ବିରୋଧୀ ବୈଠକ : ୨୪ ଦଳଙ୍କୁ ନିମନ୍ତ୍ରଣ, ଯୋଗ ଦେବେ ସୋନିଆ

ନୂଆଦିଲ୍ଲୀ :  ଆସନ୍ତା ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ବିରୋଧୀ ଦଳ ନେତାଙ୍କ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରିବା ଉଦ୍ଦେଶ୍ୟରେ ବିରୋଧୀ ଦଳମାନଙ୍କୁ ଏକାଠି କରିବାକୁ ପ୍ରୟାସ ଆରମ୍ଭ ହୋଇ ସାରିଛି। ବିରୋଧୀ ଦଳ ନେତାଙ୍କ ପ୍ରଥମ ବୈଠକ ବିହାରର ପାଟନାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୧୫ଟି ଦଳର ନେତା ଭାଗ ନେଇଥିଲେ।
ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ଦ୍ବିତୀୟ ବୈଠକ କଂଗ୍ରେସ ଆୟୋଜନ କରୁଛି। ଏହି ବୈଠକରେ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ ଯୋଗ ଦେବେ। ବୈଠକରେ ଯୋଗ ଦେବାକୁ ୨୪ଟି ବିରୋଧୀ ଦଳଙ୍କୁ କଂଗ୍ରେସ ତରଫରୁ ଆମନ୍ତ୍ରଣ କରାଯାଇଛି। ଆସନ୍ତା ୧୭ରେ ଏକ ନୈଶଭୋଜିର ଆୟୋଜନ କରାଯାଇଛି। ଏଥିରେ ସୋନିଆଙ୍କ ସହ ଏକାଧିକ ବିରୋଧୀ ଦଳ ନେତା ଉପସ୍ଥିତ ରହିବାର ସମ୍ଭାବନା ଅଛି। ୧୮ରେ ବିରୋଧୀ ଦଳ ନେତାଙ୍କ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିଜେପିକୁ ପରାସ୍ତ କରିବା ନିମନ୍ତେ ରଣନୀତି ପ୍ରସ୍ତୁତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଭାଗ ନେବାକୁ ନୂଆ ଦଳ ଭାବେ ଏମ୍‌ଡିଏମକେ, କେଡିଏମ୍‌କେ, ଭିସିକେ, ଆର୍‌ଏସପି, ଫରୱାର୍ଡ ବ୍ଲକ, ଆଇୟୁଏମ୍‌ଏଲ୍‌, କେରଳ କଂଗ୍ରେସ (ଯୋଶେଫ), କେରଳ କଂଗ୍ରେସ (ମଣି)ଙ୍କୁ ନିମନ୍ତ୍ରଣ କରାଯାଇଛି। ବୈଠକକୁ ନିମନ୍ତ୍ରିତ ହୋଇଥିବା ୨୪ଟି ବିରୋଧୀ ଦଳଙ୍କ ଲୋକସଭାରେ ମୋଟ୍‌ ସଦସ୍ୟ ସଂଖ୍ୟା ୧୫୦ ରହିଥିବା ବେଳେ ଆଗାମୀ ଲୋକସଭା ନିର୍ବାଚନରେ ଏହି ସଂଖ୍ୟା କିପରି ବୃଦ୍ଧି ପାଇବ ସେ ନେଇ ବୈଠକରେ ରଣନୀତି ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି।
ଦେଶବ୍ୟାପୀ ବିଜେପି ପ୍ରାର୍ଥୀଙ୍କ ବିରୋଧରେ ବିରୋଧୀ ଦଳ ମେଣ୍ଟର ପ୍ରାର୍ଥୀଙ୍କୁ ଛିଡ଼ା କରାଯିବା ନେଇ ବୈଠକରେ ମାନସ ମନ୍ଥନ ହୋଇପାରେ। ସୂଚନାଥାଉ କି ପାଟନାରେ ଗତ ଜୁନ୍‌ ୨୩ରେ ବିରୋଧୀ ଦଳ ନେତାଙ୍କୁ ନେଇ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯୋଗ ଦେବାକୁ ୧୬ଟି ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେବେ ବ୍ୟକ୍ତିଗତ କାରଣରୁ ଆର୍‌ଏଲଡି ନେତା ଜୟନ୍ତ ଚୌଧୁରୀ ଏହି ବୈଠକରେ ଯୋଗ ଦେଇ ପାରିନଥିଲେ। ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ଦ୍ବିତୀୟ ବୈଠକରେ ଯୋଗ ଦେବାକୁ ଆମ୍‌ ଆଦମୀ ପାର୍ଟିକୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ଏହି ଦଳର ନେତା ବୈଠକକୁ ଆସୁଛନ୍ତି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିବ। କେନ୍ଦ୍ର ସରକାରଙ୍କ ତରଫରୁ ଆଗତ ଦିଲ୍ଲୀ ଅଧ୍ୟାଦେଶକୁ କଂଗ୍ରେସ ବିରୋଧ ନ କଲେ ବିରୋଧୀ ଦଳଙ୍କ ଦ୍ବିତୀୟ ବୈଠକରେ ଯୋଗ ଦେବ ନାହିଁ ବୋଲି ଆମ୍‌ ଆଦମୀ ପାର୍ଟି ତରଫରୁ ପାଟନାରେ ଘୋଷଣା କରାଯାଇଥିଲା। ଗଣତନ୍ତ୍ର ବିରୋଧୀ ଓ ଏକଛତ୍ରବାଦୀ ବିଜେପିକୁ ପରାସ୍ତ କରିବା ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଉଛି ବୋଲି କଂଗ୍ରେସର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପାଟନାରେ ବିରୋଧୀ ଦଳ ନେତାଙ୍କ ପ୍ରଥମ ବୈଠକ ବେଶ୍ ସଫଳ ହୋଇଥିବା ବେଳେ ଦ୍ବିତୀୟ ବୈଠକରେ ବିଜେପିକୁ ପରାସ୍ତ କରିବା ନେଇ ରଣନୀତି ପ୍ରସ୍ତୁତି ଉପରେ ଗୁରୁତ୍ବ ଦିଆଯିବ ବୋଲି ସେ କହିଥିଲେ।

Comments are closed.