ଅସୁସ୍ଥ ପପୁ ନୂଆଦିଲ୍ଲୀ ଏମ୍ସରେ ଭର୍ତ୍ତି
ଭୁବନେଶ୍ୱର : ଲୋକପ୍ରିୟ ହାସ୍ୟାଭିନେତା ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମପମ୍ଙ୍କୁ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ଏମ୍ସକୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି। ପାକକ୍ରିୟାଜନିତ ସମସ୍ୟା ଯୋଗୁଁ ସେ ଗତ ୧୧ ତାରିଖରୁ ଏଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନଆସିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ନୂଆଦିଲ୍ଲୀ ନିଆଯାଇଛି।
ସାଥୀ କଳାକାର, ସହଯୋଗୀ ତାଙ୍କ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ପପୁଙ୍କ ଚିକିତ୍ସା ପାଇଁ ଏମ୍ସର ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ପପୁ ଶୀଘ୍ର ଆରୋଗ୍ୟ ଲାଭ କରି ଫେରନ୍ତୁ ବୋଲି କଳାକାରମାନେ ଭଗବାନଙ୍କଠାରେ ପ୍ରାର୍ଥନା କରିଛନ୍ତି।
ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ କହିଛନ୍ତି, ପପୁଙ୍କ ଅଧିକ ଚିକିତ୍ସା ନିମନ୍ତେ ନୂଆଦିଲ୍ଲୀ ପଠାଯାଇଛି। ଆଜି ସନ୍ଧ୍ୟାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲୁ ରହିଛି। ଏହା ବ୍ୟୟବହୁଳ ହୋଇଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ସହାୟତା ପ୍ରଦାନ ନିମନ୍ତେ ପ୍ରକ୍ରିୟା ଜାରି ରହିଛି। ସେ ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି ଆମେ ଆଶାବାଦୀ। ଅନ୍ୟପକ୍ଷରେ ଓଡ଼ିଶା ସିନେ କଳାକାର ସଂଘର ସାଧାରଣ ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି, ସଂଘ ପକ୍ଷରୁ ସହାୟତା ପ୍ରଦାନ ନିମନ୍ତେ ଉଦ୍ୟମ ହେଉଛି। ନୂଆଦିଲ୍ଲୀରେ ତାଙ୍କର ଚିକିତ୍ସାରେ ଯେପରି ଅସୁବିଧା ନୁହଏ ସେ ଦିଗରେ ଉଦ୍ୟମ କରାଯାଉଛି। ସେ ଶୀଘ୍ର ଭଲ ହୋଇ ଫେରି ଆସନ୍ତୁ, ଜଗନ୍ନାଥଙ୍କ ପାଖେ ପ୍ରାର୍ଥନା କରୁଛୁ ବୋଲି କହିଛନ୍ତି।