ଆଜି ‘ଗଙ୍ଗା ଅଭିଯାନ’ର ଶେଷ ପର୍ବ
ବିଶ୍ବନେତାଙ୍କ ସହ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା ଜାରି
ନୂଆଦିଲ୍ଲୀ : ୟୁକ୍ରେନ୍ରୁ ଭାରତୀୟ ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସରକାରଙ୍କ ଦ୍ବାରା ଫେବୃଆରୀ ୨୨ରୁ ଆରମ୍ଭ ହୋଇଥିବା ‘ଗଙ୍ଗା ଅଭିଯାନ’ ବା ‘ଅପରେସନ୍ ଗଙ୍ଗା’ ଗୁରୁବାର ଶେଷ ହେଉଛି। ଏହି ଚୂଡ଼ାନ୍ତ ପର୍ଯ୍ୟାୟରେ ୟୁକ୍ରେନ୍ରେ ଅଟକି ଥିବା ୭୦୦ ଭାରତୀୟ ସ୍ବଦେଶ ଫେରୁଛନ୍ତି। ସେମାନଙ୍କୁ ଆଣିବା ପାଇଁ ୟୁକ୍ରେନ୍ର ପଶ୍ଚିମ ସୀମାନ୍ତ ରୋମାନିଆର ବୁକାରେଷ୍ଟରେ ଅପେକ୍ଷାରତ ସ୍ବତନ୍ତ୍ର ବିମାନ ଧରିବା ପାଇଁ ଛାତ୍ରଛାତ୍ରୀଙ୍କ ସହ ଅନ୍ୟମାନେ ରେଳ ଯୋଗେ ପହଞ୍ଚିବାରେ ଲାଗିଛନ୍ତି। ଏହି ଅଭିଯାନରେ ପ୍ରାୟ ୧୮ହଜାର ଭାରତୀୟଙ୍କୁ ସୁରକ୍ଷିତ ଓ ସଂଗଠିତ ଭାବେ ସ୍ବଦେଶ ଫେରାଇ ଅଣାଯାଇପାରିଛି। ସେମାନଙ୍କ ସହିତ ପାକିସ୍ତାନ ଓ ଅନ୍ୟ ଦେଶର କିଛି ନାଗରିକ ମଧ୍ୟ ସ୍ବଦେଶ ଫେରିବାକୁ ସକ୍ଷମ ହୋଇଛନ୍ତି।
ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ପ୍ରସଙ୍ଗ ଭାରତକୁ ବିଶ୍ବରେ ଏକ ସ୍ବତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଛି। ଭାରତର ନିରପେକ୍ଷ ନୀତି ହିଁ ମର୍ଯ୍ୟାଦାର ମୁଖ୍ୟ କାରଣ। ୟୁକ୍ରେନ୍ ଯୁଦ୍ଧ ପୂର୍ବରୁ ଓ ପରେ ବିଭିନ୍ନ ମହଲରେ ଭାରତର ଆଭିମୁଖ୍ୟକୁ ପ୍ରଥମେ କେତେକ ପକ୍ଷ ସମାଲୋଚନା କରିଥାଇପାରନ୍ତି; କିନ୍ତୁ ପରେ ଏହାର ବାସ୍ତବତା ହୃଦୟଙ୍ଗମ କରିଥିବା କ୍ରମଶଃ ସାମ୍ନାକୁ ଆସିଛି। ରୁଷିଆ ଓ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରମ୍ବାର କଥାବର୍ତ୍ତା, ବୈଦେଶିକ ମନ୍ତ୍ରୀ ଓ କୂଟନୈତିକସ୍ତରୀୟ ଏକାଧିକ ଆଲୋଚନା ହିଁ ଏହା ସାମ୍ନାକୁ ଆଣିଛି। ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ୍ ପ୍ରସଙ୍ଗରେ ଗତ ଦୁଇ ସପ୍ତାହ ମଧ୍ୟରେ ବିଶ୍ବର ବିଭିନ୍ନ ନେତାଙ୍କ ସହ ୧୧ଥର ଆଲୋଚନା କରିଛନ୍ତି। ସେଥିମଧ୍ୟରେ ରୁଷିଆ ରାଷ୍ଟ୍ରପତିଙ୍କ ସହ ତିନି ଥର ଓ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ଦୁଇଥର ଟେଲିଫୋନ୍ ବାର୍ତ୍ତାଳାପ ରହିଛି। ଦୁଇ ଜଣଙ୍କ ସହିତ ଶେଷ ବାର୍ତ୍ତାଳାପ ଯଥାକ୍ରମେ ୫୦ ମିନିଟ ଓ ୩୫ ମିନିଟ ଥିଲା। ଏହି ପରିପ୍ରେକ୍ଷୀରେ ରୁଷିଆ-ୟୁକ୍ରେନ୍ ବିବାଦର ସମାଧାନ ପାଇଁ ମୋଦି ମଧ୍ୟସ୍ଥତା କରନ୍ତୁ ବୋଲି କେତେକ ମତ ଦେଇଥିଲେ। ଭାରତର ଆଭିମୁଖ୍ୟକୁ ରୁଷିଆ ବାରମ୍ବାର ପ୍ରଶଂସା ମଧ୍ୟ କରିଥିଲା।
ଏହାଦ୍ବାରା ଭାରତୀୟମାନେ ଯୁଦ୍ଧବିଧ୍ବସ୍ତ ୟୁକ୍ରେନ୍ରୁ ସୁରକ୍ଷିତ ଭାବେ କେବଳ ଫେରିପାରି ନାହାନ୍ତି; ବରଂ ଦୁର୍ଗତି ସମୟରେ କିପରି ନିଜ ଲୋକଙ୍କୁ ଉଦ୍ଧାର କରାଯାଏ ତାହାର ଆଉ ଏକ ଦୃଷ୍ଟାନ୍ତ ରଖିଛନ୍ତି ଭାରତ ସରକାର। କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କ କହିବାନୁସାରେ ପ୍ରଧାନମନ୍ତ୍ରୀଙ୍କ ଘନଘନ ବୈଠକ ହିଁ ଭାରତୀୟ ଛାତ୍ରଙ୍କୁ ଫେରାଇଆଣିବା ଭଳି କେତେକ ଦୃଢ଼ ଓ ତ୍ବରିତ ନିଷ୍ପତ୍ତି ନେବାରେ ସହାୟତା କରିଛି। ୟୁକ୍ରେନ୍ର ସୁମି ସହରରୁ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ଯୁଦ୍ଧବିରତି ବଡ଼ ସଫଳତା ବୋଲି ଗୋୟଲ କହିଛନ୍ତି। ୟୁକ୍ରେନ୍ରୁ ଭାରତୀୟଙ୍କ ଶେଷ ପର୍ଯ୍ୟାୟ ପ୍ରତ୍ୟାବର୍ତ୍ତନ ଆମ ପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ କହିବାନୁସାରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ସହିତ ଅନ୍ୟ ମନ୍ତ୍ରୀ, ବିମାନ କମ୍ପାନୀ, ଶିଳ୍ପ ସଂସ୍ଥା, ସ୍ବେଚ୍ଛାସେବୀ ସଂଗଠନ କର୍ତ୍ତୃପକ୍ଷ ମଧ୍ୟ ସେମାନଙ୍କ ସ୍ତରରେ ଆଲୋଚନା ଜାରି ରଖିବା ଦ୍ବାରା ଏହି ସଫଳତା ମିଳିଛି। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଗତ ତିନି ସପ୍ତାହ ହେଲା ଦିନ-ରାତି ଏକ କରିଦେଇଥିବା ସେ କହିଛନ୍ତି।
Comments are closed.