ବାରହା ଆକ୍ରମଣରେ ମହିଳା ଗୁରୁତର

ପାତ୍ରପୁର: ରବିବାର ପାତ୍ରପୁର ବ୍ଲକ ସୁରଙ୍ଗୀ ପଞ୍ଚାୟତ ତିତିଗାଁ ଗ୍ରାମର ଜଣେ ଦଳିତ ବିଧବା ମହିଳା ବାରହା ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାମ ପ୍ରମିଳା ସେଠୀ ବୋଲି ଜଣା ପଡ଼ିଛି। ଆଜି ସେ ନିଜ ଶାଶୁ ସତ୍ୟ ସେଠୀଙ୍କ ସହ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଜମିରେ ତଳି ପକେଇବା ପାଇଁ ଧାନବିହନ ଧରି ଯାଉଥିଲେ। ହଠାତ ଗ୍ରାମର ନାଳନିକଟ ବୁଦାରୁ ବାରହା ବାହାରି ତାଙ୍କୁ ଆକ୍ରମଣ କରିଥିଲା। ବାରହା ଆକ୍ରମଣ କରୁଥିବାବେଳେ ସେ ପ୍ରାଣରକ୍ଷା ପାଇଁ ଚିତ୍କାର କରିବାରୁ ତାଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ଲୋକେ ସେଠାରେ ତତ୍କାଳ ପହଞ୍ଚିଯାଇଥିଲେ। ଲୋକେ ପହଞ୍ଚିବା ପରେ ବାରହାଟି ନିକଟରେ ଥିବା ଜଙ୍ଗଲକୁ ଚାଲି ଯାଇଥିଲା।

 

ବାରହା ତାଙ୍କ ଗୋଡ ଓ ଜଙ୍ଘ ପ୍ରଭୃତିକୁ କାମୁଡ଼ି ଦେଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ଅଞ୍ଚଳରେ ବହୁ ସଂଖ୍ୟକ ବାରହା ରହୁଥିବାବେଳେ ସନ୍ଧ୍ୟା ପରେ ସେମାନେ କ୍ଷେତ ମୁହାଁ ହୋଇ ଥାଆନ୍ତି। ଏପରିକି ମେଘୁଆ ପାଗ ଏବଂ ବର୍ଷା ଲାଗିରହିଲେ ବାରହାଗୁଡ଼ିକ ଜଙ୍ଗଲକୁ ନ ଯାଇ ଲଟାବୁଦାରେ ଛୁପି ରହି ବିଭିନ୍ନ ସମୟରେ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ସ୍ଥାନୀୟ ଜନସଧାରଣଙ୍କ ଜୀବନ ରକ୍ଷା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।

Comments are closed.