ସୁସ୍ଥ ହୋଇ ଘରକୁ ଫେରିଲା ନାବାଳକ ; ପିପିଲିରେ ଆନନ୍ଦର ଲହରି

0

ପିପିଲି :ଅପ୍ରାକୃତିକ ଯୌନକ୍ରୀୟାର ଶିକାର ପାଲଟି ମୁର୍ମୁଷ ଅବସ୍ଥାରେ ଉଦ୍ଧାର ପାଇଥିବା ପିପିଲି ଅଞ୍ଚଳର ଜଣେ ୮ବର୍ଷୀୟ ନାବାଳକ ଶୁକ୍ରବାର ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛି । ଦୀର୍ଘ ଦେଢମାସ କାଳ ଭୁବନେଶ୍ୱରର ଏକ ଘରୋଇ ହସ୍‍ପିଟାଲରେ ଚିକିତ୍ସିତ ହୋଇଥିବା ଏହି ଶିଶୁପୁତ୍ରଟି ଏକ ପ୍ରକାର ଦ୍ୱିତୀୟ ଜନ୍ମପାଇ ପିପିଲିକୁ ଫେରିବା ପରେ ଅଞ୍ଚଳରେ ଆନନ୍ଦର ଲହରି ଖେଳିଯାଇଛି । ନାବାଳକକୁ ଦେଖିବା ପାଇଁ ନାହିଁନଥିବା ଭିଡ ପରିଲକ୍ଷିତ ହୋଇଥିବା ବେଳେ ଲୋକେ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ । ତାକୁ ଏକ ବାଇକ ରାଲିରେ ବିଭିନ୍ନ ସାହିବସ୍ତି ପରିକ୍ରମା କରାଯାଇଥିବା ବେଳେ ସମସ୍ତଙ୍କୁ ସେ ହାତଯୋଡି ପ୍ରଣାମ କରୁଥିବା ଓ ହାତଠାରି ବାଏ ବାଏ କରୁଥିବା ଦେଖିବାକୁ ମିଳିଥିଲା । ତାକୁ ମୃତ୍ୟୁ ମୁଖରୁ ଉଦ୍ଧାର କରି ଡାକ୍ତରଖାନାରେ ମାଗଣା ଚିକିତ୍ସାର ବ୍ୟବସ୍ଥା କରାଇଥିବା ପିପିଲି ଥାନା ଆଇଆଇସି ଶରତ କୁମାର ସାହୁଙ୍କୁ ଏଥିପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ଲମ୍ବିବାରେ ଲାଗିଛି ।
ଗତ ମାର୍ଚ୍ଚ ୨୫ ତାରିଖ ପୂର୍ବାହ୍ନରେ ଉକ୍ତ ଶିଶୁପୁତ୍ରକୁ ଜନୈକ ଅଭିଯୁକ୍ତ ଜୁମା ଖାଁ ଆମ୍ବ ଖୁଆଇବା ବାହାନାରେ ଡାକି ନେଇଥିଲା । ତାକୁ ଦିନସାରା ଏଣେ ତେଣେ ବୁଲାଇବା ପରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପାଖ ତଥା ପିପିଲି ବଜାର ଉପକଣ୍ଠ ଦରଡା ନିକଟରେ ଥିବା ଏକ ଅର୍ଦ୍ଧନିର୍ମିତ ଘରକୁ ନେଇଥିଲା । ସେଠାରେ ସେ ଶିଶୁକୁ ବଳପୂର୍ବକ ଅପ୍ରାକୃତିକ ଯୌନକ୍ରୀୟା କରିଥିଲା । ଶିଶୁଟିର ପାଟିକୁ ଚାପି ଧରି ତାସହ ଏହି ଅମାନବୀକ କାର୍ଯ୍ୟ କରି ନିଜ ଯୌନ ପିପାସା ମେଣ୍ଟାଇଥିଲା । କଷ୍ଟରେ ଛିଡା ହୋଇପାରୁନଥିବା ଶିଶୁଟି ଘରର ଝରକା ଦେଇ ବୁଦା ମଧ୍ୟକୁ ଡେଇଁ ପଡି ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲା । ତେବେ ଧରାପଡିଯିବା ଆଶଙ୍କାରେ ଜୁମା ତାର ମୁହଁ ଓ ମୁଣ୍ଡକୁ ଇଟାରେ ଛେଚି କ୍ଷତବିକ୍ଷତ କରିଦେବା ସହ ତାକୁ ବୁଦା ମଧ୍ୟରେ ଫୋପାଡି ଦେଇଥିଲା । ସେ ମରିଯାଇଥିବାର ଭାବି ଜୁମା ସେଠାରୁ ଖସି ନିଜ ଘରକୁ ପଳାଇ ଆସି ଗ୍ରାମରେ ସ୍ୱାଭାବିକ ଭାବରେ ବୁଲାବୁଲି କରିଥିଲା । ତେବେ ଶିଶୁପୁତ୍ର ନିଖୋଜ ସଂପର୍କରେ ପୁଲିସକୁ ରାତିରେ ସୂଚନା ମିଳିଥିଲା । ଆଇଆଇସି ଶ୍ରୀସାହୁ ତତ୍‍କ୍ଷଣାତ୍‍ ଅନୁସନ୍ଧାନ ଆରମ୍ଭ କରି ଦେବା ସହ ଅଭିଯୁକ୍ତ ଜୁମା ଖାଁକୁ କାବୁ କରିଥିଲେ । ଦୀର୍ଘ ସମୟ ଧରି ତାକୁ ଜେରା କରିବା ପରେ ଶେଷରେ ରାତି ସାଢେ ୧୨ଟାରେ ଉକ୍ତ ନାବାଳକକୁ ମୁର୍ମୁଷ ଅବସ୍ଥାରେ ସେ ଉଦ୍ଧାର କରିଥିଲେ । ତାକୁ ପ୍ରଥମେ ପିପିଲି ଓ ପରେ ଭୁବନେଶ୍ୱର ସ୍ଥିତ ସମ୍‍ ହସପିଟାଲ୍‍ରେ ଭର୍ତ୍ତି କରାଯାଇଥିଲା । ଆଇଆଇସି ଶ୍ରୀସାହୁ ଓ ଅଞ୍ଚଳବାସୀଙ୍କ ଅନୁରୋଧକୁ ରକ୍ଷା କରି ସମ୍‍ ହସ୍ପିଟାଲ୍‍ର ମାଲିକ ଉକ୍ତ ଶିଶୁପୁତ୍ରର ମାଗଣା ଚିକିତ୍ସା ବ୍ୟବସ୍ଥା କରାଇଥିଲେ । ତାର ଖପୁରୀରେ ଏକାଧିକ ଫାଟ ସୃଷ୍ଟି ହୋଇଥିବା ବେଳେ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିଲା । ଏକ ସ୍ୱତନ୍ତ୍ର ଡାକ୍ତରୀଦଳଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଦୀର୍ଘ ୮ଦିନ ପରେ ତାର ଚେତା ଫେରିଥିଲା ଓ ଏକମାସ ପରେ ସେ ନିଜ ବାପା-ମାଆଙ୍କୁ ଡାକିଥିଲା । ପ୍ରତ୍ୟେକ ଦିନେ ଦୁଇଦିନ ଅନ୍ତରରେ ଆଇଆଇସି ଶ୍ରୀସାହୁ ଡାକ୍ତରଖାନାକୁ ଯାଇ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହ ଚିକିତ୍ସା ବ୍ୟବସ୍ଥାର ତଦାରଖ କରୁଥିଲେ । ଆଇଆଇସିଙ୍କ ତ୍ୱରିତ ପଦକ୍ଷେପ ପାଇଁ ଶିଶୁପୁତ୍ରଟି ଦ୍ୱିତୀୟ ଜନ୍ମ ପାଇଥିବା ନେଇ ସାଧାରଣରେ ଆଲୋଚନା ଚାଲିଥିବା ବେଳେ ଏଥିପାଇଁ ତାଙ୍କୁ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ସାବାସୀ ଦେଇଛନ୍ତି । ଏପରିକି ଗତ ପିପିଲି ମହୋତ୍ସବରେ ଶ୍ରୀସାହୁଙ୍କୁ ପିପିଲି ରତ୍ନ ସମ୍ମାନରେ ସଂବର୍ଦ୍ଧିତ କରାଯାଇଥିଲା । ଆଜି ଶ୍ରୀସାହୁ ନିଜେ ହସପିଟାଲ୍‍କୁ ଯାଇ ଶିଶୁପୁତ୍ରକୁ ଆଣିବା ବେଳେ କାନ୍ଦି ପକାଇଥିବା ପରିଲକ୍ଷିତ ହୋଇଥିଲା । ମୋ ଜୀବନର ଏହା ହେଉଛି ସବୁଠାରୁ ଆନନ୍ଦର ମୁହୁର୍ତ୍ତ । ପୁଲିସ ଚାକିରୀ ଜୀବନରେ ଏହା ମୋ ପାଇଁ ସବୁଠାରୁ ବଡ ସଫଳତା ବୋଲି ଆଇଆଇସି ଶରତ କୁମାର ସାହୁ ନିଜ ପ୍ରତିକ୍ରୀୟାରେ ଲୁହ ଛଳଛଳ ଆଖିରେ ପ୍ରକାଶ କରିଛନ୍ତି ।

Leave A Reply