ଜବତ ମଦ ଛଡାଇ ନେଲେ ଲୋକେ, ଖାଲି ହାତରେ ଫେରିଲା ଅବକାରୀ ବିଭାଗ

ପାଟଣା: ଗ୍ରାମରୁ ଚୋରା ମଦ ଜବତ କରିବା ପାଇଁ ଯାଇଥିବା ୪ ଟି ଅବକାରୀ ବିଭାଗ ଟିମ ଓ ତୁରୁମୁଙ୍ଗା ପୁଲିସକୁ ଗ୍ରାମର ଲୋକମାନେ ବେଶ ହଲାପଟା କରିଛନ୍ତି। ଏପରିକି ମାର ପିଟ କରିବା ସହ ଜବତ କରିଥିବା ହାଣ୍ଡି, ଡେକଚୀ ଓ ମହୁଲିକୁ ମଧ୍ୟ ବଳ ପୂର୍ବକ ଛଡ଼ାଇ ନେଇଛନ୍ତି। ସ୍ଥାନୀୟ ଲୋକ ମାନଙ୍କ ଠେଙ୍ଗା ମାଡ଼ ଓ ଟାଙ୍ଗିଆ ଚୋଟ ଭୟରେ ପାଞ୍ଚଟି ଅବକାରୀ ଟିମ ସହ ତୁରୁମୁଙ୍ଗା ପୁଲିସ ଘଟଣା ସ୍ଥଳରୁ ନିଜ କାର୍ଯ୍ୟାଳୟକୁ ଫେରି ଆସିଛନ୍ତି।

ସୂଚନା ଅନୁଯାୟୀ, ଶୁକ୍ରବାର ମଧ୍ୟାହ୍ନରେ ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ହୀରାପଶି ଗ୍ରାମରେ ଅବକାରୀ ଚଢାଉ ପାଇଁ କେନ୍ଦୁଝରରୁ ରୋହିତ ନାୟକଙ୍କ ନେତୃତ୍ୱରେ ଅବକାରୀ ମୋବାଇଲ ସ୍କ୍ୱାର୍ଡ ସହ ପାଟଣା, ଚମ୍ପୁଆ ଓ ଘଟଗାଁ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ହୀରାପଶିରେ ପହଞ୍ଚିଥିବା ବେଳେ ତୂରୁମୁଙ୍ଗା ପୁଲିସ ମଧ୍ୟ ଅବକାରୀ ବିଭାଗକୁ ସାଥ ଦେଇଥିଲା। ଅବକାରୀ ବିଭାଗ ପୋଚ ନଷ୍ଟ କରିବା ସହ କିଛି ମହୁଲି ମଦ ଓ ମଦ ରନ୍ଧା ସରଞ୍ଜାମ ଜବତ କରି ଗାଡ଼ିରେ ରଖୁଥିବା ବେଳେ ଗ୍ରାମର ଆଦିବାସୀ ଲୋକେ ଠେଙ୍ଗା ଟାଙ୍ଗିଆ ଧରି ଅବକାରୀ ବିଭାଗ ଓ ପୁଲିସ ଉପରେ ଆକ୍ରମଣ ଭୟ ସୃଷ୍ଟି କରିବା ସହ ମଦ ରନ୍ଧା ସରଞ୍ଜାମ ଓ ମହୁଲି ଛଡ଼ାଇ ନେଇଛନ୍ତି। ଏପରିକି ଅବକାରୀ କର୍ମଚାରୀଙ୍କୁ ମୋବାଇଲରେ ଫୋଟ ଉଠାଇଲେ ହାଣି ଦେବେ ବୋଲି ଟାଙ୍ଗିଆ ଦେଖାଇବାରୁ ଭୟରେ ଅବକାରୀ ଓ ପୁଲିସ ଟିମ ହୀରାପଶିରୁ ଛତ୍ରଭଙ୍ଗ ଦେଇ ପଳାଇଆସିଛି। ପାଖାପାଖି ଅବକାରୀ ବିଭାଗର ୩୦ ଜଣ ଓ ପୁଲିସର ୫ କର୍ମଚାରୀଙ୍କ ମଧ୍ୟରୁ କିଛି କର୍ମଚାରୀ ଗ୍ରାମବାସୀଙ୍କ ଠାରୁ ମାଡ଼ ଖାଇଥିବା ମଧ୍ୟ ଜଣା ପଡ଼ିଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ତୁରୂମୁଙ୍ଗା ଥାନାରେ ଏତଲା ଦିଆଯାଇଥିବା ସୂଚନା ମିଳିଛି।

Comments are closed.