ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅର୍ଥନୀତିର କୁ-ପରିଚାଳନା ଯୋଗୁଁ ରାଜ୍ୟ ଋଣବୋଝରୁ ଯାଇ ଋଣ ଜନ୍ତାରେ ପଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏ ନେଇ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟଠାରେ ମୁଖପାତ୍ର ପ୍ରଶାନ୍ତ ଶତପଥି ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ଆର୍ଥିକ ନୀତିର କଡ଼ା ସମାଲୋଚନା କରି କହିଛନ୍ତି ଯେ, ରାଜ୍ୟରେ ମୁଣ୍ଡ ପିଛା ଋଣ ଭାର ୨୩ ହଜାର ୭ ଶହ ୬୧ ଟଙ୍କାକୁ ବୃଦ୍ଧି ପାଇବା ରାଜ୍ୟ ଅର୍ଥନିତୀର ବିକଳ ଚିତ୍ରକୁ ସାମ୍ନାକୁ ଆଣିଛି। ବିଧାନସଭାରେ ଅର୍ଥମନ୍ତ୍ରୀଙ୍କ ସ୍ୱୀକାରୋକ୍ତି ସ୍ପଷ୍ଟ କରିଛି ଯେ, ବିଗତ ୧୦ ବର୍ଷ ଭିତରେ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୨ଗୁଣରୁ ଅଧିକ ବୃଦ୍ଧି ପାଇଛି।
ସେ କହିଛନ୍ତି, ୨୦୧୧ – ୨୦୧୨ ମସିହାରେ ଏହି ପରିମାଣ ୯ ହଜାର ୧ ଶହ ୪୪ ଟଙ୍କା ଥିବାବେଳେ ବର୍ତ୍ତମାନ ୨୦୨୧-୨୨ ମସିହାରେ -୨୩ ହଜାର ୭ ଶହ ୬୧ ଟଙ୍କାରେ ପହଂଚିଛି। ଏହା ପୂର୍ବରୁ ୨୦୧୯ ମସିହାରେ ଏହା ୧୮ ହଜାର ୨ ଶହ ୨୮ ଟଙ୍କା ଥିବାବେଳେ ୨୦୨୦ ମସିହାରେ ୨୩ ହଜାର ୫ ଶହ ୨୪ ଟଙ୍କାକୁ ବୃଦ୍ଧି ପାଇଥିଲା। ଓଡ଼ିଶାର ମୁଣ୍ଡ ପିଛା ଋଣ ଭାର କ୍ରମାଗତ ଭାବେ ବଢ଼ି ବଢ଼ି ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି।
ଶ୍ରୀ ଶତପଥି କହିଛନ୍ତି ଯେ, ପ୍ରଦେଶ କଂଗ୍ରେସ ବିକାଶଶୀଳ ଅର୍ଥନୀତିକୁ ଆଗକୁ ନେବା ପାଇଁ ଯେଉଁ ଋଣ କରିବାର ବ୍ୟବସ୍ଥା ରହିଛି ତାକୁ ବିରୋଧ କରେ ନାହିଁ। କିନ୍ତୁ ଋଣ କରିଥିବା ଅର୍ଥକୁ ସରକାର ସଠିକ୍ ମାର୍ଗରେ ବିନିଯୋଗ ନ କରି ଶସ୍ତା ଲୋକପ୍ରିୟତା ହାସଲ କରିବା ଓ ଭୋଟ ହାତେଇବା ପାଇଁ ନେଉଥିବା ପଦକ୍ଷେପକୁ ବିରୋଧ କରେ। ସରକାର ବିଭିନ୍ନ ସୁତ୍ରରୁ ଋଣ କରି ତାକୁ ପୁଞ୍ଜି ଭାବରେ ବିନିଯୋଗ କରି ରାଜ୍ୟର ଆୟବୃଦ୍ଧି ଘଟାଇବା ତଥା ଦୀର୍ଘ ମିଆଦି ସୂତ୍ରରେ ଉପାର୍ଜନକ୍ଷମ ସ୍ଥାୟୀ ସଂପତ୍ତି ସୃଷ୍ଟି କରିବା ପରିବର୍ତ୍ତେ ଋଣ ଟଙ୍କାର କୁ-ବିନିଯୋଗ ରାଜ୍ୟର ମୁଣ୍ଡ ପିଛା ଋଣଭାର ବଢ଼ାଇ ଚାଲିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ, କେନ୍ଦ୍ର ସରକାରଙ୍କ ଠାରୁ ଆଣିଥିବା ଋଣର ପରିମାଣ ଓ ଖର୍ଚ୍ଚ କରୁଥିବା ଦିଗ ଗୁଡ଼ିକ ସଂପର୍କରେ ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ ଚିତ୍ର ପ୍ରଦାନ କରିବାକୁ ଦାବି ରଖିଛନ୍ତି।



