ହରଭଙ୍ଗା : ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେଥିବା କୁଶଙ୍ଗ ରେଞର ପଦ୍ମତୋଳା ଗ୍ରାମର ଉତ୍ତମ ପ୍ରଧାନଙ୍କ ଘରେ ସର୍ଚ୍ଚ ଅପରେସନ କରି ବନ୍ୟପ୍ରାଣୀ ବିଭାଗ ଗୋଟିଏ ଦେଶୀ ବନ୍ଧୁକ ସହ ବଜ୍ରକାପ୍ତା କାତି,ଫାଶ ଇତ୍ୟାଦି ଜବତ କରିଥିଲା। ଦୁଇଟି ପୃଥକ ପୃଥକ ମାମଲାରେ ଉତ୍ତମଙ୍କ ସହିତ ତାଙ୍କ ପୁଅ ସଂଜୟ ପ୍ରଧାନ, ଝିଅ ସାବିତ୍ରୀ ମାଝୀ ଏବଂ ଜ୍ୱାଇଁ ବାସୁଦେବ ମାଝିଙ୍କ ସହିତ କୁକିଳ କହଁର ଭଳି ଜଣେ କୁଖ୍ୟାତ ଶିକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାତ୍ର ସର୍ଚ୍ଚ ଅପରେସନ ସମୟରେ ବନ୍ୟପ୍ରାଣୀ ବିଭାଗ ସେମାନଙ୍କୁ ବାଡାପିଟା କରିବା ସହିତ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗରେ ଉତ୍ତମଙ୍କ ପନ୍ତ୍ରୀ ସଇଁତା ପ୍ରଧାନ ହରଭଙ୍ଗା ଥାନାରେ ଗତ ବୁଧୁବାର ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ପତ୍ରରେ କୁଶଙ୍ଗ ବନ୍ୟପ୍ରାଣୀ ରେଞର ଲକ୍ଷ୍ମୀ ନାରାୟଣ ପଣ୍ଡା ଏବଂ ତାଙ୍କ କର୍ମଚାରୀମାନେ ତାଙ୍କ ଘର ସର୍ଚ୍ଚ ଅପରେସନ କରିବା ସମୟରେ ଝିଅ,ଜ୍ୱାଇଁ ପୁଅ,ସ୍ୱାମୀଙ୍କୁ ମାଡମାରିବା ସହିତ ଜାତିଆଣ ଅକ୍ଷେପ କରିଥିବା ଏତେଲାରେ ଦର୍ଶାଇଛନ୍ତି।ତାଙ୍କ ଏତେଲା ଆଧାରରେ ହରଭଙ୍ଗା ପୁଲିସ ୯୩/୨୩ରେ ଏକ ଜାତିଆଣ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର କିଷାନ ସୂଚନା ଦେଇଛନ୍ତି। ଏ ସର୍ମ୍ପକରେ କୁଶଙ୍ଗ ରେଞ ଅଫିସର ଲକ୍ଷ୍ମୀନାରାୟଣ ପଣ୍ଡାଙ୍କୁ ପଚାରିବାରୁ ଆମେ ସର୍ଚ୍ଚ ଅପରେସନ କରି ଗିରଫ କଲାପରେ ଏଭଳି ଅଭିଯୋଗ ଭିତୀହୀନ ବୋଲି କହିଛନ୍ତି।



