ପାଟଣାଗଡ ଏନ୍ଏସିରେ ପାଳନ ହେଲାନି ସ୍ୱାୟତ ଶାସନ ଦିବସ

ଦେଖା ଦେଲେନି ଅଧ୍ୟକ୍ଷା କି କାଉନସିଲର୍

ପାଟଣାଗଡ: ନିମନ୍ତ୍ରିତ ଅତିଥିଙ୍କୁ କାର୍ଡ ବଣ୍ଟା ଯାଇଥିଲା । ଫୁଲ ତୋରଣରେ କାର୍ଯ୍ୟାଳୟକୁ ସଜା ଯାଇଥିଲା । ଟେଣ୍ଟ ବି ଲଗାଯାଇଥିଲା । ନିମନ୍ତ୍ରଣ ଅନୁସାରେ ନିର୍ଦ୍ଧାରିତ ସମୟରେ ବୁଦ୍ଧିଜୀବୀ, ନାଗରିକମାନେ ଆସି ପହଞ୍ଚିଲେ । ହେଲେ ସେମାନଙ୍କୁ ଛାଡିଦେଲେ ଆଉ କାହାରି ଦେଖାନଥିଲା। କାର୍ଯ୍ୟାଳୟ ପରିସର ଶୂନଶାନ । କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ଝୁଲୁଛି । କିଛି ତଳତଳିଆ କର୍ମଚାରୀ ଟହଲ ମାରୁଥିଲେ । ନିମନ୍ତ୍ରିତ ବୁଦ୍ଧିଜୀବୀ, ନାଗରିକମାନେ ସଭା ସଂପର୍କରେ ପଚାରିବାରୁ ବାତିଲ କରାଯାଇଥିବା ସୂଚନା ପାଇଲେ । ନିରାଶ ହୋଇ ଫେରିଲେ। ଏଭଳି ଦୃଶ୍ୟ ବୁଧୁବାର ପାଟଣାଗଡ ବିଜ୍ଞାପିତ ପରିଷଦ ଅଞ୍ଚଳର ସ୍ୱାୟତ ଶାସନ ଦିବସରେ ଦେଖିବାକୁ ମିଳିଛି । ଆଉ ଏହା ପାଟଣାଗଡରେ ଚର୍ଚ୍ଚାର ବିଷୟ ପାଲଟିଛି।

ପାଟଣାଗଡ ବିଜ୍ଞାପିତ ପରିଷଦ(ଏନ୍ଏସି) ପକ୍ଷରୁ ୭୦ ବର୍ଷ ପୂର୍ତ୍ତି ଅବସରରେ ସକାଳେ ଜାତୀୟ ପତାକା ଉତ୍ତୋଳନ ଓ ଦିନ ୪ଟାରେ ସ୍ୱାୟତ ଶାସନ ଦିବସ ପାଇଁ ସଭା ଆୟୋଜନ କରାଯାଇଥିଲା । ଏହା ପୂର୍ବରୁ ନିମନ୍ତ୍ରଣ ପତ୍ର ବଣ୍ଟା ଯାଇଥିଲା । ସଭାରେ ଓଡ଼ିଶା ବିଧାନସଭାର ସରକାରୀ ଉପମୁଖ୍ୟ ସଚେତକ ତଥା ସ୍ଥାନୀୟ ବିଧାୟକ ସରୋଜ ମେହେର ମୁଖ୍ୟଅତିଥି, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ଓ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସମ୍ମାନିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା । ପାଟଣାଗଡ ତହସିଲଦାର ଡା.ପୁଷ୍ପାଞ୍ଜଳି ପଣ୍ଡା ମୁଖ୍ୟବକ୍ତା ଭାବେ ରହିଥିଲେ । ସଭା ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସଂପର୍କରେ ନିମନ୍ତ୍ରଣ ପତ୍ରରେ ସୂଚନା ଦିଆଯାଇଥିଲା । ସଭାରେ ଉପସ୍ଥିତ ରହିବାକୁ ଏନ୍ଏସି ଅଧ୍ୟକ୍ଷା ମାନସୀ ବିଶ୍ୱାଳ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ମେହେର, କାଉନସିଲର୍ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରହରି ମହନ୍ତ ନିମନ୍ତ୍ରିତ ଅତିଥିଙ୍କୁ ଅନୁରୋଧ କରିଥିଲେ ।

prayash

ବୁଧବାର ସକାଳେ କିଛି ଏନ୍ଏସି କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମହନ୍ତ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହାପରେ ଦେହ ଅସୁସ୍ଥ ଥିବା ଦର୍ଶାଇ କାର୍ଯ୍ୟକ୍ରମ ବାତିଲ ବୋଲି ମୌଖିକ ଭାବେ ଉପସ୍ଥିତ କର୍ମଚାରୀଙ୍କୁ କହି ନିର୍ବାହୀ ଅଧିକାରୀ ଚାଲି ଯାଇଥିଲେ । ଦିନ ୪ଟାରେ ଏନ୍ଏସି ପରିସରରେ ସ୍ୱାୟତ ଶାସନ ଦିବସ ସଭା ଥିବାରୁ ଜଣେ ପରେ ଜଣେ ନିମନ୍ତ୍ରିତ ବୁଦ୍ଧିଜୀବୀ, ନାଗରିକମାନେ ପହଞ୍ଚିଥିଲେ। କିଛି ତଳ ତଳିଆ କର୍ମଚାରୀଙ୍କୁ ଛାଡିଦେଲେ କେହି ନାହାନ୍ତି। ବୁଝାବୁଝି କରିବାରୁ ସଭା ବାତିଲ ହୋଇଥିବା ଜଣାପଡିଥିଲା। ତେବେ ସଭା କାହିଁକି ବନ୍ଦ ହେଲା ? କ’ଣ ଉଦ୍ଦେଶ୍ୟ ? ଏମିତି ପ୍ରଶ୍ନ ନିମନ୍ତ୍ରିତ ଅତିଥିମାନଙ୍କ ମନକୁ ଆସିଥିଲା । ସେମାନେ ଅଧ୍ୟକ୍ଷା ଶ୍ରୀମତୀ ବିଶ୍ୱାଳ, ଉପାଧ୍ୟକ୍ଷ ଶ୍ରୀ ମେହେର, କାଉନ୍ସିଲର୍ମାନଙ୍କୁ ଫୋନ୍ କରିଥିଲେ । କେହି ଫୋନ୍ ଉଠାଉ ନଥିବାରୁ କୌଣସି ପ୍ରତିକ୍ରିୟା ମିଳି ପାରି ନଥିଲା ।

ଗଣମାଧ୍ୟମ ପ୍ରତିନିଧିମାନେ ବି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମହନ୍ତଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ । ହେଲେ କୌଣସି ପ୍ରତି ଉତ୍ତର ନାହିଁ । ନିରାଶ ହୋଇ ନିମନ୍ତ୍ରିତ ବୁଦ୍ଧିଜୀବୀ, ନାଗରିକମାନେ ଫେରିଯାଇଥିଲେ । ‘ସମାଜ’କୁ ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ଅନୁସାରେ, ମଙ୍ଗଳବାର ରାତିରେ ଏନ୍ଏସି ଅଞ୍ଚଳରେ ହେଉଥିବା ଉନ୍ନୟନ ମୂଳକ କାମର ଠିକାକୁ ନେଇ ନିର୍ବାହୀ ଅଧିକାରୀ, ଯନ୍ତ୍ରୀଙ୍କ ସହ କିଛି କାଉନସିଲିଂଙ୍କ ପାଟିତୁଣ୍ଡ ହୋଇଥିଲା । ସରକାରୀ ବାବୁମାନଙ୍କୁ ଧମକ ଚମକ ବି ଦିଆଯାଇଥିଲା । ଯାହାକୁ ନେଇ ଅସନ୍ତୋଷର ସୂତ୍ରପାତ । ଏଥିପାଇଁ ଅଧ୍ୟକ୍ଷା, ଉପାଧ୍ୟକ୍ଷ କି କୌଣସି କାଉନସିଲର୍ ସ୍ୱାୟତ ଶାସନ ଦିବସ ସଭାକୁ ଆସିଲେ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି । ‘ସମାଜ’କୁ ମିଳିଥିବା ତଥ୍ୟକୁ ନେଇ ନିର୍ବାହୀ ଅଧିକାରୀ ଶ୍ରୀ ମହନ୍ତଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ସଭା ନହେବା ଏନ୍ଏସିରେ ଚାଲିଥିବା ମନଇଚ୍ଛା କାରବାରକୁ ପଦାରେ ପକାଇଛି ।

kalyan agarbati

Comments are closed.