Patra electronics

୧୯୭୧ର ପ୍ରତିଶୋଧ ନେବାକୁ ପାକିସ୍ତାନର ଯୋଜନା

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶ ଉପକୂଳ ସମୁଦ୍ରରେ ଏକ ଛୋଟ ଜାଗା ରହିଛି, ଯାହାର ନାଁ ହେଉଛି ସେଣ୍ଟ ମାର୍ଟିନ। ଏହା ଏକ ଛୋଟିଆ ଦ୍ଵୀପ। ବାଂଲାଦେଶ ଉପକୂଳରୁ ମାତ୍ର ୯ କିଲୋମିଟର ଦୂର ସମୁଦ୍ର ଭିତରେ ରହିଛି ଏହି ଟାପୁ। ଦେଖିବାକୁ ଏହା ଖୁବ୍‌ ସୁନ୍ଦର। କିନ୍ତୁ ଏଥର ଏହି ଦ୍ଵୀପ ଏବେ ଚର୍ଚ୍ଚାକୁ ଆସିଛି। ଯାହା ପଛରେ ରହିଛି ବାଂଲାଦେଶରେ ସରକାର ପରିବର୍ତ୍ତନର କାରଣ। ଆମେରିକା ଏହି ଦ୍ଵୀପ ନେବାକୁ ଚାହୁଁଥିଲା। କିନ୍ତୁ ତାହାକୁ ନ ଦେବାରୁ ଆମେରିକା ଷଡ଼ଯନ୍ତ୍ର କରି ବିରୋଧୀଙ୍କ ଜରିଆରେ ଦେଶରେ ସରକାର ବଦଳାଇଦେଲା ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା। ତେବେ ଏହି ଦ୍ଵୀପ ସହିତ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଏବଂ ମ୍ୟାଁମାର୍‌ର ରୋହିଙ୍ଗ୍ୟା ମୁସଲମାନଙ୍କର ବି ସମ୍ପର୍କ ରହିଛି, ଯାହା ଏବେ ସାମ୍ନାକୁ ଆସିଛି। କୁହାଯାଉଛି ଯେ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ରୋହିଙ୍ଗ୍ୟା ମୁସଲମାନଙ୍କ ଜରିଆରେ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଯୋଜନା ଚଳାଇଛି। ଏସବୁ ଯୋଜନାର ବ୍ଲୁ ପ୍ରିଣ୍ଟ ସେଣ୍ଟ ମାର୍ଟିନ ଦ୍ଵୀପରେ ହିଁ ତିଆରି ହେଉଥିବା ଜଣାପଡ଼ିଛି।

ସେଣ୍ଟ ମାର୍ଟିନ ଦ୍ଵୀପ ନିକଟରେ ଆଉ ଏକ ଛୋଟ ଦ୍ଵୀପ ରହିଛି, ଯାହାର ନାଁ ହେଉଛି ଛେରା ଦ୍ଵୀପ। ଏହା ପଶ୍ଚିମ ମ୍ୟାଁମାରଠାରୁ ୮ କିଲୋମିଟର ଦୂରରେ ଅବସ୍ଥିତ। ଏହି ଦ୍ଵୀପ ବାଂଲାଦେଶ ଏବଂ ମ୍ୟାଁମାର୍‌ର ଅନ୍ତର୍ଜାତୀୟ ସୀମାରେଖା ନିର୍ଦ୍ଧାରଣ କରୁଛି। ଏଠାରେ ପ୍ରଚୁର ନଡ଼ିଆ ଏବଂ ଡାଲଚିନି ମିଳିଥାଏ। ତେବେ ସେଣ୍ଟ ମାର୍ଟିନ ଦ୍ଵୀପ ଉପରେ ପାକିସ୍ତାନ, ଚୀନ ଏବଂ ଆମେରିକାର ନଜର ରହିଆସିଛି। ରଣନୀତି ଦୃଷ୍ଟିକୋଣରୁ ଏହି ଦ୍ଵୀପର ଭୂମିକା ଗୁରୁତ୍ଵପୂର୍ଣ୍ଣ।

ମ୍ୟାଁମାର୍‌ର ଜୁଣ୍ଟା ସେନା ସେଣ୍ଟ ମାର୍ଟିନ ଦ୍ଵୀପକୁ ନିଜ କବ୍‌ଜାକୁ ନେବା ଲାଗି ଅନେକ ଥର ଉଦ୍ୟମ କରିଛି। ଆଇଏସଆଇ ଇଙ୍ଗିତରେ ଏହି ଦ୍ଵୀପ ଉପରେ ଜୁଣ୍ଟା ସେନା ପକ୍ଷରୁ ଆକ୍ରମଣ କରାଯାଉଛି। ଆଇଏସଆଇ ସହାୟତାରେ ଜୁଣ୍ଟା ସେନା ଟେକନାଫ ଏବଂ ସେଣ୍ଟ ମାର୍ଟିନର ସାମୁଦ୍ରିକ ରାସ୍ତାରେ ବାଂଲାଦେଶୀ ଜାହାଜ ଉପରେ ଆକ୍ରମଣ କରିଥାଆନ୍ତି। ୨୦୨୧ ଫେବୃୟାରୀ ୧ରେ ଜୁଣ୍ଟା ସେନା ମ୍ୟାଁମାର୍‌ରେ ସରକାର ବଦଳାଇ ଦେଇଥିଲା। ସେବେଠାରୁ ମ୍ୟାଁମାର୍‌ରେ ଗୃହଯୁଦ୍ଧ ପରିସ୍ଥିତି ଲାଗି ରହିଛି।

୨୦୧୭ ଅଗଷ୍ଟରେ ପ୍ରାୟ ୧ କୋଟି୨୦ ଲକ୍ଷ ରୋହିଙ୍ଗ୍ୟା ମୁସଲମାନଙ୍କୁ ବାଂଲାଦେଶରେ ଶରଣ ଦିଆଯାଇଥିଲା। ମ୍ୟାଁମାର ସେନା ଏବଂ ଅରାକାନ୍‌ ରୋହିଙ୍ଗ୍ୟା ସାଲଭେସନ ଆର୍ମି (ଏଆରଏସଏ) ମଧ୍ୟରେ ହୋଇଥିବା ଯୁଦ୍ଧ ଯୋଗୁ ରୋହିଙ୍ଗ୍ୟାମାନେ ବାଂଲାଦେଶ ପଳାଇ ଆସିଥିଲେ। ଏଆରଏସଏ ଏକ କୁଖ୍ୟାତ ଆତଙ୍କବାଦୀ ସଂଗଠନ, ଯିଏକି ଡ୍ରଗ୍ସ, ଅସ୍ତ୍ରଶସ୍ତ୍ର ଏବଂ ମାନବ ଚାଲାଣ କରିଥାଏ। ବର୍ତ୍ତମାନ ଚୀନ ଏବଂ ପାକିସ୍ତାନ ଏହାର ଫାଇଦା ଉଠାଇବାକୁ ଅଣ୍ଟା ଭିଡିଛନ୍ତି। କୁହାଯାଉଛି ଯେ, ମ୍ୟାଁମାର ସେନା ରୋହିଙ୍ଗ୍ୟା ମୁସଲମାନଙ୍କୁ ନେଇ ଏକ ସ୍ଵତନ୍ତ୍ର ସେନା ଗଠନ କରୁଛି। ଏହି ସେନାକୁ ସେଣ୍ଟ ମାର୍ଟିନ ଦ୍ଵୀପକୁ କବ୍‌ଜା କରିବାକୁ ଦାୟିତ୍ଵ ଦିଆଯାଇଛି। ଆଇଏସଆଇ କମାଣ୍ଡୋ ଏମାନଙ୍କୁ ଆତ୍ମଘାତୀ ଆକ୍ରମଣ ପାଇଁ ପ୍ରଶିକ୍ଷଣ ଦେଉଛନ୍ତି। ସେମାନେ ପ୍ରଶିକ୍ଷଣ ନେବା ପରେ ଜଳପଥ ଦେଇ ଭାରତରେ ଅନୁପ୍ରବେଶ କରିବା ସହିତ ଅଶାନ୍ତି ସୃଷ୍ଟି କରିବେ ବୋଲି କୁହାଯାଉଛି।

ପ୍ରତିରକ୍ଷା ବିଶେଷଜ୍ଞ ଜେ.ଏସ. ସୋଢ଼ି କହିଛନ୍ତି ଯେ, ଭାରତରେ ଶାନ୍ତି ଏବଂ ଅଖଣ୍ଡତା ରହିଛି। କିନ୍ତୁ ଆମର ପରମ୍ପରାଗତ ଶତ୍ରୁ ପାକିସ୍ତାନ ଏବଂ ଚୀନ ଏହାକୁ ଆଦୌ ସହ୍ୟ କରିପାରନ୍ତି ନାହିଁ। ସେମାନଙ୍କୁ ଯେବେ ବି କୌଣସି ସୁଯୋଗ ମିଳେ ସେମାନେ ତାହାକୁ ଭାରତ ବିରୋଧରେ ବ୍ୟବହାର କରନ୍ତି। ଆଇଏସଆଇ ଏସବୁ କାର୍ଯ୍ୟକଳାପରେ ସାମିଲ ରହିଥାଏ। ସେମାନେ ଏବେ ବାଂଲାଦେଶରେ ରୋହିଙ୍ଗ୍ୟା ମୁସଲମାନଙ୍କୁ ବ୍ୟବହାର କରି ଦେଶରେ ଅରାଜକତା ସୃଷ୍ଟି କରୁଛନ୍ତି। କାରଣ ପାକିସ୍ତାନ ଆଜି ବି ବାଂଲାଦେଶର ସ୍ଵାଧୀନତାକୁ ହଜମ କରିପାରି ନାହିଁ। ୧୯୭୧ ଯୁଦ୍ଧରେ ଭାରତଠାରୁ ପାକିସ୍ତାନ ହାରିଥିଲା। ତେଣୁ ତାହାର ପ୍ରତିଶୋଧ ନେବା ଲାଗି ସୁଯୋଗ ଖୋଜୁଛି ପାକିସ୍ତାନ। ଆଇଏସଆଇ ପ୍ରରୋଚନାରେ ରୋହିଙ୍ଗ୍ୟା ମୁସଲମାନମାନେ ଇସଲାମିକ ଷ୍ଟେଟ୍‌, ଅଲକାଏଦା, ଜମାତ ଭଳି ଆତଙ୍କବାଦୀ ସଂଗଠନରେ ସାମିଲ ହେଉଛନ୍ତି। ଆଇଏସଆଇ ରୋହିଙ୍ଗ୍ୟା ମୁସଲମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପ୍ରଶିକ୍ଷଣ ଦେଉଥିବା ନେଇ ୨୦୨୦ରେ ଭାରତୀୟ ସୁରକ୍ଷା ସଂସ୍ଥାଗୁଡ଼ିକ ପକ୍ଷରୁ ସେନାକୁ ସତର୍କ କରାଯାଇଥିଲା।

ବାଂଲାଦେଶରେ ସରକାର ବଦଳିବା ପରେ ଆଇଏସଆଇ ସହଜରେ ସେଣ୍ଟ ମାର୍ଟିନ ଦ୍ଵୀପକୁ ନିଜ କବ୍‌ଜାକୁ ନେଇପାରିବ। ସେହିଠାରେ ପାକିସ୍ତାନ ଭାରତ ବିରୋଧୀ ଷଡ଼ଯନ୍ତ୍ରକୁ ଆଗେଇନେବ ବୋଲି ଜଣାପଡ଼ିଛି।

Comments are closed.