ପାକିସ୍ତାନରେ ୩୦% ଅଣ-ମୁସଲମାନ ଭୋଟର
ଇସ୍ଲାମାବାଦ : ପାକିସ୍ତାନରେ ଅଣ-ମୁସଲମାନ ଭୋଟରଙ୍କ ସଂଖ୍ୟା ୩୦% ବୃଦ୍ଧି ପାଇଥିବା ବେଳେ ଏମାନଙ୍କ ମଧ୍ୟରେ ହିନ୍ଦୁଙ୍କ ସଂଖ୍ୟା ବେଶୀ ବୋଲି ଏକ ସର୍ଭେରୁ ଜଣାପଡିଛି। ଡନ୍ ନ୍ୟୁଜ୍ ପକ୍ଷରୁ କରାଯାଇଥିବା ଏହି ସର୍ଭେ ଅନୁସାରେ ୨୦୧୩ରେ ଦେଶରେ ଅଣ-ମୁସଲମାନ ଭୋଟରଙ୍କ ସଂଖ୍ୟା ୨.୭୭ ମିଲିୟନ ଥିଲା, ଯାହାକି ଚଳିତବର୍ଷ ୩.୬୩ ନିୟୁତରେ ପହଞ୍ଚିଛି। ୨୦୧୩ରେ ମୋଟ ଅଣ-ମୁସଲମାନ ଭୋଟରଙ୍କ ମଧ୍ୟରୁ ଅଧା, ଅର୍ଥାତ୍ ୧.୪୦ ମିଲିୟନ କେବଳ ହିନ୍ଦୁ ଥିଲେ। କିନ୍ତୁ ଚଳିତବର୍ଷ ଏହି ସଂଖ୍ୟା ୧.୭୭ ମିଲିୟନ ରହିଛି। ମୁସଲମାନବହୁଳ ଏହି ରାଷ୍ଟ୍ରରେ ଦ୍ୱିତୀୟ ବୃହତ୍ ଅଣ-ମୁସଲମାନ ସମ୍ପ୍ରଦାୟ ହେଉଛନ୍ତି ଖ୍ରୀଷ୍ଟିଆନ୍। ଏହି ସମ୍ପ୍ରଦାୟର ଭୋଟର ସଂଖ୍ୟା ୧.୬୪ ମିଲିୟନ। ତେବେ ହିନ୍ଦୁ ଭୋଟରଙ୍କ ତୁଳନାରେ ଖ୍ରୀଷ୍ଟିଆନ୍ଙ୍କ ସଂଖ୍ୟାରେ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ପରିଲକ୍ଷିତ ହୋଇଛି। ଅନ୍ୟ ସମ୍ପ୍ରଦାୟ ମଧ୍ୟରେ ପାର୍ସୀ ଭୋଟରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଦେଶରେ ଜୁଲାଇ ୨୫ରେ ନିର୍ବାଚନ ଅନୁଷ୍ଠିତ ହେବ।