ପାଟଣା : ଜଙ୍ଗଲ ବିଭାଗ କର୍ମଚାରୀମାନେ ଜଙ୍ଗଲ ରକ୍ଷା କରିବା ବଦଳରେ ନିଜେ ମାଫିଆମାନଙ୍କ ସହ ସଂଶ୍ଳିଷ୍ଟ ହୋଇ ଜଙ୍ଗଲ ଲୁଟ କରିବାରେ ଲାଗିଥିବା ଅଭିଯୋଗ ହୋଇଛି । ପାଟଣା ବନାଞ୍ଚଳରେ ବିଭିନ୍ନ ସ୍ଥାନରେ ବିନା ଅନୁମତିରେ ସରକାରୀ ଏବଂ ବେସରକାରୀ ଜମିରେ ଅବାଧରେ ଗଛ କଟା ଚାଲିଛି। ପାଟଣା ବନାଞ୍ଚଳ କେନ୍ଦେଇପଶି ବିଟ ଅନ୍ତର୍ଗତ ଖୁଣ୍ଟାପଡା ଗାଁରେ କେତେକ କାଠ ମାଫିଆ ମାନେ ବନ ବିଭାଗର ବିନା ଅନୁମତିରେ ୟୁକାଲିପଟାସ ଏବଂ ଅନ୍ୟ ବହୁ ମୂଲ୍ୟବାନ ପ୍ରଜାତିର ଶହ ଶହ ଗଛ କାଟି ନେଇଛନ୍ତି ।
ଗଛ କାଟିବା ପୂର୍ବରୁ ବନ ବିଭାଗର ଅନୁମତି ଜରୁରୀ। ବନ ବିଭାଗର ଅନୁମତି ପରେ ଗଛ କାଟିବା ପାଇଁ ଅନୁମତି ମିଳିଥାଏ । ଏହାପରେ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଗଛ କଟାଯାଇଥାଏ । ତେବେ ଅନୁମତି ନଥାଇ ଏତେ ସଂଖ୍ୟାରେ ଗଛ କଟାଯାଇ ଟ୍ରକରେ ବାହାର ଅଂଚଳକୁ ଚାଲାଣ ହୋଇଥିଲେ ହେଁ ବନ ବିଭାଗ କାର୍ୟ୍ୟାନୁଷ୍ଠାନ ନେବା ବଦଳରେ ଚୁପ ରହିଥିଲା । ତେବେ ଏତେ ଘଂଚ ଜଙ୍ଗଲ କଟାଯିବା ଫଳରେ ଜଙ୍ଗଲ ସୁରକ୍ଷା ଆଇନ ୧୯୮୦ର ଉଲ୍ଲଙ୍ଘନ କରୁଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ ହୋଇଛି ।
ନୂତନ ଜଙ୍ଗଲ ସୃଷ୍ଟି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ମାତ୍ର ବନ ବିଭାଗ ଏବଂ କାଠ ମାଫିଆଙ୍କ ପାଇଁ ଏବେ ଜଙ୍ଗଲ ଧ୍ୱଂସ ଆଡକୁ ମୁହାଁଇଛି । ପରିବେଶ ସନ୍ତୁଳନ ବଜାୟ ରଖିବା ପାଇଁ ପ୍ରୟାସ ସ୍ୱରୂପ ସରକାରଙ୍କ ପକ୍ଷରୁ ବିଭିନ୍ନ ପତିତ ଅନାବାଦୀ,ଗୋଚର,ସରକାରୀ ଜମି ଗୁଡିକରେ ଜଙ୍ଗଲ ସୃଷ୍ଟି କରାଯାଇଛି । ସୃଷ୍ଟି ହେଉଥିବା ଏହି ଜଙ୍ଗଲ ଗୁଡିକୁ ନିଜ ଗ୍ରାମର ଆବଶ୍ୟକତାକୁ ଦର୍ଶାଇ ଧ୍ୱଂସ କରିବାରେ ଲାଗି ପଡିଛନ୍ତି । ଏ ନେଇ ପାଟଣା ରେଞ୍ଜର ବନବିହାରୀ ସର୍ଦ୍ଦାରଙ୍କ ସହ ଯୋଗାଯୋଗ କରିବାକୁ ରାଜସ୍ୱ ବିଭାଗ ଏବଂ ବନ ବିଭାଗର ଜଏଣ୍ଟ ଭେରିଫିକେସନ କରି ତହସିଲଦାରଙ୍କୁ ରିପୋର୍ଟ ଦିଆଯାଇଛି । ତେବେ ବନ ବିଭାଗର ଅନୁମତି ନ ଥାଇ ଏତେ ଗଛ କଟିବା, ବିଭାଗ ନିରବ ରହିବା ବିଭାଗୀ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପାଟଣା ରେଞ୍ଜରେ ୩ ଜଣ ବନରକ୍ଷୀ ଗୋଠିଏ ଗୋଟିଏ ବିଟ୍ ରେ ଦୀର୍ଘ ବର୍ଷ ରହିଥିବାବେଳେ ସେମାନଙ୍କ ବଦଳି ହେଉନାହିଁ । କେନ୍ଦେଇପଶି ବିଟ୍ରେ ତପସ୍ୱିନୀ ନାଏକ, ରାଜନଗର ବିଟ୍ରେ ଲକ୍ଷ୍ମୀପ୍ରିୟା ମହାନ୍ତ ଏବଂ ସାହାରପଡା ବିଟ୍ରେ ନିରୁପମା ମହାକୁଡ ଗୋଟିଏ ଗୋଟିଏ ବିଟ୍ରେ ୧୦ ବର୍ଷରୁ ଅଧିକ ସମୟ ରହିଥିଲେ ହେଁ ସେମାନଙ୍କ ବଦଳି ହେଉନାହିଁ । ଫଳରେ ଉକ୍ତ ବିଟ୍ ଅଂଚଳରେ ଚୋରା କାଠ କାରବାର ବଢୁଛି । ଗତ ୫ବର୍ଷ ମଧ୍ୟରେ ବହୁ କର୍ମଚାରୀଙ୍କ ଅଦଳବଦଳ ଓ ବଦଳି ଆଦେଶ କରାଯାଇଥିଲେ ହେଁ ଉକ୍ତ କର୍ମଚାରୀଙ୍କ ବଦଳି କରାନଯିବା ସାଧାରଣରେ ଆଶ୍ଚର୍ୟ୍ୟ ପ୍ରକାଶ ପାଉଛି ।



