ଫିରିଙ୍ଗିଆରେ ଔଷଧ ବୁଡ଼ା ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ
ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଔଷଧ ବୁଡ଼ା ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ପ୍ରବୋଧ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବିଧାୟକ ଉମା ଚରଣ ମଲିକ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ବ୍ଲକ ଅଧକ୍ଷା ନମିତା କହଁର, ଜିଲ୍ଲା ପରିଷଦ ସଭ୍ୟ ନୀଳ ଗିରିଶ ଦିଗାଲ, ସଭ୍ୟା ଜୟଶ୍ରୀ କହଁର, ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ସନ୍ତୋଷ କୁମାର ପାଢ଼ୀ, ଫିରିଙ୍ଗିଆ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର ପାତ୍ର, ବରିଷ୍ଠ ବିଜେପି ନେତା ତଥା ବିଧାୟକ ପ୍ରତିନିଧି ଫୁଲବାଣୀ ପୌରାଞ୍ଚଳ ବନ ମହାନ୍ତି, ଜିଲା ମ୍ୟାଲେରିଆ ନିୟନ୍ତ୍ରଣ ଅଧିକାରୀ କୁମୁଦ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନଙ୍କ ଦ୍ଵାରା ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ପ୍ରଜ୍ବଳନ ସହ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଉପସ୍ଥିତ ଅତିଥିମାନେ ଔଷଧ ବୁଡ଼ା ମଶାରୀର ବ୍ୟବହାର ସହ କିଭଳି ଭାବରେ ମ୍ୟାଲେରିଆ ମୁକ୍ତ ହୋଇପାରିବ ସେ ନେଇ ବୁଝାଇଥିଲେ। କନ୍ଧମାଳ ଜିଲାରେ ମ୍ୟାଲେରିଆ ମାତ୍ରା ବଢ଼ୁଥିବାରୁ କାର୍ଯ୍ୟକ୍ରମରେ ଉଦବେଗ ପ୍ରକାଶ କରିବା ସହ ସମସ୍ତେ ଯତ୍ନବାନ ହେଲେ ମ୍ୟାଲେରିଆ ଦୂରୀକରଣ ହୋଇପାରିବ ବୋଲି ଜିଲା ସ୍ୱାସ୍ଥ୍ୟ ଅଧିକାରୀ ସନ୍ତୋଷ କୁମାର ପାଢ଼ୀ କହିଥିଲେ। ମଶାରୀ ଟାଣି ଖଟ ପକାଇ ଡେମୋ କରାଯାଇଥିଲା। ବିଧାୟକଙ୍କ ଅଭିଭାଷଣ ପରେ ଉପସ୍ଥିତ ଜନସାଧାରଣଙ୍କୁ ଔଷଧ ବୁଡ଼ା ମଶାରୀ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଓ ଅଞ୍ଚଳର ଜନସାଧାରଣ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଭେକ୍ଟର ବାହିତ ସୁପରଭାଇଜର ସନତ କୁମାର ମହାପାତ୍ର, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସଜନୀ ପ୍ରଧାନ, ବିପିଓ ହର ଗୋବିନ୍ଦ ଯାନୀ, ବାସନ୍ତୀ ଦିଗାଲ, ଦେବଯାନୀଙ୍କ ସହ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମକର୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ରୋଗୀ କଲ୍ୟାଣ ସମିତିକୁ ନେଇ ଅତିଥି ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମ୍ୟାଲେରିଆ ନିରାକରଣ ଓ ବିଭାଗର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା।
Comments are closed.