ପିପିଲି: ଆସନ୍ତା ୩୦ ତାରିଖରେ ହେବାକୁ ଯାଉଥିବା ପିପିଲି ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି କାର୍ୟ୍ୟ ଏବେ ଆରମ୍ଭ ହୋଇଯାଇଛି। ଏହି ଉପନିର୍ବାଚନ ପାଇଁ ଆସନ୍ତା ୨୦ ତାରିଖରୁ ଭୋଟ୍ପ୍ରଚାର କରାଯିବାକୁ ନିର୍ଦ୍ଦେଶ ଥିବାବେଳେ ଏବେ ଠାରୁ ବିଭିନ୍ନ ପଞ୍ଚାୟତରେ ସାଙ୍ଗଠନିକ ବୈଠକ, ନିର୍ବାଚନୀ ପ୍ରସ୍ତୁତି ବୈଠକ ଆଦି କାର୍ୟ୍ୟକ୍ରମ ମାଧ୍ୟମରେ ପ୍ରାର୍ଥୀମାନେ ନିଜର ସଙ୍ଗଠନକୁ ମଜବୁତ୍ କରିବା କାମରେ ଲାଗିଛନ୍ତି।
ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଜୟପୁରଛକ ଠାରେ ଥିବା ପ୍ରଧାନ ମାର୍କେଟ୍ କଂପ୍ଲେକ୍ସ ଠାରେ ପିପିଲି ବ୍ଳକ ଓ ଏନ୍ଏସି କଂଗ୍ରେସ କମିଟି ପକ୍ଷରୁ ବୁଧବାର ଏକ ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପିପିଲି ବ୍ଲକ କଂଗ୍ରେସ କମିଟି ସଭାପତି ଜିତୁପ୍ରକାଶ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପିସିସିର ପୁରୀ ଜିଲା ପର୍ୟ୍ୟବେକ୍ଷକ ଦାୟିତ୍ୱରେ ଥିବା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର, ଏଆଇସିସି ସଭ୍ୟ ମାନସ ଆଚାର୍ୟ୍ୟ, ବରିଷ୍ଠନେତା ଗୁଣନିଧି ପ୍ରଧାନ, ରାଜ୍ୟ ମହିଳା କଂଗ୍ରେସ ସଂପାଦିକା ନିରୁପମା ପାତ୍ର, ମହିଳା କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର, ପିପିଲି ଏନ୍ଏସି କଂଗ୍ରେସ କମିଟିର ସଭାପତି ସେକ୍ ମେହେବୁବ, ଡେଲାଙ୍ଗ ବ୍ଳକ କଂଗ୍ରେସ କମିଟି ସଭାପତି ରବିନାରାୟଣ ଦାସ, ବରିଷ୍ଠନେତା ଗୁନଚନ୍ଦ୍ର ରଥ, ମହମ୍ମଦ ଇମତିଆଜ ପ୍ରମୁଖ ଯୋଗଦେଇ କଂଗ୍ରେସ ଦଳର ନୀତି ଓ ଆଦର୍ଶ ସଂପର୍କରେ ଆଲୋକପାତ କରିବା ସହ ଦଳକୁ ତୃଣମୂଳ ସ୍ତରରେ ଅଧିକ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଦଳ ପକ୍ଷରୁ ଆଗାମୀ ଉପନିର୍ବାଚନକୁ ପରିଚାଳନା ପାଇଁ ସେଠାରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ତେବେ ଏହି ଉପନିର୍ବାଚନରେ କଂଗ୍ରେସ ଦଳ ଭଲ ପ୍ରଦର୍ଶନ କରିବ ଓ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଶ୍ୱକେଶନଙ୍କୁ ଅଧିକ ସମର୍ଥନ ମିଳିବ ବୋଲି ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଆଶାପ୍ରକାଶ କରିଥିଲେ।



