ବୋଲଗଡ଼ : ସାରା ରାଜ୍ୟରେ କୁନି ଝିଅ ‘ପରୀ’ର ହତ୍ୟାକୁ ନେଇ ତାତି ତଥା ଚର୍ଚ୍ଚା ଜୋର ଧରିଛି। ଏପରିକି ପରୀ ସମ୍ପର୍କରେ ରାଜ୍ୟ ବିଧାନସଭାରେ ଖୁବ୍ ସରଗରମ ବିତର୍କ ହୋଇସାରିଛି। ମାତ୍ର ଗୋଟିଏ ନିରୀହ, ନିଷ୍ପାପ ଜୀବନ ଅକାଳରେ ଝଡି ପଡିଥିବା ହେତୁ ରାଜ୍ୟର ଆବାଳ ବୃଦ୍ଧବନିତା ସମସ୍ତଙ୍କ ମନରେ ଏକ ସ୍ପର୍ଶକାତର ଘଟଣା ରୂପେ ଆନ୍ଦୋଳିତ ହୋଇଛି। ଏହି ପରୀପ୍ରେକ୍ଷୀରେ ବୋଲଗଡ ବରିଷ୍ଠ ନାଗରିକ ମଞ୍ଚ ଓ ଯୁବସମାଜ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଜଗନ୍ନାଥଙ୍କ ମନ୍ଦିରରେ ପରୀ ଅମର ଆତ୍ମାର ସଦ୍ଗତି ଓ ହତ୍ୟାର ନ୍ୟାୟ ପାଇଁ ଏକ ସମୂହ ଦୀପ ଦାନ ଅନୁଷ୍ଠିତ ହୋଇଯାଇଛି। ଏହି ସମୂହ ଦୀପଦାନ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ଅର୍ନ୍ତଯ୍ୟାମୀ ଜେନା, ସତ୍ୟନାରାୟଣ ଦାସ, ପ୍ରଫୁଲ କୁମାର ସିଂହ, ଯୁବସମାଜସେବୀ ମୁକେଶ ସାମନ୍ତରାୟ, ସିପ୍ରତ କୁମାର ସାହୁ, ଅମ୍ଳାନଜ୍ୟୋତି ସାହୁ, ରାଜେନ୍ଦ୍ର କୁମାର ରାମ, ସୁଧାଂଶୁ ପ୍ରସାଦ ପାଲ, ବିଶ୍ୱଭୂଷଣ ମହାପାତ୍ର, ଦିଲ୍ଲୀପ କୁମାର ଚଉଧୁରୀ ପ୍ରମୁଖ ଦୀପଦାନ କରିଥିଲେ। ପରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏହାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ତଥା ନ୍ୟାୟ ପାଇଁ ସୋସିଆଲ ମିଡିଆ କ୍ୟାମ୍ପେନ ମାଧ୍ୟମରେ ଜଣାଇଥିଲେ।
Popular Categories



