ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେବାକୁ ପାକିସ୍ତାନରେ ଅପରେସନ ସିନ୍ଦୂର ଜରିଆରେ ଭାରତ ଆତଙ୍କୀଙ୍କ ଆଡ୍ଡାକୁ ଧ୍ୱଂସ କରିଥିଲା । ଏହି ଅପରେସନ ସିନ୍ଦୂରରେ ପାକିସ୍ତାନର ଅନେକ ଏୟାରବେସ ଓ ଆତଙ୍କୀ ଆଡ୍ମା ଧୂଳିସାତ କରିବା ସହ ଅନେକ କ୍ଷତି ହୋଇଥିବା ଭାରତ ଦାବି କରିଥିଲା । ହେଲେ ପାକିସ୍ତାନ କିନ୍ତୁ ବାରମ୍ବାର ମିଛ ପ୍ରଚାର କରୁଥିଲା ଯେ ପାକ୍ ମାଟିରେ କୌଣସି କ୍ଷତି ହୋଇନାହିଁ । ହେଲେ ଏବେ ନିଜେ ଖୋଦ୍ ପାକିସ୍ତାନର ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୂରର ସଫଳତାକୁ ସ୍ୱୀକାର କରିଛନ୍ତି । ଭାରତର ପ୍ରତିଶୋଧମୂଳକ ଆକ୍ରମଣରେ ତାଙ୍କର ଅନେକ ବାୟୁସେନା ଘାଟି ଧ୍ୱଂସ ପାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ । ସବୁଠାରୁ ହାଇପ୍ରୋଫାଇଲ ଏୟାରବେସକୁ ଧ୍ୱଂସ କରିଛି ଭାରତ । ପାକିସ୍ତାନର ଏହି ସ୍ୱୀକାରୋକ୍ତି ଏବେ ସର୍ବ ସମ୍ମୁଖରେ ଆସିଛି । ଏହା ସେହି ମିଛୁଆ ପାକିସ୍ତାନ, ଯିଏକି ଗତକାଲି ପର୍ଯ୍ୟନ୍ତ କହୁଥିଲା ଯେ ପାକିସ୍ତାନରେ କିଛି ହୋଇନାହିଁ । ନିଜର ଦେଶର ଲୋକଙ୍କୁ ମୁର୍ଖ ବନାଉଥିଲା ଏବଂ ବିଜୟର ଉତ୍ସବ ପାଳନ କରୁଥିଲା । ଏବେ ଏହା କିନ୍ତୁ କୁହୁଛି ଯେ ଭାରତ ବହୁତ କ୍ଷତି କରିଛି ।
ଶେହବାଜ ସରିଫ୍ଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭିଡ଼ିଓରେ ସେ କହିଛନ୍ତି ଯେ ୯ ତାରିଖ ଏବଂ ୧୦ ତାରିଖରେ ରାତି ପ୍ରାୟ ୨ଟା ୩୦ ମିନିଟ ସମୟରେ ଜେନେରୋଲ ଆସିମ୍ ମୁନୀର ତାଙ୍କୁ ଫୋନ୍ କରି କହିଥିଲେ ଯେ ଜନାବ ଭାରତ ଏବେ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ମାଡ କରିଛି । ସେଥିରୁ ନୁରଖାନ୍ ଏୟାରବେସରେ ଏକ ମାଡ ହୋଇଥିବା ବେଳେ କିଛି ଅନ୍ୟରେ ମଧ୍ୟ ପଡିଛି ।
ଭାରତୀୟ ବାୟୁସେନା ଦେଶକୁ ରକ୍ଷା କରିବା ପାଇଁ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଥିବା ବେଳେ ସେମାନେ ଚୀନ ଯୁଦ୍ଧ ବିମାନରେ ଆଧୁନିକ ଉପକରଣ ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିଥିଲେ । ନୁରଖାନ ପାକିସ୍ତାନର କୌଣସି ସାଧାରଣ ଏୟାରବେସ୍ ନୁହେଁ । ଏହା ପାକିସ୍ତାନର ଭିଭିଆଇପି ଏବଂ ଉଚ୍ଚସ୍ତରୀୟ ସାମରିକ ବିମାନ ଚଳାଚଳର କେନ୍ଦ୍ରବିନ୍ଦୁ ଅଟେ । ଏହା ଇସଲାମାବାଦର ନିକଟର ଏବଂ ଏହାର ଦ୍ୱେିତ ଭୂମିକା ରହିଛି । ଏହି ଏୟାରବେସକୁ ପାକିସ୍ତାନର ସବୁଠାରୁ ସମ୍ବେଦନଶୀଳ ଏୟାରବେସ ମଧ୍ୟରୁ ଗୋଟିଏ ।
ସୂଚନା ଅନୁସାରେ ଆକ୍ରମଣ ପରେ ଏପର୍ଯ୍ୟନ୍ତ ଉପଲବ୍ଧ ସମସ୍ତ ସାଟେଲାଇଟ୍ ଚିତ୍ର ଦର୍ଶାଉଛି ଯେ ଭାରତୀୟ ବାୟୁସେନା ସମ୍ପୂର୍ଣ୍ଣ ସଠିକତାର ସହିତ ଆକ୍ରମଣ କରିଥିଲା ଏବଂ କୌଣସି ଟାର୍ଗେଟ କୌଣସି ସ୍ଥାନରେ ହାତଛଡା ହୋଇନଥିବା ପରି ମନେ ହୋଇଛି । ଭାରତୀୟ ବାୟୁସେନା ପାକିସ୍ତାନର ସବୁଠାରୁ ହାଇପ୍ରୋଫାଇଲ ଏୟାରବେସ ଉପରେ ଆକ୍ରମଣ କରି ଧ୍ୱଂସ କରିଥିବା ସ୍ୱୀକାର କରିଛନ୍ତି ପାକିସ୍ତାନ ।



