ଆଠଗଡ: ମହାମାରୀ କରୋନା ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶବାସୀଙ୍କୁ ସମ୍ବୋଧନ କରି ପୂରା ଦେଶକୁ ୨୧ ଦିନ ଯାଏ ଲକ ଡାଉନ କରିଛନ୍ତି। ରାଜ୍ୟ ସରକାର ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହିତ ଏହି ନିୟମ କଡ଼ାକଡ଼ି ପାଳନ କରାଯିବ ବୋଲି କହିଛନ୍ତି। ଏହା ଲକ ଡାଉନ ହୋଇଥିଲେ ହେଁ କର୍ଫ୍ୟୁ ଭଳି ନିୟମ ପାଳନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ସତର୍କ କରାଇଛନ୍ତି, ଯାହାକୁ ଦୃଢ଼ତାର ସହିତ ପାଳନ କରିଛନ୍ତି କଟକ ଜିଲା ଆଠଗଡ ବ୍ଲକ ବେଣ୍ଟପଦା ପଞ୍ଚାୟତର ମାନପୁର ଗ୍ରାମବାସୀ। ସହରରେ ଲୋକେ ଏହି ନିୟମକୁ ଅଣଦେଖା କରୁଥିବା ଦେଖିବାକୁ ମିଳୁଥିବାବେଳେ ଏହି ଗାଁ କିନ୍ତୁ ବେଶ୍ ସଚେତନ। କରୋନାର ଭୟାବହତାକୁ ଏମାନେ ଅତି ଭଲ ଭାବେ ବୁଝିପାରିଛନ୍ତି, ଯାହା ଗାଁ ଲୋକଙ୍କ କାର୍ଯ୍ୟରୁ ସ୍ପଷ୍ଟ ହୋଇଛି।
ଲକ୍ଡାଉନକୁ ଦୃଷ୍ଟିରେ ରଖି ଗ୍ରାମବାସୀ ଗାଁକୁ ପ୍ରବେଶ କରିବାର ମୁଖ୍ୟ ରାସ୍ତାକୁ ବାଉଁଶ ପକାଇ ଅବରୋଧ କରାଯାଇଛି। ଯାହାର ଜରୁରୀ କାର୍ଯ୍ୟ ନାହିଁ ଘର ବାହାରକୁ ଯିବାକୁ ବାରଣ କରାଯାଉଛି। ଯେଉଁମାନେ ବାହାରକୁ ଯାଉଛନ୍ତି ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦ୍ବରତ୍ବ ରକ୍ଷା କରିବାକୁ ଯୁବଗୋଷ୍ଠୀଙ୍କ ପକ୍ଷରୁ ସଚେତନ କରାଯାଉଛି। ଗାଁ ମଧ୍ୟରେ ପ୍ରବେଶ କରିବା ଆଗରୁ ଗାଁ ମୁଣ୍ଡରେ ଭଲଭାବରେ ହାତ ଗୋଡ ସାବୁନରେ ସଫା କରି ପ୍ରବେଶ କରିବା ପାଇଁ କୁହାଯାଉଛି। ଏବଂ ରାଜ୍ୟର ସମସ୍ତ ଗ୍ରାମବାସୀ ଏପରି କରିବାକୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି। ଏହା ପାଳନ କରିବା ଦ୍ୱାରା ଆମ ଦେଶ ନିଶ୍ଚୟ କରୋନା ଯୁଦ୍ଧରେ ବିଜୟୀ ହେବ ବୋଲି ଗ୍ରାମବାସୀ କହିଛନ୍ତି। ଆଠଗଡ ବିଧାୟକ ତଥା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମାନପୁର ଗ୍ରାମର ଏହି ସଚେତନତା କାର୍ଯ୍ୟକ୍ରମକୁ ସ୍ବାଗତ କରିବା ସହିତ ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।



