ଅଗଷ୍ଟ ୯ କ୍ରାନ୍ତି ଦିବସରେ ଡିଇଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ଶିକ୍ଷକ
ଓଷ୍ଟା ପକ୍ଷରୁ ଜିଲାସ୍ତରୀୟ ଅଧିବେଶନ
କେନ୍ଦୁଝରଗଡ : ସ୍ଥାନୀୟ ଶିକ୍ଷକ ଭବନଠାରେ ଶନିବାର ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) କେନ୍ଦୁଝର ଜିଲା ଶାଖାର କ୍ୟାଡର ସ୍ତରୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲା ସଭାପତି ରଘୁନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ଓଷ୍ଟା କେନ୍ଦୁଝର ଜିଲା ପ୍ରଭାରୀ ଜ୍ଞାନରଞ୍ଜନ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଆସନ୍ତା ୯ ତାରିଖ କ୍ରାନ୍ତି ଦିବସ ପାଳନ ଅବସରରେ ଓଷ୍ଟା ପକ୍ଷରୁ କେନ୍ଦୁଝର ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି କହିଥିଲେ । ଏଥିସହ ଅଗଷ୍ଟ ୧୬ ତାରିଖ ଭୁବନେଶ୍ୱର ଠାରେ ଶିକ୍ଷକ ଦାବି ଦିବସ ପାଳନ ପରିପ୍ରେକ୍ଷୀରେ ସଷ୍ଟା ପକ୍ଷରୁ ଏକ ମହାସମାବେଶର ଆୟୋଜନ କରାଯାଇ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀଙ୍କ ବିଭିନ୍ନ ଦାବି ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ । ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଥିବା ଶିକ୍ଷକ କର୍ମଚାରୀ ନିୟମାନୁଯାୟୀ ଚାକିରୀ ସର୍ତ୍ତାବଳୀ ସହ ପେନସନ ପ୍ରଦାନ, ୨୨୬ ଓ ୩୯୯ ବିଦ୍ୟାଳୟ ଗୁଡିକୁ ସପ୍ତମ ବେତନ କମିଶନ ଅନୁଯାୟୀ ବେତନ ପ୍ରଦାନ, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକୁ ସରକାରୀକରଣ, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭତ୍ତିକ ଶିକ୍ଷକ ମାନଙ୍କର ୬ବର୍ଷର ଚୁକ୍ତି ଅବଧିକୁ ନିୟମିତ ଚାକିରୀରେ ଲାଗୁ କରାଯିବା, ଅବସର ବୟସ ସୀମା ୬୨ବର୍ଷକୁ ବୃଦ୍ଧି, ସମସ୍ତ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ଓ କର୍ମଚାରୀ ପଦ ପୂରଣ, ଆରଏସିପି ଲାଗୁ କରିବା କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପାଳନ, ୨୮୦୦ଗ୍ରେଡ ପେ ଉପରେ ଥିବା ଅସଙ୍ଗତି ଦୂରୀକରଣ, ୪୮ବର୍ଷରେ ପଦାର୍ପଣ କରିଥିବା ସମସ୍ତ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ଟି.ଜି.ସ୍କେଲ ବେତନ ପ୍ରଦାନ, ବିଏ ବିପିଏଡ୍ ଯୋଗ୍ୟତାଧାରୀ କ୍ରୀଡା ଶିକ୍ଷକଙ୍କୁ ଟି.ଜି.ସ୍କେଲ ବେତନ ପ୍ରଦାନ ଆଦି ଦାବିରେ ଭୁବନେଶ୍ୱର ଠାରେ ହେବାକୁଥିବା ଶିକ୍ଷକ ମହାସମାବେଶକୁ ସଫଳ କରିବାକୁ ମୁଖ୍ୟଅତିଥି ଶ୍ରୀ ପାଣିଗ୍ରାହୀ ଆହ୍ୱାନ ଦେଇଥିଲେ।
ଓଷ୍ଟା କେନ୍ଦୁଝର ଜିଲା ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର ଯୋଗଦେଇ ଅଧିବେଶନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରାରମ୍ଭରେ କେନ୍ଦୁଝର ଜିଲା ବିଶିଷ୍ଟ ଶିକ୍ଷକ ନେତା ପାଟଣା ବ୍ଲକର ଓଷ୍ଟା ସମ୍ପାଦକ ସ୍ୱର୍ଗତଃ ଅନୀଲ କୁମାର ବାରିକଙ୍କ ଅକାଳ ବିୟୋଗରେ ଅମର ଆତ୍ମାର ସଦ୍ଗତି କାମନା କରି ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଓଷ୍ଟା ରାଜ୍ୟ ପ୍ରାକ୍ତନ କାର୍ଯ୍ୟକାରୀ ସଭାପତି ଭିକାରୀ ଚରଣ ସାହୁ, ପ୍ରାକ୍ତନ ରାଜ୍ୟ ସମ୍ପାଦକ କାହ୍ନୁଚରଣ ସାମଲ, ଓଷ୍ଟା କେନ୍ଦୁଝର ଜିଲା ଉପଦେଷ୍ଟା କ୍ଷୀରୋଦ ଚନ୍ଦ୍ର ରାଉତ, ଓଷ୍ଟା କେନ୍ଦୁଝରର କାର୍ଯ୍ୟକାରୀ ସଭାପତି ପ୍ରଦୀପ ହଜାରୀ, କାର୍ଯ୍ୟକାରୀ ସଭାପତି ଯୁଧିଷ୍ଠୀର ମହାନ୍ତ, ଉପସଭାପତି ପୁଷ୍ପାଞ୍ଜଳୀ ମିଶ୍ର ପ୍ରମୁଖ ଯୋଗଦେଇ ଶିକ୍ଷକ ଓ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ବିଭିନ୍ନ ବ୍ଲକରୁ ଆସିଥିବା ସଭାପତି, ସମ୍ପାଦକ ଓ କାର୍ଯ୍ୟକାରୀ କମିଟି ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ। ଶେଷରେ ଓଷ୍ଟା କେନ୍ଦୁଝର ଜିଲା ଯୁଗ୍ମସମ୍ପାଦକ ଜ୍ଞାନେନ୍ଦ୍ର ଦେଓ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.