ରାସ୍ତା ମରାମତି ନ ହେଲେ ଭୋଟ ବର୍ଜ୍ଜନ ଚେତାବନୀ

ପାଟଣା: ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ଅନ୍ତର୍ଗତ ଜୁମେଇଠାରୁ ସୁରେନ୍ଦ୍ରପୁର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅନ୍ତର୍ଗତ ରାସ୍ତାଟି ଗତ ୧୫/୧୧/୨୦୧୮ରେ ଆରମ୍ଭ ହୋଇ ୧୪/୦୮/୨୦୧୯ ରେ ସମାପ୍ତ ହେବାର ଥିଲେ ମଧ୍ୟ ଏହା ବହୁ ବିଳମ୍ବରେ ସମାପ୍ତ ହୋଇଛି । ୧୬ କୋଟି ୧୧ ହଜାର ୭୩ ଟଙ୍କାର କାମକୁ ଠିକାଦାର ଅରୂପାନନ୍ଦ ଢାଲ ନାମକ ଜଣେ ବ୍ୟକ୍ତି କାମ କରାଇଥିଲେ । ମାତ୍ର କାମ ଏତେ ନିମ୍ନ ମାନର ହୋଇଛି ଯେ, କାମ ସରିବାର ୬ ମାସ ଭିତରେ ଅନେକ ସ୍ଥାନରେ ରାସ୍ତାରୁ ପିଚୁ ଉଠି ଗଲାଣି ତ କେଉଁଠି ପକ୍କା କାମ ଭାଙ୍ଗି ଗଲାଣି । ସୁରେନ୍ଦ୍ରପୁର ନିକଟରେ ଏକ ପୁରୁଣା କଲଭର୍ଟ ଉପରେ ଲୁହା ଛଡ ଦେଇ ସିମେଣ୍ଟ ଢାଳି ଦିଆଯାଇଥିଲା, ଯାହା ଅଳ୍ପ ଦିନ ମଧ୍ୟରେ ସିମେଣ୍ଟ ଉଠି ଛଡ ସବୁ ଦେଖା ଯାଉଛି । ଗାଡି ମୋଟର ଯିବା ଆସିବା କଷ୍ଟକର ହେଉଛି । ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି । ଠିକାଦାର ଦ୍ଵାରା ରକ୍ଷଣାବେକ୍ଷଣ ଦାୟିତ୍ଵ ତିନି ବର୍ଷ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ମରାମତି ମଧ୍ୟ ହୋଇପାରୁନାହିଁ । ଦୁଇଦିନ ତଳେ ଜଗନ୍ନାଥ ରଥ ସହିତ ପାଟଣା ବିଧାୟକ ଜଗନ୍ନାଥ ନାଏକ ଆସୁଥିବା ଶୁଣି ଗ୍ରାମର ମହିଳାମାନେ ବିଧାୟକଙ୍କୁ ଜଣାଇବାକୁ ଭାଙ୍ଗି ଯାଇଥିବା ରାସ୍ତା ପାଖରେ ଛିଡା ହୋଇଥିଲେ । ରାସ୍ତା ମରାମତି ନହେଲେ ବିଧାୟକଙ୍କୁ ଭୋଟ ବର୍ଜ୍ଜନ କଥା ଜଣାଇଥାନ୍ତେ, ମାତ୍ର ବିଧାୟକ ରାସ୍ତା ଖରାପଯୋଗୁ ଅନ୍ୟ ରାସ୍ତାରେ ଚାଲିଯାଇଥିଲେ । ତେବେ ଯଥାଶୀଘ୍ର ରାସ୍ତା ମରାମତି କରା ନଗଲେ ଗ୍ରାମବାସୀ ଭୋଟ ବର୍ଜ୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Comments are closed.