ନୂଆଦିଲ୍ଲୀ : ‘ଅପରେସନ୍ ସିନ୍ଦୂର’ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ସ୍ଥିତି ଲାଗି ରହିଛି । ଏହାକୁ ଧ୍ୟାନରେ ରଖି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆରବିଆଇ ଓ ଏନପିସିଆଇକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ବ୍ୟାଙ୍କିଙ୍ଗ ସହ ଜଡିତ ଅପରେସନ୍ ଓ ସାଇବର ସୁରକ୍ଷାକୁ ସମୀକ୍ଷା କରିବା ସହ ସତର୍କ ରହିବା ପାଇଁ କୁହାଯାଇଛି । ଏହାସହ ଗ୍ରାହକଙ୍କୁ କୌଣସି ବାଧା ବିନା ସେବା ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ରିପୋର୍ଟ ଅନୁଯାୟୀ, ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆରବିଆଇ, ଏନପିସିଆଇ ଓ ମୁଖ୍ୟ ବ୍ୟାଙ୍କ ଗୁଡିକୁ ସାଇବର ସୁରକ୍ଷାକୁ ତୁରନ୍ତ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଏହାକୁ ନେଇ ନିର୍ମଳା ସୀତାରମଣ ପ୍ରମୁଖ ବୀମା କମ୍ପାନୀ ମାନଙ୍କ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ମଧ୍ୟ କରିଛନ୍ତି ।
ସିଇଆରଟି-ଇନ୍ ଅର୍ଥାତ୍ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍ ଓ ଆରବିଆଇ ବ୍ୟାଙ୍କ ଓ ପେମେଣ୍ଟ କମ୍ପାନୀ ଗୁଡିକୁ ସାଇବର ବିପଦ ପ୍ରତି ଦୃଷ୍ଟି ଦେଇ ପ୍ରସ୍ତୁତ ରହିବାକୁ କହିଛନ୍ତି । ୯ ମେ’ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ଉଚ୍ଚସ୍ତରୀୟ ବୈଠକରେ ଆରବିଆଇ, ଏନପିସିଆଇ, ଏନଏସଇ, ବିଏସଇ, ଓ ପ୍ରମୁଖ ବ୍ୟାଙ୍କର ପ୍ରତିନିଧିଙ୍କୁ ବ୍ୟାଙ୍କିଙ୍ଗ ସିଷ୍ଟମ, ପେମେଣ୍ଟ ଗେଟ୍ୱେ ଓ ୟୁପିଆଇକୁ ସୁରକ୍ଷିତ କରିବା ପାଇଁ ତୁରନ୍ତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।
ଅର୍ଥମନ୍ତ୍ରୀ ବ୍ୟାଙ୍କ ଗୁଡିକୁ କହିଛନ୍ତି, ନାଗରିକ ଓ ବ୍ୟବସାୟୀଙ୍କୁ ଯେକୌଣସି ପରିସ୍ଥିତିରେ ଯେପରି ସମସ୍ୟାର ସମ୍ମୁଖୀନ ହେବାକୁ ନପଡେ। ଏହାସହ ଏଟିଏମରୁ ଟଙ୍କା ବିନା କୌଣସି ବାଧାରେ ଉପଲବ୍ଧ କରାଇବା ପାଇଁ, ୟୁପିଆଇ ଓ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ଓ ଜରୁରୀ ବ୍ୟାଙ୍କିଙ୍ଗ୍ ସୁବିଧାକୁ ମଧ୍ୟ ସୁରକ୍ଷିତ ଉପାୟରେ କାମ କରିବା ଉଚିତ୍ । ସେହିପରି ବ୍ୟାଙ୍କ ଅଧିକାରୀ କହିଛନ୍ତି, ତାଙ୍କର ଏସଓସି ଓ ନେଟୱାର୍କ ସଞ୍ଚାଳନ କେନ୍ଦ୍ର ସମ୍ପୂର୍ଣ୍ଣ ଭାବେ ଚାଳୁ ରହିଛି ଓ ହାଇ ଆଲର୍ଟରେ ରହିଛି ।
ସେହିପରି ଟେଲିକମ୍ କମ୍ପାନୀ ଗୁଡିକୁ ମଧ୍ୟ କିଛି ଦିନ ପୂର୍ବରୁ ନେଟୱର୍କକୁ ଅଧିକ ସୁରକ୍ଷିତ କରିବା ପାଇଁ କୁହାଯାଇଛି । ଭାରତର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ପକ୍ଷରୁ ସାଇବର ଠକେଇର ବିପଦ ଅଧିକ ରହିଛି । ତେଣୁ ଟେଲିକମ୍ କମ୍ପାନୀ ଗୁଡିକୁ ସଚେତନ ରହିବା ପାଇଁ କୁହାଯାଇଛି ।
‘ଅପରେସନ୍ ସିନ୍ଦୂର’ ; ଏଟିଏମ୍-ୟୁପିଆଇକୁ ଅର୍ଥ ମନ୍ତ୍ରଣାଳୟର କଡା ନିର୍ଦ୍ଦେଶ
Popular Categories



