ଆଜିଠୁ ମୌସୁମୀ ଅଧିବେଶନ
ଆଗତ ହେବ ୨୪ ନୂଆ ବିଧେୟକ, ବିରୋଧୀଙ୍କ ପ୍ରସଙ୍ଗ ହେବ ଦରବୃଦ୍ଧି, ଅଗ୍ନିପଥ, ବେରୋଜଗାର
ନୂଆଦିଲ୍ଲୀ : ସୋମବାର ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ମୌସୁମୀ ଅଧିବେଶନକୁ ନେଇ ସରକାର ଓ ବିରୋଧୀ ଦଳଗୁଡିକ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ଅଧିବେଶନ କାଳରେ ସଂସଦରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ସୋମବାର ପ୍ରଥମ ଦିନରେ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ସାଂସଦମାନେ ସଂସଦ ଭବନର ମତଦାନ କେନ୍ଦ୍ରରେ ଭୋଟ ଦେବେ। ଜୁଲାଇ ୨୧ରେ ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି ହେବ। ସେହିପରି ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏହି ଅଧିବେଶନ କାଳରେ ସରକାର ୨୪ ବିଧେୟକ (ବିଲ୍) ଆଗତ କରିବେ। ଆଗତ ହେବାକୁ ଥିବା ବିଧେୟକ ମଧ୍ୟରେ କ୍ୟାଣ୍ଟନମେଣ୍ଟ ବିଲ୍, ମଲଟି ଷ୍ଟେଟ୍ କୋ-ଅପରେଟିଭ୍ ବିଲ୍, କଫି (ପ୍ରମୋସନ ଆଣ୍ଡ ଡେଭଲପମେଣ୍ଟ) ବିଲ୍, ପ୍ରତିଯୋଗିତା (ସଂଶୋଧନ) ବିଲ, ସ୍ବତନ୍ତ୍ର ଅର୍ଥନୈତିକ ଜୋନ ଆଇନ ୨୦୦୫ର ସଂଶୋଧନ ବିଲ୍ ଆଦି ପ୍ରମୁଖ। ଏହା ସହିତ ଛତିଶଗଡ ଓ ତାମିଲନାଡୁର ଅନୁସୂଚିତ ଜାତି ଓ ଜନଜାତି (ଏସସି ଓ ଏସଟି) ତାଲିକାର ନବୀକରଣ ନିମନ୍ତେ ଦୁଇଟି ସମ୍ବିଧାନ ସଂଶୋଧନ ବିଧେୟକ ଆଗତ କରାଯିବ। ୧୫୫ ବର୍ଷର ପୁରୁଣା ପ୍ରେସ୍ ଆଣ୍ଡ ରେଜିଷ୍ଟ୍ରେସନ ଅଫ୍ ବୁକ୍ସ ଆକ୍ଟର ପରିବର୍ତ୍ତନ ପୂର୍ବକ ନୂଆ ଆଇନ ପାଇଁ ବିଧେୟକ ଆଗତ କରାଯିବ। ୨୪ଟି ନୂଆ ବିଧେୟକ ସହିତ ଗୃହର ଅନୁମୋଦନ ଅପେକ୍ଷାରେ ପଡି ରହିଥିବା ୮ଟି ବିଧେୟକକୁ ଗୃହୀତ ଲାଗି ସରକାର ଯୋଜନା ରଖିଛନ୍ତି। ଏହିପରି ମୋଟ ଉପରେ ୩୨ଟି ବିଧେୟକକୁ ଗୃହୀତ କରାଇବା ଉପରେ ସରକାର ଗୁରୁତ୍ବ ଦେବେ। ଗୃହରେ ଆଗତ ହେବାକୁ ଥିବା ୨୪ ନୂଆ ବିଧେୟକ ମଧ୍ୟରୁ ୧୪ଟି ପ୍ରସ୍ତୁତ ହୋଇସାରିଥିବାବେଳେ ଅବଶିଷ୍ଟ ୧୦ଟିକୁ ଅଧିବେଶନ କାଳରେ କ୍ୟାବିନେଟ୍ ବୈଠକରେ ଆଗତ କରାଯିବ।
ଅଧିବେଶନରେ ସରକାରଙ୍କୁ ଘେରିବା ଲାଗି ବିରୋଧୀ ଦଳଗୁଡିକ ପକ୍ଷରୁ ମଧ୍ୟ ଯୋଜନା ହୋଇଛି। ମୁଦ୍ରାସ୍ଫୀତି, ତୈଳ ଦରବୃଦ୍ଧି, ଅଗ୍ନିପଥ ଯୋଜନା, ବେରୋଜଗାରୀ, କୃଷକଙ୍କ ସମସ୍ୟା ଓ ଟଙ୍କାର ମୂଲ୍ୟ ହ୍ରାସ ଭଳି ପ୍ରସଙ୍ଗରେ ବିରୋଧୀ ଆଲୋଚନା କରିବାକୁ ସରକାରଙ୍କ ଉପରେ ଚାପ ପକାଇବେ। ବିରୋଧୀ ଦଳଗୁଡିକ ପକ୍ଷରୁ କୁହାଯାଇଛି ଯେ ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରିବା ଲାଗି ସରକାରଙ୍କ ଉପରେ ଚାପ ପକାଯିବ। ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ସରକାରୀ ଏଜେନ୍ସି ଗୁଡିକର ଅପବ୍ୟବହାର କରାଯିବା ଉପରେ ବିରୋଧୀ ଦଳଗୁଡିକ ସଂସଦରେ ଉପସ୍ଥାପନ କରିବେ। ସିବିଆଇ, ପ୍ରବର୍ତ୍ତନ ନିର୍ଦେଶାଳୟ, ଆୟକର ଭଳି ଏଜେନ୍ସିକୁ ଉପଯୋଗ ପୂର୍ବକ ସରକାର ବିରୋଧୀ ଦଳଗୁଡିକୁ ଦମନ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇ ଆସୁଛି। ମୌସୁମୀ ଅଧିବେଶନକୁ ସୁରୁଖୁରୁେର ଚଳାଇବା ଲାଗି ସରକାର ସମସ୍ତ ରାଜନୈତିକ ଦଳଗୁଡିକର ସହଯୋଗ ଲୋଡିଛନ୍ତି। ଏଥିପାଇଁ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀଙ୍କ ପକ୍ଷରୁ ଆହୂତ ସର୍ବଦଳୀୟ ବୈଠକରେ ୩୬ଟି ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇଥିଲେ। ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁପସ୍ଥିତିକୁ ନେଇ ବିରୋଧୀ ଦଳଗୁଡିକ ଆପତ୍ତି ଉଠାଇଥିଲେ। ସେହିପରି ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରିବା ଲାଗି ବିରୋଧୀ ଦଳଗୁଡିକ ପକ୍ଷରୁ ମିଳିତ ଭାବେ ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ଅଗଷ୍ଟ ୧୨ରେ ସଂସଦର ମୌସୁମୀ ଅଧିବେଶନ ଶେଷ ହେବ।
Comments are closed.