ସଙ୍ଗୀତ ଓ ନୃତ୍ୟ ନିର୍ଦ୍ଦେଶକ ପବିତ୍ର ପରିଡାଙ୍କ ପରଲୋକ, ଦାନ କଲେ ଚକ୍ଷୁ

ପିପିଲି : ପୁରୀ ଜିଲାର ପରିଚିତ ସଙ୍ଗୀତ ଓ ନୃତ୍ୟ ନିର୍ଦ୍ଦେଶକ ପବିତ୍ର କୁମାର ପରିଡାଙ୍କର ୫୮ ବର୍ଷ ବୟସରେ ୧୫ ତାରିଖ ରାତିରେ ହୃଦାଘାତରେ ପରଲୋକ ଘଟିଛି । ପିପିଲି ନିକଟବର୍ତ୍ତୀ ଷଡାଙ୍ଗୋଇ ଗ୍ରାମ ସ୍ଥିତ ନିଜ ବାସଭବନରେ ସେ ସୋମବାର ରାତିରେ ବିଶ୍ରାମ ନେଉଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ପିପିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ପରେ ତାଙ୍କୁ କ୍ୟାପିଟାଲ ହସ୍‍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ପରେ ଡାକ୍ତରଖାନାରେ ତାଙ୍କର ଦୁଇଟି ଯାକ ଚକ୍ଷୁକୁ ପରିବାର ଲୋକେ ଦାନ କରିଥିଲେ । ଏକମାତ୍ର ପୁତ୍ର ଅଭିଷେକ ଆନନ୍ଦ ପରିଡାଙ୍କଠାରୁ ସମ୍ମତି ନେବା ପରେ କ୍ୟାପିଟାଲ୍‍ ହସ୍‍ପିଟାଲ କତ୍ତୃପକ୍ଷ ତାଙ୍କର ଦୁଇଟି ଯାକ ଚକ୍ଷୁକୁ ସୁରକ୍ଷିତ ଭାବେ ସଂଗ୍ରହ କରିଥିଲେ ବୋଲି ପୁତ୍ର ଅଭିଷେକ ସୂଚନା ଦେଇଛନ୍ତି ।

ମୃତ୍ୟୁ ପରେ ମଧ୍ୟ ସେ ସବୁଦିନ ପାଇଁ ଦୁନିଆକୁ ଦେଖିପାରିବେ ଓ ଏହା ଦ୍ୱାରା ଅନ୍ୟ ଜଣେ ମଣିଷ ଉପକୃତ ହୋଇପାରିବ ବୋଲି ଅଭିଷେକ ପ୍ରକାଶ କରିଛନ୍ତି । ଏଭଳି ମହାନ ସେବାକାର୍ଯ୍ୟ ପାଇଁ ସ୍ୱର୍ଗତ ପରିଡାଙ୍କ ପରିବାରକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ମୃତଦେହକୁ ବ୍ୟବଚ୍ଛେଦ କରାଯିବ ପରେ ତାଙ୍କ ମରଶରୀରକୁ ମଙ୍ଗଳବାର ମଧ୍ୟାହ୍ନରେ ଏକ ଶୋଭାଯାତ୍ରାରେ ମଠସାହି ଛକରୁ ଷଡାଙ୍ଗୋଇ ଗ୍ରାମକୁ ନିଆଯାଇଥିବାବେଳେ ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ପୁରୀ ସ୍ୱର୍ଗଦ୍ୱାର ଠାରେ ଏକ ଶୋକାକୂଳ ପରିବେଶ ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବାବେଳେ ଏକମାତ୍ର ପୁତ୍ର ଅଭିଷେକ ଆନନ୍ଦ ମୁଖାଗ୍ନି ଦେଇଥିଲେ ।

ଫେଲ୍ ମାରିଛି ବସୁଧା ଯୋଜନା, ପାନୀୟ ଜଳ ସମସ୍ୟାରେ ଅମ୍ବାବାଡି ଗ୍ରାମବାସୀ

କହିରଖୁଛୁ ସ୍ୱର୍ଗତ ପରିଡା ଭାରତୀୟ ଡାକ ସେବାରେ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟ କରୁଥିଲେ । ସଙ୍ଗୀତ ପ୍ରତି ଦୁର୍ବଳତା ରଖିଥିବା ପରିଡା ଛାତ୍ର ଜୀବନରୁ ଲୋକ ସଙ୍ଗୀତ ଉପରେ ଗବେଷଣା ଜାରି ରଖିଥିଲେ । ଜାତୀୟ ସ୍ତରୀୟ ଲୋକ ସଙ୍ଗୀତ ପ୍ରତିଯୋଗିତାରେ ସେ ୨ଥର ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ପିପିଲି ମଠସାହି ସ୍ଥିତ ପଲ୍ଲବୀ ନୃତ୍ୟ ଓ ସଙ୍ଗୀତ ଗବେଷଣା କେନ୍ଦ୍ରର ସେ ପ୍ରତିଷ୍ଠାତା ଥିଲେ । ପଲ୍ଳବୀ ପବ୍ଲିକ ସ୍କୁଲର ସମ୍ପାଦକ ଓ ପିପିଲି ସାଂସ୍କୃତିକ ପରିଷଦର ସାଂସ୍କୃତିକ ସମ୍ପାଦକ ଥିବା ସ୍ୱର୍ଗତ ପରିଡା ଏକାଧାରରେ ଜଣେ ସମାଜସେବୀ, ସୁସଂଗଠକ, ନାଟ୍ୟ, ନୃତ୍ୟ ଓ ସଙ୍ଗୀତ ନିର୍ଦ୍ଦେଶକ  ଥିଲେ । ନିଆରା ସଙ୍ଗୀତ ଓ ନାଟ୍ୟ ରଚନା ପାଇଁ ସେ ଅନେକ ଥର ଜାତୀୟ ଓ ରାଜ୍ୟସ୍ତରରେ ପ୍ରଶଂସିତ ଓ ପୁରସ୍କୃତ ହୋଇଛନ୍ତି । ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ସେ ଅନେକ କଳାକାର ସୃଷ୍ଟି କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Comments are closed.