ପାଟଣା: ଆଜି ଦେବ ଦେବ ମହାଦେବଙ୍କ ବଡଓଷା ପର୍ବ ପାଇଁ ପାଟଣା ବ୍ଲକ ଅଂଚଳର ଶୈବପୀଠ ଗୁଡିକ ଚଳଚଞ୍ଚଳ ଥିବା ଲକ୍ଷ କରାଯାଇଛି। ଶ୍ରଦ୍ଧାଳୁମାନେ କରୋନା କଟକଣା ମାନି ମହାଦେବ ଶିବଙ୍କ ପୂଜାର୍ଚ୍ଚନା କରିଛନ୍ତି। ଅଧିକାଂଶ ଶିବ ମନ୍ଦିରରେ ମାନସିକଧାରୀମାନେ ମନ୍ଦିର ବେଡାରେ ସ୍ୱତନ୍ତ୍ର ଚୁଲି ସ୍ଥାପନ କରି ବଡଭୋଗ ପ୍ରସ୍ତୁତ କରି ପ୍ରଥମେ ଶିବ ମନ୍ଦିରରେ ଭୋଗ ଲଗାଇବା ସହ ବଡଓଷା ବହି ପାଠ କରିଛନ୍ତି। ପାଟଣାର ପ୍ରସିଦ୍ଧ ଆନନ୍ଦେଶ୍ୱର ମନ୍ଦିରରେ ମୁଖ୍ୟ ପୂଜକ ହରେକୃଷ୍ଣ ପଣ୍ଡା ଓ ତାଙ୍କ ପୁଅ ପର୍ଶୁରାମ ପଣ୍ଡା ପୂଜାର୍ଚ୍ଚନା କରିଥିଲେ। ଏଠାରେ ହବିଷାଳୀଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ସେହିପରି ତୁରୁମୁଙ୍ଗାର ଗିରିଜାଶଙ୍କର, ତ୍ରିବିନ୍ଧାର ଚନ୍ଦ୍ରଶେଖର, ଚିଲିଦାର ଚନ୍ଦ୍ରଚୂଡ ମହାଦେବ ଓ ବାବା ଆଖଣ୍ଡଳମଣୀ, ଖିରେଇଟାଙ୍ଗିରୀର ସର୍ବେଶ୍ୱର ମହାଦେବ, ମୁରୁସୁଆଁର କାଳିକେଶ୍ୱର, ମଲିପଶିର ମଲ୍ଲିକେଶ୍ୱର, ସରାସକେଲାର ଶିବମନ୍ଦିର, ସ୍ୱାମଶାସନର ସୋମେଶ୍ୱର ମହାଦେବ ଓ କେତାଙ୍ଗ ଶିବମନ୍ଦିର ଆଦିରେ ବଡଓଷା ପର୍ବ ବିଧିବିଧାନ ସହ ଅନୁଷ୍ଠିତ ହୋଇଯାଇଛି।
Popular Categories



