ଅପେକ୍ଷା ଥିବା ଦକ୍ଷ ଅଲ୍ରାଉଣ୍ଡର ମିଳିଗଲେ
ଟି-୨୦ ବିଶ୍ବକପ୍ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସିର ଖବର
ମାଞ୍ଚେଷ୍ଟର : ଟ୍ବେଣ୍ଟି-୨୦ ବିଶ୍ବକପ୍ ବର୍ଷରେ ଭାରତୀୟ କ୍ରିକେଟ୍ ପାଇଁ ଏହାଠାରୁ ବଡ଼ ଖୁସିର ଖବର କ’ଣ ହୋଇପାରେ ଯେ ହାର୍ଦିକ ପାଣ୍ଡ୍ୟା ପୂରା ଦମ୍ରେ ଦୀର୍ଘ ସମୟ ବୋଲିଂ କରି ପାରୁଛନ୍ତି। ତାଙ୍କ ଗତିରେ ଉନ୍ନତି ଘଟିଛି ଏବଂ ବଲ୍କୁ ବାଉନ୍ସ ମଧ୍ୟ କରି ପାରୁଛନ୍ତି। ସଠିକ୍ ଲାଇନ୍ ଲେଙ୍ଗ୍ଥରେ ହାର୍ଦିକ ବୋଲିଂ କରି ପାରୁଛନ୍ତି। ଗତ ଆଇପିଏଲ୍ରେ ଗୁଜରାଟ ଟାଇଟାନ୍ସର ନେତୃତ୍ବ ନେଇ ହାର୍ଦିକ କେବଳ ଦଳକୁ ଚମ୍ପିଆନ୍ କରାଇନଥିଲେ; ଉଭୟ ବ୍ୟାଟିଂ ଓ ବୋଲିଂେର ଚମତ୍କାର ପ୍ରଦର୍ଶନ କରିଥିଲେ। ଗତ କିଛିବର୍ଷ ହେଲା ହାର୍ଦିକ ପିଠି ଯନ୍ତ୍ରଣା ସହ ସଂଘର୍ଷ କରି ଆସୁଛନ୍ତି। କିଛି ମ୍ୟାଚ୍ରେ ତ ସେ କେବଳ ବ୍ୟାଟ୍ସମ୍ୟାନ୍ ଭାବେ ଖେଳିଛନ୍ତି। ହେଲେ ଇଂଲଣ୍ଡ ଗସ୍ତରେ ପ୍ରକୃତ ଅଲ୍ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ ଦଳ ପାଇଛି। ଜଣେ ଆଗଧାଡ଼ିର ପେସ୍ ବୋଲର ଭାବେ ହାର୍ଦିକ ବୋଲିଂ କରୁଛନ୍ତି। ବ୍ୟାଟିଂରେ ଦଳକୁ ମ୍ୟାଚ୍ ଜିତାଇ ପାରୁଛନ୍ତି।
ରବିବାର ଇଂଲଣ୍ଡ ବିପକ୍ଷ ନିର୍ଣ୍ଣାୟକ ୩ୟ ଦିନିକିଆ ମ୍ୟାଚ୍ରେ ହାର୍ଦିକ ପାଣ୍ଡ୍ୟାଙ୍କ ବୋଲିଂ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ମାତ୍ର ୭ ଓଭରରୁ ହାର୍ଦିକ ୨୪ ରନ୍ ଦେଇ ୪ଟି ୱିକେଟ ନେଇଥିଲେ। ଏହା ତାଙ୍କ ଦିନିକିଆ କ୍ରିକେଟ୍ ଜୀବନରେ ସର୍ବଶ୍ରେଷ୍ଠ ବୋଲିଂ ଫିଗର। ଏକ ବ୍ୟାଟିଂ ଉପଯୋଗୀ ପିଚ୍େର ହାର୍ଦିକଙ୍କ ଏପରି ବୋଲିଂ ପ୍ରଦର୍ଶନ ନିଶ୍ଚୟ ପ୍ରଶଂସାଯୋଗ୍ୟ। ତାଙ୍କ ଶିକାର ହୋଇଥିଲେ ଜେସନ୍ ରୟ, ବେନ୍ ଷ୍ଟୋକ୍ସ, ଜୋସ୍ ବଟ୍ଲର ଓ ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍। ସେ ସର୍ଟ ପିଚ୍ ବୋଲିଂର ଚମତ୍କାର ପ୍ରୟୋଗ କରିଥିଲେ; ଯେଉଁଥିରୁ ସେ ୩ଟି ୱିକେଟ ନେଇଥିଲେ। ଶୃଙ୍ଖଳାେର ମୋଟ ୧୦୦ ରନ୍ କରିବା ସହ ୬ଟି ୱିକେଟ ନେଇ ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ ହାର୍ଦିକ ପାଣ୍ଡ୍ୟା। ଅବଶ୍ୟ ୪ଟି ୱିକେଟ ନେବା ସହ ଦ୍ରୁତ ୭୧ ରନ୍ କରିଥିବା ହାର୍ଦିକ ପାଣ୍ଡ୍ୟା ହିଁ ଋଷଭ ପନ୍ତ୍ଙ୍କ ସ୍ଥାନରେ ପ୍ଲେୟର ଅଫ୍ ଦି ମ୍ୟାଚ୍ ହେବା ଉଚିତ ବୋଲି ବହୁ କ୍ରିକେଟ୍ ପଣ୍ଡିତ ମତ ଦେଇଛନ୍ତି। ଶୃଙ୍ଖଳା ବିଜୟୀ ତାଙ୍କ ପ୍ରଦର୍ଶନ ପରେ ହାର୍ଦିକ ପାଣ୍ଡ୍ୟା କହିଥିଲେ, ମୁଁ ଜାଣି ଯାଇଥିଲି ଯେ ଗୁଡ୍ ଲେଙ୍ଗ୍ଥରେ ବୋଲିଂକରି ଏହି ପିଚ୍ରୁ ମୋତେ ସେପରି ସୁଫଳ ମିଳିବ ନାହିଁ। ତେଣୁ ଯୋଜନାରେ ପରିବର୍ତ୍ତନ କରି ପିଠିକୁ ବଙ୍କାକରି ସର୍ଟ ପିଚ୍ ବୋଲିଂ କରିବାକୁ ଠିକ୍ କରିଥିଲି। ସର୍ଟ ପିଚ୍ ବଲ୍ରେ ୱିକେଟ ନେଇପାରିବି ବୋଲି ବିଶ୍ବାସ ଥିଲା। ଏହି ଯୋଜନା ସଫଳ ହୋଇଥିଲା। ମୋ ବାଉନ୍ସର ଉପରେ ମୋର ବହୁତ ବିଶ୍ବାସ ଥିଲା। ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ ସର୍ଟ ପିଚ୍ ବଲ୍କୁ ଆକ୍ରମଣ କରିବାକୁ ଭଲପାଆନ୍ତି। ଏହା ମୋତେ ଜଣାଥିଲା। ମୋ ସର୍ଟ ବଲ୍ରେ ଲିଭିଙ୍ଗ୍ଷ୍ଟୋନ୍ ୨ଟି ଛକା ମାରିଥିଲେ। ହେଲେ ତାଙ୍କ ୱିକେଟ ଦଳ ପାଇଁ ମହତ୍ତ୍ବପୂର୍ଣ୍ଣ ଥିଲା। ମୋ ଶରୀର ଏବେ ପୂରା ଫିଟ୍ ଅଛି। ବିନା ଅସୁବିଧାରେ ବହୁତ ଓଭର ବୋଲିଂ କରିପାରୁଛି। ମୋ’ ଶରୀର ଉପରେ ଯେପରି ଅଧିକ ଚାପ ନ ପଡ଼େ; ତା’ର ଧ୍ୟାନ ମୋ ଅଧିନାୟକ ରଖୁଛନ୍ତି। ସେ ଜାଣିଛନ୍ତି ଯେ କେବେ ମୁଁ ବୋଲିଂକରିବି ଏବଂ କେବେ ନୁହେଁ। ଇଂଲଣ୍ଡ ବିପକ୍ଷ ୩ୟ ଦିନିକିଆ ମ୍ୟାଚ୍ରେ ଆକ୍ରମଣାତ୍ମକ ୭୧ ରନ୍କରି ଦଳକୁ ଜିତାଇବା ପରେ ହାର୍ଦିକ କହିଛନ୍ତି, ପିଚ୍ ବ୍ୟାଟିଂ ପାଇଁ ଭଲ ଥିଲା। କେତେ ୱିକେଟ ପଡ଼ିଛି; ସେ ପ୍ରତି ଧ୍ୟାନ ନଦେଇ ସ୍ବାଭାବିକ ଭାବେ ଷ୍ଟ୍ରୋକ୍ ଖେଳିବାକୁ ନିଷ୍ପତ୍ତି ନେଇଥିଲି। ରନ୍ର କିପରି ପିଛା କରାଯାଏ; ତାହା ମୁଁ ଜାଣିଛି। ଦଳକୁ ଜିତାଇବା ନେଇ ଦୃଢ଼ ଆତ୍ମବିଶ୍ବାସ ଥିଲା।
Comments are closed.