ପ୍ୟାରିସ୍‌କୁ ପ୍ରତୀକ୍ଷା

୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ପ୍ରତୀକ୍ଷା ଆରମ୍ଭ ହୋଇଗଲାଣି; ଏବେଠାରୁ ଆମକୁ ପ୍ରସ୍ତୁତି ଆରମ୍ଭ କରିବାକୁ ହେବ

prayash

କ୍ରୀଡ଼ା ମହାକୁମ୍ଭ ‘ଟୋକିଓ ଅଲିମ୍ପିକ୍ସ ୨୦୨୦’ ରବିବାର ସମାପ୍ତ ହୋଇଛି। ଗତବର୍ଷ ଏହା ଅନୁଷ୍ଠିତ ହେବାକୁ ଥିଲେ ହେଁ କୋଭିଡ୍‌-୧୯ ମହାମାରୀ ହେତୁ ଚଳିତବର୍ଷ ଏହା ଆୟୋଜିତ ହୋଇଥିଲା। ତେବେ ଏଥର ମଧ୍ୟ ମହାମାରୀ ପ୍ରକୋପ ସଂପୂର୍ଣ୍ଣ ଦୂର ହୋଇନଥିବା ସତ୍ତ୍ବେ କଠୋର ନୀତିନିୟମ ଓ କଟକଣା ସହ କ୍ରୀଡ଼ାଙ୍ଗନଗୁଡ଼ିକୁ ଦର୍ଶକବିହୀନ କରିବାକୁ ଆୟୋଜକ ବାଧ୍ୟ ହୋଇଥିଲେ। ଚାରିବର୍ଷରେ ଥରେ ଅନୁଷ୍ଠିତ ହୋଇଆସୁଥିବା ଏହି ଐତିହାସିକ କ୍ରୀଡ଼ାରେ ପୂର୍ବାପେକ୍ଷା ଉତ୍ସାହ ଉଦ୍ଦୀପନାର ବାତାବରଣ କମ୍‌ ରହିଥିଲା ସତ; କିନ୍ତୁ ବିଶ୍ବର କ୍ରୀଡ଼ାବିତ୍‌ ଓ କ୍ରୀଡ଼ାପ୍ରେମୀଙ୍କ ମନ ଉତ୍‌ଫୁଲ୍ଲିତ ଥିଲା; କାରଣ ସେମାନେ ଏହି କ୍ରୀଡ଼ାକୁ ଚାତକ ପରି ଚାହିଁ ରହିଥିଲେ। ବିଶ୍ବ ମହାମାରୀ ସମୟରେ ଏପରି ଏକ ବିରାଟ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ଜାପାନ ପାଇଁ ନିଶ୍ଚିତଭାବେ ଏକ ବଡ଼ ଉପଲବ୍ଧି।
ଟୋକିଓ ଅଲିମ୍ପିକ୍ସରେ ଭାରତ ତା’ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଭବିଷ୍ୟତ ପାଇଁ ନିଜର ସାମର୍ଥ୍ୟକୁ ଆକଳନ କରି ଆଗେଇବାର ଆଶ୍ବାସନା ପାଇଛି। ପୂର୍ବରୁ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସର୍ବାଧିକ ୬ଟି ପଦକ ହାସଲ କରିଥିବାବେଳେ ଏଥର ୭ଟି ପଦକ ଜିଣିଛି। ସବୁଠୁ ମହତ୍ତ୍ବପୂର୍ଣ୍ଣ କଥା ହେଲା, ବହୁପ୍ରତୀକ୍ଷିତ ସ୍ବର୍ଣ୍ଣପଦକ ସହ ଭାରତ ତା’ର ଅଲିମ୍ପିକ୍‌ ଅଭିଯାନ ଶେଷ କରିଛି। ଶନିବାର ବର୍ଚ୍ଛା (ଜାଭେଲିନ୍‌) ଫିଙ୍ଗାଳି ନୀରଜ ଚୋପ୍ରା ଶ୍ରେଷ୍ଠତମ ଖେଳ ଦେଖାଇ ଭାରତର ଅଲିମ୍ପିକ୍ସ ଦୌଡ଼କୁଦ ଇତିହାସରେ ପ୍ରଥମ ସ୍ବର୍ଣ୍ଣପଦକ ହାସଲ କରି ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛନ୍ତି। ପୂର୍ବରୁ କେବଳ ସୁଟର୍‌ ଅଭିନବ ବିନ୍ଦ୍ରା ୨୦୦୮ ବେଜିଂ ଅଲିମ୍ପିକ୍ସରେ ପ୍ରଥମ ବ୍ୟକ୍ତିଗତ ସ୍ବର୍ଣ୍ଣପଦକ ଜିଣିଥିଲେ। ଖୁସିର କଥା ଯେ କରୋନା ସଙ୍କଟ ଯୋଗୁଁ ଯେତେବେଳେ ନୀରଜ ପତିଆଲାରେ ଅଭ୍ୟାସ କରିବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିଲେ, ସେତେବେଳେ ଓଡ଼ିଶା ସରକାର ତାଙ୍କୁ ସହଯୋଗର ହାତ ବଢ଼ାଇ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିବାର ବନ୍ଦୋବସ୍ତ କରାଇଥିଲେ। ନୀରଜଙ୍କ ସ୍ବର୍ଣ୍ଣ ପଦକ ବ୍ୟତୀତ ମୀରାବାଇ ଚାନୁ ଭାରୋତ୍ତୋଳନରେ ଓ ରବି କୁମାର ଦହିୟା କୁସ୍ତିରେ ରୌପ୍ୟ; ଲଭ୍‌ଲିନା ବୋର୍ଗୋହେଁ ମୁଷ୍ଟିଯୁଦ୍ଧରେ, ପି.ଭି ସିନ୍ଧୁ ବ୍ୟାଡ଼ମିଣ୍ଟନରେ, ବଜରଙ୍ଗ ପୁନିଆ କୁସ୍ତିରେ ଓ ଭାରତୀୟ ପୁରୁଷ ହକି ଦଳ କାଂସ୍ୟ ପଦକ ଜିତିଛନ୍ତି।
ଏଥରର ଅଲିମ୍ପିକ୍ସରୁ ଭାରତର ଅନ୍ୟତମ ସବୁଠୁ ବଡ଼ ଉପଲବ୍ଧି ହକିର ପୁନରୁତ୍‌ଥାନ। ଉଭୟ ପୁରୁଷ ଓ ମହିଳା ହକି ଦଳ ଯେପରି କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି, ତାହା ଦେଶବାସୀଙ୍କ ମନରେ ହକିକୁ ନେଇ ନୂତନ ଆଶା ସଞ୍ଚାର କରିଛି। ମହିଳା ହକି ଦଳ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ ହେଁ କେବଳ ଭାରତୀୟ ନୁହନ୍ତି, ବିଶ୍ବର କ୍ରୀଡ଼ାପ୍ରେମୀଙ୍କ ହୃଦୟ ଜିତିପାରିଛନ୍ତି। ଓଡ଼ିଶାର ଅବଦାନକୁ ଏ କ୍ଷେତ୍ରରେ ଦେଶ ସ୍ମରଣ କରିଛି। ଏଥିରୁ ଶିକ୍ଷା ମଧ୍ୟ ମିଳିଛି ଯେ, ଯେ କୌଣସି କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ଉପଯୁକ୍ତ ପୃଷ୍ଠପୋଷକତା ମିଳିଲେ ଅବଶ୍ୟ ଈପ୍‌ସିତ ସଫଳତା ହାସଲ କରିହେବ। ଆମ ପାଇଁ ଗର୍ବର କଥା ଯେ ଓଡ଼ିଶାର ଦୁଇ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ କାଂସ୍ୟପଦକ ବିଜେତା ହୋଇଛନ୍ତି। ଭବିଷ୍ୟତରେ ଭାରତୀୟ ହକି ତା’ର ସ୍ବର୍ଣ୍ଣିମ ଇତିହାସକୁ ପୁଣି ଦୋହରାଇବ ବୋଲି ଆଶା କରାଯାଇପାରେ।
ଏସବୁ ସଫଳତା ସତ୍ତ୍ବେ ଅଲିମ୍ପିକ୍ସରେ ଭାରତର ସାମଗ୍ରିକ ପ୍ରଦର୍ଶନ ଯେ ଆଦୌ ସନ୍ତୋଷଜନକ ନୁହେଁ, ତାହା ଆମକୁ ସ୍ବୀକାର କରିବାକୁ ପଡ଼ିବ। ବିଶ୍ବର ଦ୍ବିତୀୟ ଜନବହୁଳ ଦେଶ ଅଲିମ୍ପିକ୍୍‌ ପଦକ ତାଲିକାରେ ୪୮ତମ ସ୍ଥାନରେ ରହିବା ସଫଳତା ଅପେକ୍ଷା ବିଫଳତାକୁ ହିଁ ଅଧିକ ଅଙ୍ଗୁଳି ନିର୍ଦେଶ କରୁଛି। ଅଲିମ୍ପିକ୍ସରେ ଆମର ମୋଟ ପଦକ (୩୫) ଯେତିକି, ତା’ଠୁ ଅଧିକ ସ୍ବର୍ଣ୍ଣପଦକ (୩୯) ଜିଣିଛି ଯୁକ୍ତରାଷ୍ଟ୍ର ଆମେରିକା କେବଳ ଟୋକିଓରେ। ଏଥର ଆମେରିକା ମୋଟ ୧୧୩ଟି ପଦକ ଜିଣି ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ଚୀନ ୮୮, ଜାପାନ ୫୮ (୨୭ ସ୍ବର୍ଣ୍ଣପଦକ) ଓ ଗ୍ରେଟ୍‌ ବ୍ରିଟେନ ୬୫ଟି ପଦକ ସହ ଯଥାକ୍ରମେ ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏଥିରୁ ଅଲିମ୍ପିକ୍ସରେ ଆମର ଦକ୍ଷତାକୁ ମଧ୍ୟ ଆମେ ମାପିପାରିବା। ଅଲିମ୍ପିକ୍ସରେ ଚୀନର ସଫଳତା ଅନ୍ୟମାନଙ୍କ ପାଇଁ ଈର୍ଷଣୀୟ ହୋଇଥାଏ; କାରଣ କେବଳ ୧୯୮୪ ମସିହାରୁ ହିଁ ଏହା ଅଲିମ୍ପିକ୍ସରେ ନିୟମିତ କ୍ରୀଡ଼ାବିତ୍‌ଙ୍କୁ ପଠାଇବା ଆରମ୍ଭ କରିଥିଲା। ଅଳ୍ପ ବୟସରୁ ପିଲାଙ୍କୁ କଠୋର ତାଲିମ ଦେବା ଏହାର କାରଣ ବୋଲି ଅନେକ କହିବା ସହ ଏହାକୁ ନକାରାତ୍ମକ ଦୃଷ୍ଟିରେ ଦେଖିଥାନ୍ତି। ତେବେ ଚୀନର କ୍ରୀଡ଼ା ସଫଳତା ପଛରେ ଏହା ଏକମାତ୍ର କାରଣ ନୁହେଁ ନିଶ୍ଚୟ। ଅନ୍ୟ ଦେଶଗୁଡ଼ିକୁ ଦେଖିଲେ ଜଣାପଡ଼େ ଯେ ସେଠାରେ କ୍ରୀଡ଼ା ଭିତ୍ତିଭୂମି, ତୃଣମୂଳ ସ୍ତରରେ କ୍ରୀଡ଼ାନୁଷ୍ଠାନକୁ ପ୍ରୋତ୍ସାହନ, ଉନ୍ନତ ତାଲିମ ବ୍ୟବସ୍ଥା, ସର୍ବୋପରି ରାଜନୈତିକ ଇଚ୍ଛାଶକ୍ତି ରହିଛି। ଆମର ଏଇଠି ସବୁ କ୍ରୀଡ଼ା ସଂସ୍ଥାଗୁଡ଼ିକର ମୁଖ୍ୟ ପଦ କ୍ରୀଡ଼ାବିତ୍‌ଙ୍କ ବଦଳରେ ରାଜନେତା ହିଁ ଯୁଗଯୁଗ ଧରି ମାଡ଼ିବସିଛନ୍ତି, ଯେଉଁମାନେ ଖେଳର ଧାର୍‌ ଧାରନ୍ତି ନାହିଁ। ଏପରି ସ୍ଥିତିରେ ଅଧିକ ଅଲିମ୍ପିକ୍‌ ପଦକ ଆଶା କରିବା କେମିତି? ନେତୃତ୍ବ ଯଦି ପ୍ରକୃତରେ କ୍ରୀଡ଼ାର ବିକାଶ ଚାହୁଁଥାନ୍ତି, ତେବେ ବିଜୟୀ ଖେଳାଳିଙ୍କୁ କେବଳ ପୁରସ୍କୃତ କଲେ ହେବନାହିଁ, ବରଂ ଦେଶରେ ଏକ କ୍ରୀଡ଼ା ସଂସ୍କୃତିର ବିକାଶ ଦିଗରେ ଆନ୍ତରିକ ଉଦ୍ୟମ କରିବାକୁ ହେବ। ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ପ୍ରତୀକ୍ଷା ଆରମ୍ଭ ହୋଇଗଲାଣି। ଏବେଠାରୁ ଆମକୁ ସେଥିପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ; କାରଣ ଏଥର ଚାରିବର୍ଷ ନୁହେଁ, ମାତ୍ର ତିନିବର୍ଷ ବାକି।

kalyan agarbati

Comments are closed.