ସରକାରୀ ଆବାସ ଯୋଜନାର ବିକଳ ଚିତ୍ର : ପଲିଥିନ ତଳେ କଟୁଛି ୫ଜଣଙ୍କ ଜୀବନ

ଅପହଞ୍ଚ ସରକାରୀ ଯୋଜନା

ପାଟଣା : ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାର ବିକଳ ଚିତ୍ର ଦେଖିବାକୁ ମିଳିଛି ପାଟଣା ବ୍ଲକ ଅଞ୍ଚଳରେ । ଲୋକେ ଘର ନପାଇ ପଲିଥିନ ତଳେ ଜୀବନ ବିତାଉ ଥିବାର ବିକଳ ଚିତ୍ର ଦେଖିବାକୁ ମିଳୁଛି। ଗରିବଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆବାସ ଯୋଜନା ନେଇ କାନ୍ଥ ବାଡ଼ରେ ହୋଡିଙ୍ଗ ଆଦିରେ ଆବାସ ଯୋଜନାର ପ୍ରଚାର କରୁଛନ୍ତି । କିନ୍ତୁ ଉପଯୁକ୍ତ ହିତାଧିକାରୀ ଚିହ୍ନଟ ହେଉ ନଥିବାରୁ ଗରିବ ଲୋକଟିଏ ଆବାସ ଯୋଜନାରୁ ବଞ୍ଚିତ ରହୁଛି । ଏପରି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ଗୁଳୁଦୀପଶି ଦ୍ଵିତୀୟ ଶିବନାରାୟଣପୁର ଗ୍ରାମର ଟେମ୍ପ ମୁଣ୍ଡାଙ୍କ ପରିବାରଙ୍କ କ୍ଷେତ୍ରରେ । ପରିବାର କହିଲେ ଟେମ୍ପ ମୁଣ୍ଡା, ସ୍ତ୍ରୀ ସୋମବାରୀ ମୁଣ୍ଡା, ୮ବର୍ଷର ଝିଅ ସଞ୍ଜୁ ମୁଣ୍ଡା, ୬ବର୍ଷର ସଂଙ୍ଗିତା ମୁଣ୍ଡା, ୩ବର୍ଷର ପୁଅ ଅମିତ୍ ମୁଣ୍ଡା । ପରିବାରର ରୋଜଗାର କହିଲେ ପ୍ରତିଦିନ ମଜୁରୀ କରି ଗୁଜୁରାଣ ମେଣ୍ଟାଇବା। ବହୁକଷ୍ଟରେ ଓଳିଏ ଖାଇଲେ ଆର ଓଳିକୁ ଉପାସ ରହୁଥିବା ଭଳି ପରିସ୍ଥିତି । ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ପାଉଥିବା ବେଳେ ନିଜର ଘରଖଣ୍ଡେ ନାହିଁ । ଟେମ୍ପ ମୁଣ୍ଡା ଆବାସ ଯୋଜନାରେ ଘରଟେ ପାଇଁ ବହୁତ ଥର ଆବେଦନ କରିଥିଲେ ମଧ୍ୟ ଆବାସ ଯୋଜନାରେ ଘରଟେ ମିଳିପାରୁ ନାହିଁ । ବର୍ଷା ଦିନ ଆସିଲେ ପାଟଣା ତହସିଲରୁ ପଲିଥିନ ଖଣ୍ଡେ ନେଇ ଘର ଉପରେ ଢାଙ୍କି ପରିବାରକୁ ବର୍ଷା ଦାଉରୁ ରକ୍ଷା କରିଥାନ୍ତି । ଏପରି ଶୋଚନୀୟ ଅବସ୍ଥାରେ ଟେମ୍ପ ମୁଣ୍ଡା ବର୍ଷା କାକରରେ ପଲିଥିନ ତଳେ  ଅତିଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଥିବା ବେଳେ ପ୍ରଶାସନ ଟେମ୍ପ ମୁଣ୍ଡା ପାଖରେ ପହଁଞ୍ଚି ପାରୁନାହିଁ । ଏନେଇ ପାଟଣା ବିଡ଼ିଓ ଶିବ ଶଙ୍କର ମୁର୍ମୁଙ୍କୁ ପଚାରିବାରୁ ସେ ବଡ଼ପାଟଣା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଟେମ୍ପ ମୁଣ୍ଡାଙ୍କ ପରିସ୍ଥିତି ସମ୍ପର୍କରେ ତଦନ୍ତ କରିବାକୁ ନିର୍ଦେଶ ଦେଇ ଥିବା ଗଣମାଧ୍ୟମକୁ କହିଛନ୍ତି ।
prayash

Comments are closed.