ନୂଆଦିଲ୍ଲୀ : ପାକିସ୍ତାନୀ ଉଚ୍ଚାୟୁକ୍ତର ଜଣେ ଅଧିକାରୀ ନୂଆଦିଲ୍ଲୀରେ ଜଣେ ମହିଳାଙ୍କୁ ଆପତ୍ତିଜନକ ବ୍ୟବହାର କରିବା ନେଇ ହୋଇଥିବା ଅଭିଯୋଗ ପରିପ୍ରେକ୍ଷୀରେ ପାକିସ୍ତାନରେ ୨ ଜଣ ଭାରତୀୟ କୂଟନୀତିଜ୍ଞଙ୍କୁ ଧମକ ମିଳିଛି। ପ୍ରତିଶୋଧମୂଳକ ଭାବେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ଭାରତୀୟ କୂଟନୀତିଜ୍ଞ ଦ୍ବୟଙ୍କୁ ପାକିସ୍ତାନୀ ସୁରକ୍ଷା ଏଜେନ୍ସି ଧମକାଇଥିବା ଜଣାପଡିଛି। ପ୍ରମୁଖ ଇଂରାଜୀ ଗଣମାଧ୍ୟମ ‘ଦି ଇଣ୍ଡିଆନ ଏକ୍ସପ୍ରେସ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହି ଅଧିକାରୀମାନଙ୍କ ଧମକ ମିଳିବା ସମ୍ବନ୍ଧରେ ଭାରତୀୟ ଉଚ୍ଚାୟୁକ୍ତ ପକ୍ଷରୁ ପ୍ରତିବାଦ ଜଣାଇ ପାକିସ୍ତାନ ସରକାରଙ୍କୁ ଚିଠି ଲେଖାଯାଇଛି। ଗତ ସପ୍ତାହରେ ଘଟିଥିବା ଏହି ଘଟଣା ସମ୍ବନ୍ଧରେ ଚିଠିରେ ସବିେଶଷ ବିବରଣୀ ପ୍ରଦାନ କରାଯାଇଛି। ଉଲ୍ଲେଖ ଯେ ଜାନୁଆରୀ ୧୩ରେ ନୂଆଦିଲ୍ଲୀଠାରେ ପାକିସ୍ତାନୀ ଅଧିକାରୀ ତାଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିଲେ ବୋଲି ଜଣେ ମହିଳା ଅଭିଯୋଗ କରିଥିଲେ। ପରେ ସମ୍ପୃକ୍ତ ଅଧିକାରୀଙ୍କୁ ବେଶ କିଛି ସମୟ ଥାନାରେ ଅଟକ ରଖାଯାଇ ପଚରା ଉଚୁରା କରାଯାଇଥିଲା। ପାକିସ୍ତାନ ମଧ୍ୟ ଏ ନେଇ ଭାରତ ନିକଟରେ ପ୍ରତିବାଦ କରିଛି। ଅନ୍ୟପଟେ ଜାନୁଆରୀ ୧୪ରେ ଲାହୋରଠାରେ ଅନସର-ଉଲ-ଉମା ମୁଖ୍ୟ ରେହମନ ଖଲିଲ ଭାରତ ବିରୋଧରେ ହିଂସା ଓ ଆତଙ୍କବାଦ ଘଟାଇବା ନେଇ ବକ୍ତବ୍ୟ ଦେଇଥିଲେ। ଭାରତ ଏ ସମ୍ବନ୍ଧରେ ମଧ୍ୟ ପାକିସ୍ତାନ ସରକାରଙ୍କ ନିକଟରେ ପ୍ରତିବାଦ କରିଛି।
Popular Categories



