ଡେସ୍କ: ଜଳ (ପ୍ରଦୂଷଣ ନିବାରଣ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍ ୨୦୨୪ ସଂସଦରେ ଗୃହୀତ ହୋଇଛି। ଲୋକସଭାରେ ଗୁରୁବାର ଏହି ବିଲ୍ ପାରିତ ହୋଇଥିବା ବେଳେ ରାଜ୍ୟସଭାରେ ଏହା ପୂର୍ବରୁ ଗୃହୀତ ହୋଇଥିଲା। ଏହି ବିଲ୍ ଜଳ (ପ୍ରଦୂଷଣ ନିବାରଣ ଓ ନିୟନ୍ତ୍ରଣ) ଆଇନ, ୧୯୭୪ରେ ସଂଶୋଧନ କରିବା ପାଇଁ ଉଦ୍ଦିଷ୍ଟ। ଜଳ ପ୍ରଦୂଷଣକୁ ରୋକିବା ଏବଂ ନିୟନ୍ତ୍ରଣ କରିବା ପାଇଁ ଏହି ଆଇନରେ କେନ୍ଦ୍ର ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗଠନ କରାଯାଇଛି। ଏହି ବିଲରେ ଅନେକ ଉଲ୍ଲଂଘନକୁ ଅପରାଧ ମୁକ୍ତ କରାଯିବା ସହ ଜରିମାନା ଆଦାୟ ବ୍ୟବସ୍ଥା ରହିଛି। ଏହା ପ୍ରଥମେ ହିମାଚଳ ପ୍ରଦେଶ, ରାଜସ୍ଥାନ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଲାଗୁ ହେବ। ଏହି ଆଇନ ଅନୁଯାୟୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷଙ୍କୁ ରାଜ୍ୟ ସରକାର ମନୋନୀତ କରିଥାନ୍ତି। ବିଲର ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ସରକାର ଅଧ୍ୟକ୍ଷଙ୍କ ନାମାଙ୍କନ ପଦ୍ଧତି ଓ ଚାକିରି ସର୍ତ୍ତାବଳୀ ନିର୍ଦ୍ଧାରଣ କରିବେ। ଜଳାଶୟରେ ପ୍ରଦୂଷଣକାରୀ ଏହି ବିଲରେ ପଦାର୍ଥ ନିଷ୍କାସନ ସମ୍ବନ୍ଧୀୟ ବ୍ୟବସ୍ଥାର ଉଲ୍ଲଂଘନ କଲେ ୧୦ ହଜାରରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ବ୍ୟବସ୍ଥା ହୋଇଛି।
ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ କହିଛନ୍ତି ଯେ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହି ପରିବର୍ତ୍ତନ ଅଣାଯାଇଛି।



