ଇଣ୍ଟରନେଟ୍‌ ସ୍ପିଡ୍‌ରେ ସବୁଠୁ ପଛରେ ପାକିସ୍ତାନ, ଶୀର୍ଷରେ ୩ ମୁସଲିମ ଦେଶ

ସମାଜ ଡିଜିଟାଲ ଡେସ୍କ: ଅର୍ଥନୀତି କ୍ଷେତ୍ରରେ ପଛୁଆ ପାକିସ୍ତାନ ଏବେ ଇଣ୍ଟରନେଟ୍ କ୍ଷେତ୍ରରେ ମଧ୍ୟ ବିଶ୍ବର ଅନ୍ୟ ଦେଶମାନଙ୍କଠାରୁ ପଛରେ ପଡ଼ିଛି, କହିବାକୁ ଗଲେ ସବୁଠୁ ପଛରେ ରହିଛି। ବର୍ତ୍ତମାନ ସମୟରେ ପାକିସ୍ତାନ ଏମିତି ଏକ ଦେଶ, ଯେଉଁଠାରେ ବିଶ୍ବର ସବୁଠୁ ମନ୍ଥର ମୋବାଇଲ ଓ ବ୍ରଡବ୍ୟାଣ୍ଡ ସ୍ପିଡ୍ ଉପଲବ୍ଧ। Ooklaର ସ୍ପିଡଟେଷ୍ଟ ଗ୍ଲୋବାଲ ଇଣ୍ଡେକ୍ସର ଅକ୍ଟୋବର ରିପୋର୍ଟରେ ଏହା ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଜୁଲାଇରୁ ହିଁ ମୋବାଇଲ୍ ବ୍ୟବହାରକାରୀମାନେ ପାକିସ୍ତାନରେ ଇଣ୍ଟରନେଟ୍ ସ୍ପିଡ୍ କମ୍ ନେଇ ଅଭିଯୋଗ କରିଆସୁଛନ୍ତି। ଏଥିସହ ଇଣ୍ଟରନେଟ୍ ସଂଯୋଗ ବାଧାପ୍ରାପ୍ତ ହେବାର ସୂଚନା ମଧ୍ୟ ଅଛି।

ବିଶ୍ବସ୍ତରରେ ଇଣ୍ଟରନେଟ୍ ସ୍ପିଡ୍ ବିଷୟରେ କହିବାକୁ ଗଲେ, ୧୧୧ଟି ଦେଶ ମଧ୍ୟରୁ ପାକିସ୍ତାନ ମୋବାଇଲ୍ ଇଣ୍ଟରନେଟ୍ ସ୍ପିଡରେ ୧୦୦ତମ ସ୍ଥାନରେ ଥିବାବେଳେ ବ୍ରଡବ୍ୟାଣ୍ଡ ସ୍ପିଡରେ ୧୫୮ଟି ଦେଶ ମଧ୍ୟରେ ୧୪୧ତମ ସ୍ଥାନରେ ରହିଛି। Ooklaର ସ୍ପିଡଟେଷ୍ଟ ଗ୍ଲୋବାଲ ଇଣ୍ଡେକ୍ସ ରିପୋର୍ଟ ଅନୁସାରେ, ପାକିସ୍ତାନର ହାରାହାରି ଡାଉନଲୋଡ୍ ସ୍ପିଡ୍ ୭.୮୫ଏମବିପିଏସ ଥିବାବେଳେ ମିଡିଆନ୍ ମୋବାଇଲ୍ ଡାଉନଲୋଡ୍ ସ୍ପିଡ୍ ୧୯.୫୯ଏମବିପିଏସ ରହିଛି। ସେହିପରି ମିଡିଆନ୍ ବ୍ରଡବ୍ୟାଣ୍ଡ ଡାଉନଲୋଡ୍ ସ୍ପିଡ୍ ୧୫.୫୨ଏମବିପିଏସ ରହିଛି।

ଏହି ରିପୋର୍ଟରେ ଦାବି କରାଯାଇଛି ଯେ, ପାକିସ୍ତାନ ସରକାର ଭର୍ଚୁଆଲ୍ ପ୍ରାଇଭେଟ ନେଟୱର୍କ(ଭିପିଏନ) ଆକ୍ସେସ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି, ଯାହା ସାହାଯ୍ୟରେ ଅନେକ ପାକିସ୍ତାନୀ ଲୁଚି ଛପି ଏକ୍ସ ଓ ନିଷିଦ୍ଧ ୱେବସାଇଟର ବ୍ୟବହାର କରୁଥିଲେ।

ରିପୋର୍ଟରେ ସେହି ୧୦ ଦେଶର ତାଲିକା ପ୍ରକାଶ ପାଇଛି, ଯେଉଁଠାରେ ସବୁଠୁ ଦ୍ରୁତ ମୋବାଇଲ ଇଣ୍ଟରନେଟ୍‌ ସ୍ପିଡ୍‌ ଉପଲବ୍ଧ। ଏହି ଦେଶଗୁଡିକ ମଧ୍ୟରୁ ୩ ମୁସଲିମ ଦେଶ ସେମାନଙ୍କର ପ୍ରଭାବଶାଳୀ ସ୍ପିଡ୍‌ ଯୋଗୁଁଁ ଶୀର୍ଷରେ ଅଛନ୍ତି।

ଶୀର୍ଷ ୧୦ ଦେଶ ତାଲିକା:

୧. ୟୁନାଇଟେଡ୍‌ ଆରବ ଏମିରେଟ୍ସ(ୟୁଏଇ)

୨. କାତାର

୩. କୁଓ୍ବେତ

୪. ଦକ୍ଷିଣ କୋରିଆ

୫. ନେଦରଲାଣ୍ଡ

୬. ଡେନମାର୍କ

୭. ନର୍‌ଓ୍ବେ

୮. ସାଉଦି ଆରବ

୯. ବୁଲ୍‌ଗାରିଆ

୧୦. ଲକ୍‌ଜମବର୍ଗ

Comments are closed.