ଲାଞ୍ଚୁଆ ଆରଟିଓଙ୍କ ଅଫିସ ଆଗରେ ଖୁସିରେ ବାଜା ବଜାଇ ଓ ମିଠା ବାଣ୍ଟି ଉତ୍ସବ ପାଳିଲେ ଲୋକେ

ବୌଦ୍ଧ : ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ରଙ୍କ ଘର ସମେତ ରାଜ୍ୟର ୧୦ଟି ସ୍ଥାନରେ ଏକକାଳିନ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ନଗଦ ଟଙ୍କା ସହିତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ଜଣାପଡିଛି । ସୂଚନା ମତେ ଭୁବନେଶ୍ୱର ଭିଜିଲାନଓ ସ୍ପେଶାଲଜଜଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଭୋର ସକାଳୁ ବୌଦ୍ଧ ଆଂଚଳିକ ପରିବହନ ଅଧିକାରୀ ବସନ୍ତ ମହାପାତ୍ରଙ୍କ ବୌଦ୍ଧ ସହରସ୍ଥିତ ଜଗନ୍ନାଥ ବିହାରରେ ରହୁଥିବା ଭଡାଘର ଉପରେ ଓ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସର ଏକ ଟିମ୍‌ ଚଢଉ କରିଥିଲା । ଦିନ ତମାମ କାର୍ଯ୍ୟାଳୟ ଓ ଘରେ କାଗଜପତ୍ର ଯାଞ୍ଚ କରିବାପରେ ଭିଜିଲାନସ ଅଧିକାରୀମାନେ ଅଧିକ ତଦନ୍ତ ପାଇଁ ଆରଟିଓ ମହାପାତ୍ରଙ୍କୁ କଟକ କାର୍ଯ୍ୟାଳୟକୁ ନେଇଯାଇଥିବା ଜଣାଯାଇଛି ।

ଆରଟିଓଙ୍କ ବିରୁଦ୍ଧରେ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା । ହେଲେ ଜିଲାପ୍ରଶାସନର ଅଧିକାରୀମାନଙ୍କୁ ଖୁସ କରି ଆରଟିଓ ମହାଶୟ ଅନାୟାସରେ ନିଜର କଳା ସାମ୍ରାଜ୍ୟ ବିସ୍ତାର କରି ଚାଲିଥିଲେ । ନିଜକୁ ଜଣେ ଦକ୍ଷ ଅଧିକାରୀ ଭାବରେ ବିଭାଗ ଓ ପ୍ରଶାସନ ଆଗରେ ପ୍ରସ୍ତୁତ କରି ଭିତରେ ଭିତରେ ସେ ନିଯୁକ୍ତିଠାରୁ ଆରମ୍ଭ କରି ଗାଡିଯାଞ୍ଚ ମାମଲାରେ ପ୍ରତିଦିନ ବିପୁଳ ପରିମାଣର ଅର୍ଥ ଆଦାୟ ଜାରି ରଖିଥିଲେ । ଗାଡିମାଲିକ ଓ ସାଧାରଣଲୋକଙ୍କଠାରୁ ଆରମ୍ଭ କରି ଅନେକ ସରକାରୀ ବିଭାଗର ଅଧିକାରୀମାନେ ମଧ୍ୟ ଆରଟିଓ ମହାପାତ୍ରଙ୍କ ଦୁର୍ବ୍ୟବହାରର ଶୀକାର ହୋଇଥିଲେ ମଧ୍ୟ ଜିଲାର ମୁଖିଆଙ୍କ ଛତ୍ରଛାୟା ତଳେ ସେ ନିରଙ୍କୁଶ ଭାବରେ ନିଜର ବ୍ୟବସାୟ ଜାରି ରଖିଥିଲେ । ଜିଲାରେ ନୂଆ ଜିଲାପାଳ ଯୋଗଦେବା ପରଠାରୁ କୁଆଡେ ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀ ଗାଡି ଯାଞ୍ଚ ନାମରେ ପ୍ରାୟ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିଲେ । ଏହି ଲାଞ୍ଚୁଆ ଅଧିକାରୀଙ୍କଠାରୁ ରାଜ୍ୟ ଭିଜିଲାନସ ବିଭାଗ ଅଧିକାରୀମାନେ ବିପୁଳ ମାତ୍ରାରେ ସଂପତି ଠାବ କରିଥିବାବେଳେ ଏହି ଖବର ପ୍ରଚାରିତ ହେବାପରେ ତାଙ୍କ ଦୁର୍ବ୍ୟବହାରର ଶୀକାର ହୋଇଥିବା ଅନେକ ଗାଡିମାଲିକ,ଡ୍ରାଇଭର ଓ ସାଧାରଣଲୋକ ବାଜା ବଜାଇ ଓ ମିଠା ବାଣ୍ଟି ଆରଟିଓ ଅଫିସ ଆଗରେ ଉତ୍ସବ ପାଳନ କରିଥିବା ଦେଖାଯାଇଛି ।

ମିଳିଥିବା ସୂଚନା ମୁତବାକ ଲାଞ୍ଚୁଆ ଆରଟିଓଙ୍କ ବେନାମି ସଂପତିର ଯାଞ୍ଚ ପାଇଁ ଭୂବନେଶ୍ୱର, ଗଂଜାମ, ସମେତ ୧୦ଟି ସ୍ଥାନରେ ଏକକାଳିନ ଚଢଉ କରିଥିଲା । ବୌଦ୍ଧରେ ଭିଜିଲାନ୍ସ ଏକ ୧୦ ଜଣିଆ ଟିମ ଆସି ପ୍ରାୟ ୭ରୁ ୮ ଘଣ୍ଟା ରହି ତଲାସି କରିଥିଲା । ଚଢଉ ସମୟରେ ବହୁ ଗୁରୁତପୂର୍ଣ୍ଣ କାଗଜପତ୍ର ସହିତ ଟଙ୍କା ଜବତ କରିଥିବା ଜଣାପଡିଛି । ହେଲେ ଭିଜିଲାନ୍ସ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା । ଚଢଉ ସମୟରେ ରାଜ୍ୟ ଓ ବେଙ୍ଗୁଲୁରୁରୁ ଅନେକ ପ୍ଲଟ ଥିବା ଜଣାପଡିଥିଲା । ଏହାସହ ୩.୭୫ କୋଟିରୁ ତାଙ୍କ ଓ ତାଙ୍କ ପରିବାର ନାମରେ ବିନିଯୋଗ ହୋଇଛି । ୨୬୦ ଗ୍ରାମର ସୁନା ମିଳିଥିବାବେଳେ ଭୂବନେଶ୍ୱର ଏକ୍ସିସ ବ୍ୟାଙ୍କରେ ୨ କୋଟି ୧୧ ଲକ୍ଷ ୭୯ ଟଙ୍କା , ଆଇସିଆଇସିଆଇ ବ୍ୟାଙ୍କ ୪୪ ଲକ୍ଷ ୩୫ହଜାର ଓ ଏସବିଆଇରେ ୩୯ ଲକ୍ଷ ୫୫ ହଜାର ଟଙ୍କା ଜମା ରହିଥିବା ଜଣାପଡିଛି । ସେହିପରି ଏନଏଚଏଆଇ ରେ ୪୮ ଲକ୍ଷ ଟଙ୍କାର ବଣ୍ଡ, ମେକ୍ସଲାଇଭ ବୀମା ରେ ୩୧ ଲକ୍ଷ ୯୦ ହଜାର ବଣ୍ଡ ମିଳିଛି । ସେହିପରି ଭୂବନେଶ୍ୱରରେ ୨ ଫ୍ଲାଟ, ୨ଟି ବାଣିଜ୍ୟ ମଲ, ଭୂବନେଶ୍ୱର ଓ ବେଙ୍ଗୁଲୁରୁରେ ଦୁଇଟି ଫ୍ଲାଟ ପାଇଁ ୨ କୋଟି ୨୩ ଲକ୍ଷ ଟଙ୍କା ଆଗ୍ରୀମ ଦେଇଥିବା ଜଣାପଡିଛି । ଭଂଜନଗର ଠାରେ ଥିବା ତାଙ୍କ ପୈତୃକ ଘର, ବ୍ରହ୍ମପୁର ଠାରେ ଥିବା ସଂପର୍କିୟଘରେ, ରଙ୍ଗମାଟିଆର ହରପ୍ରିୟା ଏନକ୍ଲେଭରେ ଫ୍ଲାଟ, ଶୈଳଶ୍ରୀ ବିହାର ୱେଷ୍ଟଏଣ୍ଡ ଆପାଟମେଣ୍ଟରେ ଫ୍ଲାଟ, କଳ୍ପନା ରୟାଲ ରେସିଡେନ୍ସିରେ ଥ୍ରୀ ବିଏଚକେ ଫ୍ଲାଟ, କଳାରାହାଙ୍ଗ ଜେଡ ୧ ଇଷ୍ଟେଟରେ ଫ୍ଲାଟ, ଉତ୍କଳ କନିକା ଗେଲେରିଆରେ ଦୁଇଟି କମରସିଆଲ ସପିଙ୍କ କଂପ୍ଲେକ୍ସ ଆଦି ଠାବ କରିଛି ଭିଜିଲାନ୍ସ ବିଭାଗ ।

Comments are closed.