ମୁମ୍ବଇ: ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବଲିଉଡ଼ କିଙ୍ଗ୍ ଖାନଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ୍’ର ମୁକ୍ତିଲାଭ ତାରିଖ ଘୋଷଣା କରାଯାଇଛି। ଆସନ୍ତା ବର୍ଷ ଜାନୁଆରୀ ୨୫ ତାରିଖରେ ପ୍ରେକ୍ଷାଳୟକୁ ଆସିବ ‘ପଠାନ୍’।
ଶାହରୁଖ୍ ନିଜ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ‘ପଠାନ୍’ର ମୁକ୍ତିଲାଭ ତାରିଖ ଘୋଷଣା କରି ପ୍ରଶଂସକମାନଙ୍କୁ ଖୁସି ଖବର ଦେଇଛନ୍ତି। ସେ ଲେଖିଛନ୍ତି, ‘‘ମୁଁ ଜାଣିଛି ଯେ ଏହା ବହୁତ ବିଳମ୍ବ। କିନ୍ତୁ ତାରିଖ ମନେ ରଖନ୍ତୁ। ‘ପଠାନ୍’ର ସମୟ ଆରମ୍ଭ ହେଉଛି। ୨୦୨୩ ଜାନୁୟାରୀ ୨୫ ତାରିଖରେ ଆପଣଙ୍କ ସହ ପ୍ରେକ୍ଷାଳୟରେ ଦେଖାହେବ’’। ଶାହରୁଖ ନିଜ ପୋଷ୍ଟରେ ଏହା ମଧ୍ୟ ଲେଖିଛନ୍ତି ଯେ, ତାଙ୍କ ଫିଲ୍ମ ‘ପଠାନ୍’ ହିନ୍ଦୀ ସହ ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍ ହେବ।
ମୁକ୍ତିଲାଭ ତାରିଖ ଘୋଷଣା ସହ କିଙ୍ଗ୍ ଖାନ ଚଳଚ୍ଚିତ୍ରର କିଛି ଝଲକ୍ ମଧ୍ୟ ଶେୟାର କରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ମାତ୍ର କିଛି ସମୟ ମଧ୍ୟରେ ‘ପଠାନ୍’ର ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି। ୪ ବର୍ଷର ଲମ୍ବା ବ୍ୟବଧାନ ପରେ ଶାହରୁଖଙ୍କ ଫିଲ୍ମ ପରଦାକୁ ଆସିବ। ଏହାକୁ ନେଇ ତାଙ୍କ ପ୍ରଶଂସକମାନେ ଖୁବ୍ ଉତ୍ସାହିତ ଅଛନ୍ତି।
ଚଳଚ୍ଚିତ୍ରରେ ଶାହରୁଖଙ୍କ ବ୍ୟତୀତ ଦୀପିକା ପାନୁକୋନ ଓ ଜନ୍ ଆବ୍ରାହମ୍ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।



