ଟୋକିଓରେ ବାଜି ଉଠିଲା ସାୟୋନାରା ସାୟୋନାରାର ସଂଗୀତ ବିଗୁଲ। ମନେପଡ଼ିଗଲା ୧୯୬୬ ମସିହାର ‘ଲଭ୍ ଇନ୍ ଟୋକିଓ’ ସିନେମା କଥା। ଲତା ମଙ୍ଗେଶକରଙ୍କର ସେଇ ଅଭୁଲା ଗୀତରେ ଆଶା ପରେଖଙ୍କର ନୟନ ଓ ନୃତ୍ୟର ଅପୂର୍ବ ସମନ୍ୱୟ। କଥା ରହିଲା ପୁଣି ଥରେ ଆମେ ଫେରି ଆସିବୁ ଏଇ ନିର୍ଭର ପ୍ରତିଶ୍ରୁତି ଦେଇ ଟୋକିଓରୁ ବିଦାୟ ନେଉଛନ୍ତି ଖେଳାଳି, ପ୍ରଶିକ୍ଷକ ଇତ୍ୟାଦି।
ସରିଗଲା ଅଲିମ୍ପିକର ଏହି ମହାକୁମ୍ଭ। ପ୍ରତିସ୍ପର୍ଦ୍ଧାର ମହୋତ୍ସବ। ୧୭ ଦିନ ବ୍ୟାପୀ ବ୍ୟକ୍ତିଗତ ଓ ଦଳଗତ ଆସ୍ପର୍ଦ୍ଧାର ମହାସମର। ସାରା ପୃଥିବୀକୁ ପ୍ରତିନିଧିତ୍ବ କରୁଥିଲେ ୨୦୬ ଦେଶରୁ ୧୧୭୦୭ ଖେଳାଳି। ସମସ୍ତଙ୍କ ଲକ୍ଷ୍ୟଥିଲା ସେଇ ଚିର ଅଭିଳଷିତ ୩୩୯ଟି ସ୍ବର୍ଣ୍ଣ ପଦକ ଉପରେ। ସମସ୍ତ ପ୍ରତିଯୋଗୀ ନିଜର ଶ୍ରେଷ୍ଠ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିବାରେ ଲାଗିପଡ଼ିଥିଲେ। ସବୁ ଦେଶର କୋଟିକୋଟି ଲୋକ ଅପେକ୍ଷା କରି ରହୁଥିଲେ ସେଇ ଅବିସ୍ମରଣୀୟ ମୁହୂର୍ତ୍ତଟିକୁ। କେତେବେଳେ ତାଙ୍କ ଦେଶର ଜାତୀୟ ସଂଗୀତ ବାଜିବ ଆଉ ତାର ତାଳେତାଳେ ଫରଫର ହୋଇ ଉଡୁଥିବ ଜାତୀୟ ପତାକା। ସର୍ବଶ୍ରେଷ୍ଠ ପ୍ରତିଯୋଗୀଙ୍କ ଗଳାରେ ଝୁଲୁଥିବ ସର୍ବୋଚ୍ଚ ସାଫଲ୍ୟର ସର୍ବୋତ୍ତମ ଜୟମାଲ୍ୟ ସ୍ବର୍ଣ୍ଣ ପଦକ। କି ରୋମାଞ୍ଚକର ଅବର୍ଣ୍ଣନୀୟ ସେ ଦୃଶ୍ୟ।
ଆମଦେଶର ୧୩୮ କୋଟି ଲୋକଙ୍କ ପାଇ ଏ ସୌଭାଗ୍ୟ ବହୁତ କ୍ବଚିତ ଆସିଛି। ଅଲିମ୍ପିକର ୧୨୧ ବର୍ଷ ଇତିହାସରେ ୧୧ ଅଗଷ୍ଟ ୨୦୦୮ ବେଜିଙ୍ଗ ଅଲିମ୍ପିକରେ ୧୦ ମିଟର ରାଇଫଲ ଚାଳନାରେ ବ୍ୟକ୍ତିଗତ ପ୍ରତିଯୋଗିତାରେ ଏପର୍ଯ୍ୟନ୍ତ ଏକମାତ୍ର ସ୍ବର୍ଣ୍ଣ ପଦକ ଅଭିନବ ବିନ୍ଦ୍ରା ଜିତିଥିଲେ। ଏଥର ଜାଭେଲିନ ଥ୍ରୋରେ ହରିୟାଣା ପାନିପତର ନୀରଜ ଚୋପ୍ରାଙ୍କର ଅବିଶ୍ବାସ୍ୟ କ୍ରୀଡା ନୈପୁଣ୍ୟ ଫଳରେ ୧୩ ବର୍ଷ ପରେ ପୋଡିୟମରେ ପୁଣି ବାଜିଉଠିଲା ଆମ ଜାତୀୟ ସଂଗୀତ। ସାରା ଦେଶ ଉତ୍ସବମୁଖର। ମିଲଖା ସିଂଙ୍କର ସ୍ବପ୍ନ, ପି.ଟି.ଉଷା ଓ କୋଟିକୋଟି ଭାରତୀୟଙ୍କର ଆଶା ଫଳପ୍ରସୂ ହେଲା। ଆମପାଇଁ ଦୌଡ଼କୁଦରେ ପ୍ରଥମ ସ୍ବର୍ଣ୍ଣପଦକ।
ଅନ୍ୟ ଏକ ପ୍ରସଙ୍ଗରେ ଭକ୍ତକବି ମଧୁସୂଦନ ରାଓ କହିଥିଲେ- ରେ ଆତ୍ମନ ଫେଡ଼ି ଚିନ୍ତାର ଲୋଚନ କର କର ନିରୀକ୍ଷଣ। ଏବେ ଜୟ ପରାଜୟ, ପ୍ରାପ୍ତି ଅପ୍ରାପ୍ତିର ସମୀକ୍ଷା ଓ ଆତ୍ମ ମନ୍ଥନର ବେଳ। ଆମର ସର୍ବକାଳୀନ ସର୍ବଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ୱେ ଆମେ ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ ଚାରିଟି କାଂସ୍ୟ ସହ ସମୁଦାୟ ସାତୋଟି ପଦକ ପାଇଲୁ। ପୁରୁଷ ହକି ଦଳଗତ ପଦକ ବ୍ୟତୀତ ହରିୟାଣା ୩ଟି, ଉତ୍ତରପୂର୍ବ ରାଜ୍ୟ ୨ଟି ଓ ତେଲଙ୍ଗାନା ଗୋଟିଏ, ଏମିତି ୬ଟି ପଦକ ପାଇଲୁ। ଭାରତ୍ତୋଳନରେ ମଣିପୁରର ମୀରାବାଇ ଚାନୁ ଓ କୁସ୍ତିରେ ହରିୟାଣା ସୋନିପତର ରବି କୁମାର ଦହିୟା ଅଳ୍ପକେ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇ ରୌପ୍ୟ ପଦକ ପାଇବା ସହ ମୁଷ୍ଟି ଯୁଦ୍ଧରେ ଆସାମ ଗୋଲାଘାଟର ଲଭଲିନା ବୋର୍ଗୋହେଁ, କୁସ୍ତିରେ ହରିୟାଣା ଝାଝରର ବଜରଙ୍ଗ ପୁନିଆ ଓ ବ୍ୟାଡ଼ମିଟନରେ ହାଇଦରାବାଦର ପି. ଭି. ସିନ୍ଧୁ ନିଜ ନିଜର ଚମତ୍କାର କ୍ରୀଡା କୌଶଳ ବଳରେ କାଂସ୍ୟ ପଦକରେ ବିଭୂଷିତ ହେଲେ। ମସ୍କୋ ଅଲିମ୍ପିକର ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ହକି ଦଳ ଅସାଧାରଣ ଦଳଗତ ଖେଳ ପ୍ରଦର୍ଶନ କରି ସେମିଫାଇନାଲରେ ବେଲଜିୟମ ସହ ଚମତ୍କାର ଖେଳି ପ୍ରବଳ ପ୍ରତିଦ୍ବନ୍ଦ୍ବିତାମୂଳକ ପ୍ରତିଦ୍ବନ୍ଦ୍ବିତାରେ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି କାଂସ୍ୟ ପଦକ ପାଇଲା। ଏମାନଙ୍କ ବ୍ୟତୀତ ଗଲ୍ଫ୍ରେ େବଙ୍ଗାଲୁରୁର ଅଦିତି ଅଶୋକ, ମୁଷ୍ଟିଯୁଦ୍ଧରେ ମେରିକମ ଓ ଭାରତୀୟ ମହିଳା ହକି ଦଳ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଶେଷ ମୁହୂର୍ତ୍ତରେ ପଦକ ପ୍ରାପ୍ତିରୁ ବଞ୍ଚିତ ହୋଇଥିଲେ ବି କୋଟିକୋଟି ଦେଶବାସୀଙ୍କ ହୃଦୟ ଜୟ କରି ପାରିଥିଲେ। ଯେମିତି ୧୯୬୦ ରୋମ ଅଲିମ୍ପିକରେ ଅନବଦ୍ୟ କିମ୍ବଦନ୍ତୀ ଆଥଲେଟ ମିଲଖା ସିଂ, ୧୯୮୪ ଲସ ଏଞ୍ଜେଲେସ ଅଲିମ୍ପିକରେ ଦୌଡରାଣୀ ପି. ଟି. ଉଷା , ୨୦୧୬ ରିଓ ଅଲିମ୍ପିକରେ ଜିମ୍ନାଷ୍ଟ ଦୀପା କର୍ମକାର ଅଲିମ୍ପିକ ପଦକରୁ ବଞ୍ଚିତ ହୋଇଥିଲେ ବି ସେମାନଙ୍କର ଅବିସ୍ମରଣୀୟ ପ୍ରଦର୍ଶନ କୌଣସି ବିଜୟୀ ପ୍ରତିଯୋଗୀଙ୍କଠାରୁ କମ ନୁହେଁ। ବିଜୟୀ କ୍ରୀଡ଼ାବିତ୍ଙ୍କ ପରି ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଅଛି ଏହି ମହାନ ଖେଳାଳିଙ୍କ ଗୋୖରବଦୀପ୍ତ କଥା ଓ ଗାଥା। କୃତଜ୍ଞ କ୍ରୀଡ଼ାପ୍ରେମୀଙ୍କ ପାଇଁ ସେମାନେ ବି ଚିରକାଳ ଅନୁପ୍ରେରଣାର ସ୍ରୋତ।
ଆମର ଅନେକ ଖେଳାଳି ମୁଷ୍ଟିଯୁଦ୍ଧରେ ଅମିତ ପାଙ୍ଗଲ, ବନ୍ଧୁକ ଚାଳନାରେ ସୌରଭ ଓ ମନୁ ଭାକର, କୁସ୍ତିରେ ଭିନେଶ ଫୋଗାତ, ଦୀପକ ପୁନିଆ, ତୀରନ୍ଦାଜରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ, ଡିସକସ େଥ୍ରାରେ କମଲପ୍ରୀତ କୌର ନିଜର ଦକ୍ଷତା ଅନୁରୂପ କ୍ରୀଡାନୈପୁଣ୍ୟ ପ୍ରଦର୍ଶନ କରିପାରିଥିଲେ ଭାରତର ପଦକ ସଂଖ୍ୟା ଆହୁରି ଯଥେଷ୍ଟ ଅଧିକ ହୋଇଥାଆନ୍ତା।
ଆମ ଏସୀୟ ମହାଦେଶର ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଚୀନ ଓ ଜାପାନର ପ୍ରଦର୍ଶନ ଅତ୍ୟନ୍ତ ଉଚ୍ଚେକାଟୀର। ଚୀନ ୩୮ଟି ସ୍ବର୍ଣ୍ଣପଦକ ସହ ୮୮ଟି ପଦକ ପାଇଥିଲାବେଳେ ଆୟୋଜକ ଦେଶ ଜାପାନ ୨୭ଟି ସ୍ବର୍ଣ୍ଣପଦକ ସହ ୫୮ଟି ପଦକ ପାଇଛନ୍ତି। ସଚରାଚର ସମାରୋହ ସରିଗଲେ ସମୟ ଗଡିଯାଏ। କରତାଳି ଥମିଯାଏ। ପୁଣି ଆଉ ଗୋଟିଏ ଏସିଆନ ଗେମ୍ସ, କମନେୱଲ୍ଥ ଖେଳ କି ଅଲିମ୍ପିକ ଖେଳକୁ ଆମେ ଅପେକ୍ଷା କରୁ। ‘ପାଗ ଭିଡୁଭିଡୁ କଚେରି ବରଖାସ୍ତ’ ହୋଇଯାଏ। ଓଡିଶା ସରକାର ଗତ ତିନି ବର୍ଷ ଧରି ଉଭୟ ପୁରୁଷ ଓ ମହିଳା ହକି ଖେଳର ପୃଷ୍ଠପୋଷକତା କରି ଯେପରି ନିରବଚ୍ଛିନ୍ନ ପ୍ରୋତ୍ସାହନ ଦେଇ ଆସିଛନ୍ତି ତାହା ପ୍ରଶଂସାର୍ହ। ବାକି ରାଜ୍ୟ ସରକାର ଓ ସମସ୍ତ ଶିଳ୍ପପତି, ଶିଳ୍ପସଂସ୍ଥା, କର୍ପୋରେଟ, ଗୋଟିଏ ନିର୍ଦିଷ୍ଟ ଖେଳକୁ ପୋଷ୍ୟ ଭାବେ ଗ୍ରହଣ କରି ସମସ୍ତ ଆବଶ୍ୟକ ଭିତ୍ତିଭୂମିକୁ ଆନ୍ତର୍ଜାତିକ ସ୍ତରର କରି, ବିଭିନ୍ନ ସଂସ୍ଥା ସହ ସମନ୍ବୟ ରକ୍ଷା କରି ଗ୍ରାମ ଓ ପଞ୍ଚାୟତସ୍ତରରୁ ପ୍ରତିଭା ଚିହ୍ନଟକରି ସେମାନଙ୍କୁ ସର୍ବୋତ୍କୃଷ୍ଟ ପ୍ରଶିକ୍ଷଣ ଓ ସୁବିଧା ସୁଯୋଗ ଦେବା ଆବଶ୍ୟକ। କ୍ରୀଡ଼ାବିତ୍ଙ୍କୁ ସର୍ବକାଳୀନ ସର୍ବଶ୍ରେଷ୍ଠ କରି ଗଢିତୋଳିବା ପାଇଁ ନିଷ୍ଠାର ସହ ଏବେଠାରୁ କାର୍ଯ୍ୟ କଲେ ୨୦୨୪ ପ୍ୟାରିସ ଅଲିମ୍ପିକରେ ଆମେ ଭଲ ଫଳ ପ୍ରଦର୍ଶନ କରିପାରିବା।
ଗିରିଜାଶଙ୍କର ମିଶ୍ର
ଜଟଣୀ, ସୁନ୍ଦରପଦା ରାସ୍ତା,
ଭୁବନେଶ୍ୱର
ଦୂରଭାଷ: ୯୯୫୫୫୪୨୧୫୫


