ୍‍ ଭାବେ ପାଳନ କରୁନଥିବା ବେଳେ କେତେକ ସଂକ୍ରମିତ ବ୍ୟକ୍ତି ଏଠାକାର ସରକାରୀ ଡାକ୍ତରଖାନା ଓ ବିଭିନ୍ନ କ୍ଲିନିକ୍‍କୁ ଆସି ଜ୍ୱର ପାଇଁ ଟିକା ନେଉଥିବା ଓ କ୍ଲିନିକ୍‍ରେ ଘଣ୍ଟା ଘଣ୍ଟା ରହି ସାଲାଇନ୍‍ ଠାରୁ ଆରମ୍ଭ କରି ଅମ୍ଳଜାନ ଆଦି ନେଇ ଚିକିତ୍ସିତ ହେଉଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଏଭଳି ଘଟଣା ସଂକ୍ରମଣ ବୃଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଉଛି। ପ୍ରଶାସନ ପକ୍ଷରୁ ଆବଦ୍ଧାଞ୍ଚଳ ଘୋଷଣା କରାନଯିବା ଓ ସଂକ୍ରମିତଙ୍କ ଘର କାନ୍ଥରେ ସୂଚନା ମରାନଯିବା ଦ୍ୱାରା ଏହା ଅନେକ ଅମାନିଆ ସଂକ୍ରମିତଙ୍କୁ ବେଶ୍‍ ସୁହାଉଛି। ସଂକ୍ରମିତ ବ୍ୟକ୍ତି ଓ ତାଙ୍କ ପରିବାରଲୋକେ ଖୁଲମଖୁଲା ଭାବେ ସର୍ବସାଧାରଣ ସ୍ଥାନରେ ବୁଲିବା ଓ ଖଟି କରୁଥିବା ସୂଚନା ମିଳିଛି। ଅମାନିଆଙ୍କ ଏଭଳି ଆଚରଣକୁ ନିୟନ୍ତ୍ରଣ କରାନଗଲେ କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଯଥେଷ୍ଟ ସମ୍ଭାବନା ରହିଛି।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପିପିଲିର ବିଭିନ୍ନ ସ୍ଥାନରେ ଦୈନିକ ୨ଟି ଲେଖାଏଁ ଶିବିର କରାଯାଇ ଲୋକଙ୍କ ନମୁନା ସଂଗ୍ରହ କରାଯାଇ କୋଭିଡ୍‍ ପରୀକ୍ଷା କରାଯାଉଥିବା ବେଳେ ପୁଲିସ ଓ ପ୍ରଶାସନ ପକ୍ଷରୁ ଦୈନିକ ସାମାଜିକ ଦୂରତା ଓ ତୁଣ୍ଡି ଧରପଗଡ ଚାଲିଛି। ସାମାନ୍ୟ ଲକ୍ଷଣ ଦେଖାଦେଲେ ତୁରନ୍ତ ନିଜର କୋଭିଡ୍‍ ପରୀକ୍ଷା କରାଇବାକୁ ପିପିଲି ବ୍ଲକ ପ୍ରୋଗ୍ରାମ ହେଲ୍‍ଥ ଅଫିସର (ବିପିଏଚ୍‍ଓ) ଡାକ୍ତର ବିନୟ କୁମାର ପଣ୍ଡା ସମସ୍ତଙ୍କୁ ପରାମର୍ଶ ଦେବାସହ ସଂକ୍ରମିତ ଚିହ୍ନଟ ହେଲେ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ଔଷଧ ସେବନ କରି ଗୃହ ସଙ୍ଗରୋଧରେ ରହିବାକୁ କହିଛନ୍ତି । ଏଥିସହ ସବୁବେଳେ ମୁହଁରେ ତୁଣ୍ଡି ପରିଧାନ, ହାତକୁ ନିୟମିତ ଧୋଇବା, ସାମାଜିକ ଦୂରତାକୁ ପାଳନ ଓ ବିନା କାରଣରେ ଘରୁ ବାହାରକୁ ନବାହାରିବା ଭଳି କୋଭିଡ୍‍ ନିୟମକୁ କଡାକଡି ଭାବେ ପାଳନ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories