ପାତ୍ରପୁର: ଆଦିବାସୀ ଗାଁରେ ଜଳକଷ୍ଟ ଯୋଗୁଁ ଦୂରକୁ ଯାଇ କୋରଡ ପାଣି ସଂଗ୍ରହ ନେଇ ଖବର ପ୍ରଶାସନ ନିକଟରେ ନଥିଲା। ସମାଜରେ ଖବର ପ୍ରକାଶ ପରେ ପ୍ରଶାସନ ପହଞ୍ଚି ପନ୍ଦର ଗୋଟି ନଳ କୂଅ ଖୋଲି ତିନିମାସ ପର୍ଯ୍ୟନ୍ତ ମୁଣ୍ଡ ନବସାଇ ପାସୋରି ଦେଇଥିଲା। ପୁଣି ଏନେଇ ଖବର ପ୍ରକାଶ ପରେ ସମସ୍ତ ଗ୍ରାମରେ ନଳ କୂଅ ମୁଣ୍ଡ ବସାଇଥିବା ଜଣାଯାଇଛି। ପାହାଡ଼ ପର୍ବତ ଘେରା ଆନ୍ଧ୍ର ପ୍ରଦେଶ ସୀମାନ୍ତରେ ଥିବା କେତେକ ଆଦିବାସୀ ଗ୍ରାମରେ ଜଳକଷ୍ଟ ଦେଖା ଦେଇ ଥିଲା। ସେହି ଅଞ୍ଚଳରେ ଥିବା ଡାବୁଥଳି ଗ୍ରାମର ଲୋକମାନେ ପାନୀୟ ଜଳ ସଂଗ୍ରହ ପାଇଁ ଦେଢ଼ କିଲୋମିଟର ଦୂର ଯାଇ ମହେନ୍ଦ୍ରତନାୟ। ନଦୀ ଶଯ୍ୟାର ପଥର କୋରାଡ଼ରୁ ପାଣି ସଂଗ୍ରହ କରୁଥିଲେ।
ଏହି ଖବର ଗତ ଏପ୍ରିଲ ୧୮ତାରିଖରେ ସମାଜରେ ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଡାବୁଥଳି ସମେତ ସାତଟି ଆଦିବାସୀ ଗ୍ରାମରେ ଏକାସାଙ୍ଗରେ ପନ୍ଦର ଗୋଟି ନଳକୁଅ ଖୋଲି ଥିଲେ। ତେବେ ତିନିମାସ ବିତି ଯିବା ପରେ ମଧ୍ୟ ନଳ କୂଅ ମୁଣ୍ଡ ବସାଯାଇ ନଥିବା ଯୋଗୁଁ କେତେକ ଗ୍ରାମରେ ବିଶୁଦ୍ଧ ପାଣି ପାଇବାରୁ ବଞ୍ଚିତ ହେଉ ଥିବା ଦେଖିବାକୁ ମିଳିଥିଲା। ବିଭଗ ପକ୍ଷରୁ ଗୁଡିଖଳା ଗ୍ରାମରେ ତିନୋଟି ଗୁଡିପଦର ଗ୍ରାମରେ ତିନୋଟି, ଡାବୁଥଳି ବାତରା ସାହି, ଲାଇଡ଼ା, କୁଶମଳା ପ୍ରଭୁତି ଗ୍ରାମରେ ଦୁଇଟି ଲେଖାଏ ଏବଂ ଅବାଣ୍ଡିଆ ଗ୍ରାମରେ ଗୋଟିଏ ନଳକୂଅ ଖୋଳିଥିଲେ। ଏହାର ଦୁଇ ଚାରି ଦିନ ପରେ ଡାବୁଥଳି ଗ୍ରାମରେ ଖୋଲା ଯାଇଥିବା ନଳକୂଅର ମୁଣ୍ଡ ବସାଯାଇ ଥିଲା। ତେବେ ଏ ମଧ୍ୟରେ କୂଅ ଖୋଲିବାର ତିନିମାସ ବିତିଯାଇଥିବା ବେଳେ ମୁଣ୍ଡ ସ୍ଥାପନ କରିବାକୁ ବିଭଗ ଭୁଲି ଯାଇଥିବା ଭଳି ମନେ ହେଉଥିବା ନେଇ ୧୯ ତାରିଖରେ ପୁଣି ଖବର ବାହାରି ଥିଲା।
ଖବର ପ୍ରକାଶର କିଛି ଘଣ୍ଟା ମଧ୍ୟରେ ବିଭଗର କର୍ମଚାରୀ ପହଞ୍ଚି ପ୍ରଥମ ଦିନରେ ୫ଟି ଏବଂ ପର ଦିନ ନଅ ଗୋଟି ସ୍ଥାନରେ ନଳକୁଅ ମୁଣ୍ଡ ବସାଇ ଥିବା ଜଣାଯାଇଛି। ଏହି ସବୁ ଗ୍ରାମର ଲୋକମାନେ ମୌଳିକ ସୁବିଧା ସୁଯୋଗ ଠିକ ଭାବେ ପାଇପାରୁନଥିଲେ। ଯାହାକୁ ନେଇ ପ୍ରଶାସନ ଲୋକଙ୍କ ସୁବିଧା ସୁଯୋଗ ଯୋଗାଇବା ପ୍ରତିଶ୍ରୁତି ଦେବା ପରେ ଗତ ଦଶରୁ ତିରିଶି ବର୍ଷ ମଧ୍ୟରେ ପାହାଡ଼ରୁ ତଳକୁଆସି ମହେନ୍ଦ୍ର ତନାୟ ନଦୀ ପାର୍ଶ୍ୱରେ ପୂର୍ବ ଗ୍ରାମ ନାମରେ ନୂତନ ବସତି ସ୍ଥାପନ କରି ରହୁଛନ୍ତି। ଗ୍ରାମ ଗୁଡିକ ଆନ୍ଧ୍ର ସୀମାରେ ରହିଥିବା ବେଳେ ବ୍ଳକ ଠାରୁ ପ୍ରାୟ ୪୫ରୁ ୫୫କିଲୋମିଟର ଦୂର ହୋଇଥିବା ବେଳେ ପକ୍କା ରାସ୍ତା ନଥିବା ବେଳେ ଦୁଇଟି ନଦୀ ପାରହୋଇ ଯିବାକୁ ପଡୁଛି। ଖୋଳା ଯାଇଥିବା ପନ୍ଦର ଗୋଟି ନଳକୂଅ ମଧରୁ ଚଉଦ ଗୋଟି କୂଅର ମୁଣ୍ଡ ବସାଯିବା ଫଳରେ ଲୋକଙ୍କୁ ବିଶୁଦ୍ଧ ଜଳ ମିଳିବାରେ ସୁବିଧା ହେବ।



