ଆସନ୍ତାକାଲି ପ୍ରକାଶ ପାଇବ ପିପିଲି ଉପନିର୍ବାଚନ ଫଳାଫଳ, ସକାଳ ୮ରୁ ଗଣତି ହେବ ଭୋଟ

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଭୋଟ ଗଣତି ପାଇଁ ୬୨ଜଣ କର୍ମଚାରୀଙ୍କୁ ନିଯୁକ୍ତି

ପିପିଲି:ଏଥର କାହାର ହେବ ପିପିଲି। ବିଜେଡି ନିଜର ଗଡକୁ ପୂବପରି ବଜାୟ ରଖିବ ନା’ ମହାରଥୀଙ୍କ ଗଡରେ ପଦ୍ମ ଫୁଟିବ, ତାହାକୁ ସମଗ୍ର ରାଜ୍ୟବାସୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ବହୁ ପ୍ରତୀକ୍ଷିତ ପିପିଲି ଉପନିର୍ବାଚନର ଫଳାଫଳ ୩ ତାରିଖ ରବିବାର ଭୋଟ୍‍ଗଣତି ପରେ ପ୍ରକାଶ ପାଇବ। ସମସ୍ତ ୩୪୮ଟି ବୁଥ୍‍ର ଇଭିଏମ୍‍କୁ କଡା ସୁରକ୍ଷା ମଧ୍ୟରେ ପୁରୀରେ ଷ୍‍ଟ୍ରଙ୍ଗରୁମ୍‍ରେ ରଖାଯାଇଛି। ରବିବାର ସକାଳ ୮ଟାରୁ ଭୋଟ୍‍ ଗଣତି ଆରମ୍ଭ ହେବ। ସେଥିପାଇଁ ତ୍ରିସ୍ତରୀୟ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟ୍‍ ଗଣତି କରାଯିବ ଓ ସାଢେ ୮ଟା ଠାରୁ ଇଭିଏମ୍‍ ଗଣତି କରାଯିବ। ଗଣତି ପାଇଁ ୬୨ଜଣ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଥିବା ବେଳେ ଗଣତି ଟେବୁଲ୍‍ ନିକଟରେ ପ୍ରାର୍ଥୀମାନେ ନିଜେ କିମ୍ବା ସେମାନଙ୍କର ଏଜେଣ୍ଟଙ୍କୁ ରଖିବାର ବ୍ୟବସ୍ଥା ରହିଛି। ଫଳାଫଳକୁ ଗଣତି କେନ୍ଦ୍ର ବାହାରେ ଲାଗିଥିବା ବଡସ୍କ୍ରିନ୍‍ ରେ ପ୍ରଦର୍ଶିତ କରାଯିବାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ସଂନ୍ଧ୍ୟାସୁଦ୍ଧା ଭୋଟ୍‍ ଗଣତି ସରିଯିବାର ଆଶା କରାଯାଉଥିବା ବେଳେ ଭୋଟ୍‍ ଫଳାଫଳକୁ ସମଗ୍ର ଓଡିଶା ଚାହିଁ ବସିଛି। ଭୋଟ୍‍ ଗଣତି ସମୟ ଯେତିକ ପାଖେଇ ଆସୁଛି, ପ୍ରାର୍ଥୀଙ୍କ ସମେତ ରାଜନୈତିକ ନେତା ଓ କର୍ମୀଙ୍କ ହୃତସ୍ପନ୍ଦନ ସେତିକି ବଢିବାରେ ଲାଗିଛି। ନିର୍ବାଚନରେ ଏଠାକାର ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହୋଇଥିବା ବେଳେ ଉଭୟେ ବିଜୟ ହେବା ନେଇ ବେଶ୍‍ ଆଶାବାଦୀ।

ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କର ପରଲୋକ ପରେ ଖାଲି ପଡିଥିବା ଏହି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଏଥିରେ ୧୦ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ବିଜେଡିରୁ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରୀତ ପଟ୍ଟନାୟକ, କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ସିପିଆଇ(ଏମ୍‍ଏଲ୍‍)ରୁ ଅଶୋକ କୁମାର ପ୍ରଧାନ, ଅଖିଳ ଭାରତ ହିନ୍ଦୁ ମହାସଭାରୁ ଜୟପ୍ରକାଶ ସେଠୀ, କଳିଙ୍ଗ ସେନାରୁ ପିଙ୍କଲିନ୍‍ ମହାନ୍ତି, ରିପବ୍ଲିକାନ ପାର୍ଟି ଅଫ୍‍ ଇଣ୍ଡିଆରୁ ମହମ୍ମଦ ଇମ୍ମାମ୍‍ଉଦ୍ଦିନ ଓ ସ୍ୱାଧିନ ପ୍ରାର୍ଥୀଭାବେ ନଗେନ୍ଦ୍ର ନାଥ ମିଶ୍ର, ସୁଲୋଚନା ସାହୁ ଓ ସ୍ୱପ୍ନେଶ୍ୱର ନାୟକ ପ୍ରତିଦ୍ୱନ୍ଦିତା କରୁଛନ୍ତି । ପିପିଲି ନିର୍ବାଚନମଣ୍ଡଳୀର ସମସ୍ତ ୩୪୮ଟି ଭୋଟ୍‍ଗ୍ରହଣ କେନ୍ଦ୍ରରେ ମତଦାନ ଶାନ୍ତିଶୃଙ୍ଖଳାର ସହ ଗୁରୁବାର ଶେଷ ହୋଇଥିଲା। ଏଠାରେ କୋଭିଡ୍‍ମୁକ୍ତ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବାରୁ ଭୋଟରଙ୍କ ମଧ୍ୟରେ ବେଶ୍‍ ଆଗ୍ରହ ପରିଲକ୍ଷିତ ହୋଇଥିଲା ଓ ବହୁ ସଂଖ୍ୟାରେ ଭୋଟର ନିଜର ମତ ସାବ୍ୟସ୍ତ କରିଥିଲେ। ଭୋଟ୍‍ ପରେ ଇଭିଏମ୍‍ ଗୁଡିକୁ କଡା ପୁଲିସ ସୁରକ୍ଷା ମଧ୍ୟରେ ପୁରୀରେ ଷ୍ଟ୍ରଙ୍ଗରୁମ୍‍ରେ ରଖାଯାଇଛି।

Comments are closed.