ଅଗଷ୍ଟ ନଅ ଆନ୍ଦୋଳନ ଗାନ୍ଧିଜୀଙ୍କ ଅସଲ ପରିଚୟ ଓ ଆମ ସମ୍ବିଧାନ ତା’ର ପ୍ରତିବିମ୍ବ। ଆମେ ତାକୁ ଆନ୍ତରିକତାର ସହ ଲାଗୁ ନ କରିଥିବାରୁ ଆମ ଲକ୍ଷ୍ୟ ଘୁଞ୍ଚିଯାଇଛି
ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଜାଣିବା, ଚିହ୍ନିବା ପୁଣି ବୁଝିବା ବାସ୍ତବିକ କାଠିକର ପାଠ। ତାଙ୍କୁ ଅତିମାନବ ଭାବେ ଦେଶ ଦୁନିଆରେ ଚିତ୍ରଣ କରିଥିବା ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ମଧ୍ୟ ଗାନ୍ଧିଜୀଙ୍କ ପାଇଁ ଉତ୍କୃଷ୍ଟ ଉପାଧି ଖୋଜିବାରେ ବିଫଳ ହୋଇଥିଲେ। ନିଜ ମନୋଭାବକୁ ଯଥାସାଧ୍ୟ ବ୍ୟକ୍ତ କରିବାକୁ କହିଲେ: ଆଗାମୀ ପିଢ଼ି ବିଶ୍ବାସ କରିପାରିବେ ନାହିଁ ଯେ ରକ୍ତ ମାଂସ ଶରୀରରେ ଏଭଳି ଏକ ବିରଳ ବ୍ୟକ୍ତି ଧରାପୃଷ୍ଠରେ ବିଚରଣ କରୁଥିଲା। ଅର୍ଥାତ୍ ଗାନ୍ଧିଜୀ ନିଆରା, ଅନନ୍ୟ, ଅନୁପମ। ବିଶ୍ବକବି ରବୀନ୍ଦ୍ରନାଥ ବ୍ରିଟିଶ ସରକାରଙ୍କ ଶ୍ରଦ୍ଧାଭାଜନ ଥିଲେ। ଗାନ୍ଧିଜୀଙ୍କ ବ୍ରିଟିଶ ବିରୋଧୀ ମନୋଭାବକୁ ମାପିବାର ଧୃଷ୍ଟତା ନକରି ସେ ତାଙ୍କ ଭାରତୀୟତାରେ ମନ୍ତ୍ରମୁଗ୍ଧ ହୋଇ ଗାନ୍ଧିଜୀଙ୍କୁ ମହାତ୍ମା ବୋଲି ଆଖ୍ୟାୟିତ କରିଥିଲେ।
ହିଂସା ଓ ଅହିଂସାର ବିତର୍କରେ ଶକ୍ତି ଅପଚୟ ନକରି ବ୍ରିଟିଶ ସାମ୍ରାଜ୍ୟବାଦରୁ ଭାରତକୁ ମୁକ୍ତ କରିବା ଥିଲା ନେତାଜୀ ସୁଭାଷ ବୋଷଙ୍କ ଲକ୍ଷ୍ୟ। ସେଥିପାଇଁ ଅଭିମାନ କରି ସେ ଦେଶ ଛାଡ଼ି ବିଦେଶରେ ସାଥୀ ଖୋଜିଲେ। ଦେଶାନ୍ତରୀ ହୋଇ ବ୍ରିଟିଶ ବିରୋଧୀ ରାଷ୍ଟ୍ରଗୁଡ଼ିକର ସହଯୋଗ ଲୋଡ଼ିଲେ ଓ ପାଇଲେ ମଧ୍ୟ। ସେତେବେଳକୁ କିନ୍ତୁ ଗାନ୍ଧିଜୀ ଭାରତର ଅଗଣିତ ଅଶିକ୍ଷିତ ମଳିମୁଣ୍ଡିଆଙ୍କ ଆତ୍ମବଳ ଉପରେ ଭରସା ରଖି ୧୯୪୨ ଅଗଷ୍ଟ ନଅ ତାରିଖରେ ଡାକରା ଦେଇସାରିଲେଣି ବ୍ରିଟିଶ ଭାରତ ଛାଡ଼ ଓ ଦେଶବାସୀଙ୍କୁ ଆହ୍ବାନ ଦେଲେ ସ୍ବାଧୀନ ହେବା ପାଇଁ କିଛି କର ବା ମର। ବିସ୍ମିତ, ଅଭିଭୂତ ଗାନ୍ଧୀଶ୍ରଦ୍ଧାରେ ଆତ୍ମବିଭୋର ସୁଭାଷ ଆଜାଦ ହିନ୍ଦ୍ ସରକାର ଗଢ଼ି (୨୧ ଅକ୍ଟୋବର ୧୯୪୩) ଅଖଣ୍ଡ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦେଶବାସୀଙ୍କୁ ବାର୍ତ୍ତା ଦେବାବେଳେ ଗାନ୍ଧିଜୀଙ୍କୁ ସମ୍ବୋଧନ କଲେ ଜାତିର ଜନକ। ସେ ସରକାରଙ୍କୁ ପୃଥିବୀର ଜାପାନ, ଜର୍ମାନୀ, ଚୀନ, ବର୍ମା ଓ ଇଟାଲୀ ଭଳି ରାଷ୍ଟ୍ର ସ୍ବୀକୃତି ପ୍ରଦାନ କରିଥିଲେ। ନେତାଜୀ ସ୍ବାଧୀନତା ବିନିମୟରେ ଦେଶବାସୀଙ୍କୁ ରକ୍ତ ମାଗିଲେ। ଗାନ୍ଧିଜୀ ଅଗଷ୍ଟ ନଅରେ ମାଗିଲେ ଜୀବନ। ଜେଲରେ କସ୍ତୁରବାଙ୍କ ମତ୍ୟୁରେ ମ୍ରିୟମାଣ ଗାନ୍ଧିଜୀଙ୍କୁ ସାନ୍ତ୍ବନା ଦେବାକୁ ଯାଇ ନେତାଜୀ ଜଣାଇଲେ- ଆପଣଙ୍କ ପତ୍ନୀ ବିୟୋଗ ଭାରତୀୟଙ୍କ ପାଇଁ ମାତୃ ବିୟୋଗ। ଗାନ୍ଧିଜୀ ସୁଭାଷଙ୍କ ଶ୍ରଦ୍ଧା ଓ ଦେଶପ୍ରେମର ପ୍ରତିଦାନରେ କହିଲେ- ସୁଭାଷ ହେଉଛନ୍ତି ଦେଶପ୍ରେମୀଙ୍କ ରାଜକୁମାର (prince of patriots)। ଦେଶ ବିଭାଜନ ବେଳେ ଗାନ୍ଧିଜୀ ସୁଭାଷଙ୍କୁ ଝୁରିଛନ୍ତି। କହିଛନ୍ତି, ମୋ ପୁଅ
ଥିଲେ କସ୍ମିନ୍ କାଳେ ଦେଶ ବିଭାଜିତ ହୋଇ ନଥାନ୍ତା।
କେବଳ ମୁଷ୍ଟିମେୟ ସମାଜବାଦୀ ଅନୁଗାମୀଙ୍କୁ ଛାଡ଼ିଦେଲେ ଗାନ୍ଧିଜୀଙ୍କ ବ୍ୟକ୍ତିଗତ ଘନିଷ୍ଠ ସମସ୍ତେ ଭାବିଛନ୍ତି ଯେ ଅହିଂସାବାଦୀ ଗାନ୍ଧୀ ଯୁଦ୍ଧରେ ଶେଷ ପର୍ଯ୍ୟନ୍ତ ବ୍ରିଟିଶ୍ ସରକାର ବିରୋଧରେ ବାସ୍ତବ ସଂଗ୍ରାମ କରିବେ ନାହିଁ। ତାଙ୍କୁ ନିବିଡ଼ଭାବେ ଜାଣିଛନ୍ତି, ଚିହ୍ନିଛନ୍ତି ଓ ବୁଝିଛନ୍ତି ବୋଲି ଦାବି କରୁଥିବା ଅଧିକାଂଶ ଅନ୍ତରଙ୍ଗ ଅନୁଗାମୀ ଆଶା କରିନଥିଲେ ଯେ ଅସ୍ତିତ୍ବର ଲଢ଼େଇ ଲଢ଼ୁଥିବା ଯୁଦ୍ଧରତ ବ୍ରିିଟିଶ ବିରୋଧରେ ଗାନ୍ଧିଜୀ ଚରମ ପଦକ୍ଷେପ ନେବେ ଓ ରକ୍ତମୁଖା ବ୍ରିଟିଶ ସରକାରଙ୍କୁ ତାଙ୍କ ଉପରକୁ ଝାମ୍ପି ପଡ଼ିବା ପାଇଁ ଆହ୍ବାନ ଦେବେ।
୧୯୪୨ ଅଗଷ୍ଟ ନଅ ଥିଲା ଗାନ୍ଧିଜୀଙ୍କ ବହୁଦିନର ତପସ୍ୟା ଓ ପ୍ରସ୍ତୁତିର ଅନ୍ତିମ ପରିଣାମ ଓ ଚୂଡ଼ାନ୍ତ ଘୋଷଣା। ପୂର୍ବଦିନ ଅର୍ଥାତ୍ ୧୯୪୨ ଅଗଷ୍ଟ ଆଠ ତାରିଖରେ ବମ୍ବେଠାରେ କଂଗ୍ରେସ ମହାଧିବେଶନରେ ସେ କଥା ସ୍ବୀକାର କରିବାକୁ ଯାଇ ସେ କହିଛନ୍ତି- ‘ଦୀର୍ଘ ବାଇଶ ବର୍ଷ ଧରି ମୁଁ ମୋର କଥା ଓ କଲମକୁ ସଂଯତ କରି ରଖିଛି। ଯିଏ ନିଜର ଶକ୍ତି ଅଯଥାରେ କ୍ଷୟ କରେନା, ସିଏ ହିଁ ଅସଲ ବ୍ରହ୍ମଚାରୀ। ମୁଁ ତେଣୁ ସେତେବେଳେ ଭାବେ ଶକ୍ତି ସଞ୍ଚୟ କରି ରଖିଥିଲି। ଆଜି ମୁଁ ମୋର ହୃଦୟ ଖୋଲି ଦେଉଛି।’
ନେତାଜୀ ଓ ନେହେରୁ ମିଶି ୧୯୨୯ରେ କଂଗ୍ରେସର ଲାହୋର ଅଧିବେଶନରେ ‘ପୂର୍ଣ୍ଣ ସ୍ବରାଜ୍ୟ’ ପ୍ରସ୍ତାବ ଗୃହୀତ କରାଇଲେ। ୧୯୩୦ ଜାନୁଆରୀ ୨୬ ତାରିଖକୁ ଅଖଣ୍ଡ ଭାରତର ସ୍ବରାଜ୍ୟ ଦିବସ (ସ୍ବାଧୀନତା ଦିବସ) ଭାବେ ଗାନ୍ଧିଜୀଙ୍କ ପରାମର୍ଶରେ ଘୋଷଣା କରାଗଲା। ପ୍ରସ୍ତାବକୁ ସମ୍ମାନ ଦେଇ, ଅନ୍ତତଃ ଲୁଣ ଭଳି ପ୍ରାକୃତିକ ଜିନିଷକୁ ବିନା କଟକଣାରେ ଜନସାଧାରଣ ବ୍ୟବହାର କରିବା ଅଧିକାର ଦାବିରେ ଗାନ୍ଧିଜୀ ‘ଲବଣ ସତ୍ୟାଗ୍ରହ’ କଲେ ଓ ବିପୁଳ ଜନସମର୍ଥନ ପାଇ ସଫଳକାମ ହେଲେ। ୧୯୩୫ ମସିହାରେ ଆଇନକରି ବ୍ରିଟିଶ ସରକାର ଭାରତୀୟମାନଙ୍କୁ ଭାରତ ଶାସନର ଅଂଶୀଦାର କଲେ। ୧୯୩୭ ମସିହାରେ ବିଭିନ୍ନ ରାଜ୍ୟରେ ନିର୍ବାଚନ ହେଲା। ୧୯୩୯ ମସିହାରେ ଦ୍ବିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହେଲା, ନିର୍ବାଚିତ ପ୍ରାଦେଶିକ ସରକାରଙ୍କୁ ନ ପଚାରି ବ୍ରିଟିଶରାଜ ଭାରତକୁ ଅଯଥାରେ ନିଜ ସ୍ବାର୍ଥ ପାଇଁ ଯୁଦ୍ଧର ଘନଘଟା ଭିତରକୁ ଠେଲି ଦେବା ଗାନ୍ଧିଜୀ ପସନ୍ଦ କଲେ ନାହିଁ। ଏହା ପୂର୍ଣ୍ଣ ସ୍ବରାଜ୍ୟ ପ୍ରସ୍ତାବର ପରିପନ୍ଥୀ ହୋଇଥିବାରୁ ତାଙ୍କ ପରାମର୍ଶରେ କଂଗ୍ରେସ ମନ୍ତ୍ରିମଣ୍ଡଳ ସବୁ ଇସ୍ତଫା ଦେଲେ।
ଚର୍ଚ୍ଚିଲ ଭାରତର ସ୍ବାଧୀନତା ଚାହୁଁ ନଥିଲେ। ଯୁଦ୍ଧ ସମୟରେ ତ ଆଦୌ ନୁହେଁ। ଭାରତ ବ୍ରିଟିଶ ସରକାର ପାଇଁ ଏକ ଦୁହାଁଳିଆ ଗାଈ ଥିଲା। ଜନ ଓ ଧନ ବଳ ସେ ବିପୁଳ ପରିମାଣରେ ଭାରତରୁ ପାଉଥିଲେ। ଚର୍ଚ୍ଚିଲ୍ ତର୍କ କରୁଥିଲେ ଭାରତ କେବେ ଏକ ଦେଶ ନଥିଲା। ବ୍ରିଟିଶ ଶାସନ ଯୋଗୁଁ ଭାରତ ଏତେବଡ଼ ଭୂଖଣ୍ଡର ମାନ୍ୟତା ପାଇଛି। ଗାନ୍ଧିଜୀଙ୍କର ଉତ୍ତର ହେଲା- ଭାରତ ଗଭୀର ଭାବେ ସବୁବେଳେ ଏକ ଥିଲା। ବେଳେବେଳେ ଅଙ୍ଗମାନଙ୍କ ଭିତରେ ସମନ୍ବୟ ରହୁନଥିଲା; କିନ୍ତୁ ସବୁ ଅଙ୍ଗ ଜୀବନ୍ତ ଥିଲେ। ଏବେ ଶରୀର ବିଶାଳ ହେଲେ ବି ଶବ। ଏହି ବିଶାଳ ଶରୀରକୁ ଜୀବନ୍ତ କରି ଋଦ୍ଧିମନ୍ତ କରିବାର ଉଦ୍ୟମ ବ୍ରିଟିଶ ସରକାରର କେବେ ବି ନଥିଲା। ପାରା ବେପାର କରିବାକୁ ଇଷ୍ଟଇଣ୍ଡିଆ କମ୍ପାନୀ ଆସିଥିଲା। ସେ ଭାରତୀୟଙ୍କୁ ଦମନ କରି ବେପାର ଚଳାଇବାରେ ବିଫଳ ହେବାରୁ ୧୦୦ବର୍ଷ ପରେ ୧୮୫୮ ମସିହାରେ ବ୍ରିଟିଶ କମ୍ପାନୀ ହାତରୁ ଶାସନ ଛଡ଼ାଇ ଖୋଦ୍ ବ୍ରିଟିଶ ସରକାର ନିଜ ହାତକୁ ନେଲେ। ଶୋଷଣ ଅବ୍ୟାହତ ରହିଲା। ତାକୁ ନିଃସ୍ବ ଓ ଦୁର୍ଭିକ୍ଷ ପ୍ରପୀଡ଼ିତ କଲେ। (୧୮୬୬ ନଅଙ୍କ ଦୁର୍ଭିକ୍ଷ ଏକ ନିର୍ଲଜ ଉଦାହରଣ।) ତେଣୁ ଆର୍ଥିକ, ସାମାଜିକ ଓ ରାଜନୈତିକ ସବୁ ଦୃଷ୍ଟିରୁ ବ୍ରିଟିଶ ସରକାର ଅବିଳମ୍ବେ ଭାରତ ଛାଡ଼ି ଚାଲିଯିବା ଓ ଯୁଦ୍ଧରେ ନିଜ ଦେଶକୁ ରକ୍ଷା କରିବା ଉଭୟ ଭାରତ ଓ ଇଂଲଣ୍ଡ ପାଇଁ ମଙ୍ଗଳକର ବୋଲି ଗାନ୍ଧିଜୀ ଦୃଢ଼ମତ ରଖିଥିଲେ। ବ୍ରିଟିଶ ସରକାର ଓ ତା’ର ସ୍ତାବକମାନେ ଚାହୁଁନଥିଲେ ଯେ ଯୁଦ୍ଧବେଳେ ସୁନାଅଣ୍ଡା ଦେଉଥିବା ଚଢ଼େଇର ପିଞ୍ଜରା ଖୋଲାଯାଉ। ଖୋଦ୍ ଗାନ୍ଧିଜୀଙ୍କର ପଟ୍ଟଶିଷ୍ୟଙ୍କ ମଧ୍ୟରୁ ଅନେକ ଗାନ୍ଧିଜୀଙ୍କ ସିଦ୍ଧାନ୍ତ ଓ ଦୂରଦୃଷ୍ଟି ସମ୍ପର୍କରେ ସନ୍ଦିହାନ ଥିଲେ। ଗାନ୍ଧିଜୀଙ୍କ ଦୃଷ୍ଟିଭଙ୍ଗୀର ସବୁଠୁ ଉତ୍ସାହୀ ସମର୍ଥକ ଥିଲେ ଜୟପ୍ରକାଶ ଓ ଲୋହିଆଙ୍କ ଭଳି ଯୁବ ସମାଜବାଦୀ। ୧୯୪୨ ବେଳକୁ ଭାରତର ଜନଗଣ ଗାନ୍ଧିଜୀଙ୍କ ଉପରେ ଅତୁଟ ବିଶ୍ବାସ ରଖିସାରିଥିଲେ ଓ ଗାନ୍ଧୀ କେବେ ଦେଶକୁ ଭୁଲ୍ ବାଟରେ ନେବେ ନାହିଁ ବୋଲି ଦୃଢ଼ ଆସ୍ଥା ବାନ୍ଧିଥିଲେ। ୧୯୪୭ ମସିହା ଅଗଷ୍ଟ ୭ ତାରିଖ ଥିଲା ନିର୍ଣ୍ଣୟର ଦିନ। ସେ ଦିନ ବମ୍ବେଠାରେ ବିଶାଳ କଂଗ୍ରେସ ଅଧିବେଶନ ବସିଲା। ସେ ଅଧିବେଶନରେ ଗାନ୍ଧିଜୀଙ୍କ ଉଦ୍ବୋଧନ କର୍ମୀଙ୍କୁ ଓ କର୍ମୀଙ୍କ ମାଧ୍ୟମରେ ଦେଶକୁ ଥରାଇଦେଲା। ଜାତି, ଧର୍ମ, ଗୋଷ୍ଠୀ, ସମ୍ପ୍ରଦାୟ, ନର, ନାରୀ ନିର୍ବିଶେଷରେ ଅଖଣ୍ଡ ଭାରତର ଆବାଳବୃଦ୍ଧବନିତାଙ୍କୁ ପିତାର ଆହ୍ବାନଦେଇ ବାପୁ କହିଲେ ଏହି ମୁହୂର୍ତ୍ତରେ ନିଜକୁ ବ୍ରିଟିଶ ଶାସନର ଦାସତ୍ବରୁ ମୁକ୍ତ କର। ପ୍ରତ୍ୟେକ ବ୍ୟକ୍ତି ନିଜକୁ ସ୍ବାଧୀନ ମଣୁ। ସ୍ବାଧୀନତା ପାଇବା ପାଇଁ ଯାହା କରଣୀୟ କର ଓ ନ ପାରିଲେ ସେଇ ଉଦ୍ୟମରେ ମରଣକୁ ହସିହସି ବରଣ କର। ପ୍ରଥମଥର ପାଇଁ ଗାନ୍ଧୀଙ୍କ ଅହିଂସାର ରୂପ ଦେଶ ଓ ଦୁନିଆ ଦେଖିଲା। ଯେଉଁମାନେ ଅହିଂସାକୁ କାପୁରୁଷତାର କମନୀୟ କମ୍ବଳ ଭାବି ଘୋଡ଼ାଇ ହେଉଥିଲେ ସେମାନେ ଅପ୍ରସ୍ତୁତ ହୋଇଗଲେ। ଅନେକ କାରାକଷଣକୁ ମରଣ ଅପେକ୍ଷା ଶ୍ରେୟସ୍କର ମଣିଲେ। କିନ୍ତୁ ଜୟପ୍ରକାଶ, ଲୋହିଆ, ଅରୁଣା ଆସଫ ଅଲ୍ଲୀ ଓ ମାଳତୀ ଚୌଧୁରୀଙ୍କ ଭଳି ଯୁବ କ୍ରାନ୍ତିକାରୀମାନେ ଗାନ୍ଧିଜୀଙ୍କ ଆହ୍ବାନର ମର୍ମ ବୁଝିଗଲେ। ଚରମ ତ୍ୟାଗ କରି ଜନଗଣଙ୍କ ଆଖି ଖୋଲି ତାଙ୍କୁ ଜଗାଅ ଯେମିତିକି ୪୦ କୋଟି ଭାରତୀୟ ନିଜକୁ ସ୍ବାଧୀନ ମଣିବେ ଓ ସ୍ବାଧୀନତାକୁ ବଜାୟ ରଖିବାକୁ ପ୍ରାଣପାତ କରିବାକୁ ଆଗ୍ରହୀ ହେବେ। ତା’ହେଲେ ସାରା ବିଶ୍ବର ସେନା ମିଶିଲେ ମଧ୍ୟ ଭାରତକୁ ପଦାନତ କରିପାରିବେ ନାହିଁ।
କଥାଛଳରେ ଗାନ୍ଧିଜୀ ତାଙ୍କ ଅଭିଭାଷଣରେ କହିଥିଲେ ମୁଁ ଚାହେଁ ଆଜି ରାତିରେ ହିଁ (୧୯୪୨ ଅଗଷ୍ଟ ଆଠ) ସ୍ବାଧୀନତା ମିଳୁ। ରାତି ନ ପାହୁଣୁ ଅଗଷ୍ଟ ନଅ ଭୋର ୫ଟାରେ ଗାନ୍ଧିଜୀଙ୍କୁ ବ୍ରିଟିଶ ପୁଲିସ ଗିରଫ କରି ନିଜ ଅଧୀନକୁ ନେଇଗଲା। ଆମେରିକା ରାଷ୍ଟ୍ରପତି ରୁଜଭେଲଟଙ୍କୁ ନିଜ ଘୋଷଣାର ଗଣତାନ୍ତ୍ରିକ ଚରିତ୍ର ଜଣାଇ ଲେଖୁଥିବା ଚିଠି ଅଧା ରହିଗଲା। ବଡ଼ଲାଟଙ୍କୁ ସମ୍ପର୍କ କରିବା ପାଇଁ ସମୟ ଦିଆଗଲା ନାହିଁ। ପୁଲିସ ଗାଡ଼ିରେ ବସିବା ପୂର୍ବରୁ ବାପୁ ଦେଶବାସୀଙ୍କ ପାଇଁ ସଂକ୍ଷିପ୍ତ ବାର୍ତ୍ତା ଦେଇଗଲେ। ଅହିଂସାର ଚରମସୀମାକୁ ଯିବାକୁ ପ୍ରତ୍ୟେକ ନିଜର ନେତା ଭାବେ ସ୍ବାଧୀନ। ହରତାଳ ଓ ଅନ୍ୟ ଅହିଂସା ଉପାୟରେ ବ୍ୟବସ୍ଥାକୁ ଅଚଳ କରିଦିଅ। ସତ୍ୟାଗ୍ରହୀ ମୃତ୍ୟୁ ମୁଖକୁ ଯାଅ, ବଞ୍ଚିବାକୁ ନୁହେଁ। ସ୍ବାଧୀନତା ପ୍ରେମୀ ମୃତ୍ୟୁ ଲୋଡ଼ି ତା’ର ସମ୍ମୁଖୀନ ହୁଅନ୍ତୁ କାରଣ ଦେଶବାସୀ ଏକାଠି ମରିବାକୁ ପ୍ରସ୍ତୁତ ହେଲେ ହିଁ ଦେଶ ବଞ୍ଚିବ।
ଗାନ୍ଧିଜୀଙ୍କର ଏ ସ୍ପଷ୍ଟ ଚେହେରା ଦେଶବାସୀଙ୍କୁ ଉତ୍ଫୁଲ୍ଲିତ କରିଦେଲା। ସଂଗଠନ ଅଭାବରୁ ସରକାରୀ କଳ ଅଚଳ ହୋଇ ବିକଳ୍ପ ଜନବାଦୀ ବ୍ୟବସ୍ଥା ସଚଳ ହୋଇ ପାରିଲା ନାହିଁ ସତ, କିନ୍ତୁ ସ୍ବାବଲମ୍ବୀ ବ୍ୟକ୍ତି ଓ ଅଞ୍ଚଳ ସ୍ବାଧୀନ ହୋଇଗଲେ। ବ୍ରିଟିଶ ସରକାର ଜାଣିଗଲେ ଯେ ଆଉ ଅସ୍ତ୍ର ବଳରେ ଭାରତକୁ ପ୍ରତ୍ୟକ୍ଷ ଉପନିବେଶ କରି ରଖିବା ସମ୍ଭବ ନୁହେଁ। ପରୋକ୍ଷ ସାମ୍ରାଜ୍ୟ ପାଇଁ ସେ ଭାରତର ବିଭାଜନ କଲେ। ଭାରତ ଆହୁରି ଅଧିକ ଖଣ୍ଡରେ ବିଭକ୍ତ ହେବାର ଷଡ଼ଯନ୍ତ୍ର ହୋଇଥିଲା। ଗାନ୍ଧିଜୀଙ୍କ ଧାରାବାହିକ ଆନ୍ଦୋଳନର ଭିତ୍ତିଭୂମି ଯୋଗୁଁ ତାହା ସଫଳ ହେଲା ନାହିଁ। ତାଙ୍କରି ପ୍ରେରଣାରେ ଭାରତର ସମ୍ବିଧାନ ପ୍ରସ୍ତୁତ ହୋଇଥିବାରୁ ତାହାହିଁ ଭାରତର ସୁନେଲି ଭବିଷ୍ୟତର ନିଶ୍ଚିତତା। ଅଗଷ୍ଟ ନଅ ଆନ୍ଦୋଳନ ଗାନ୍ଧିଜୀଙ୍କ ଅସଲ ପରିଚୟ ଓ ଆମ ସମ୍ବିଧାନ ତା’ର ପ୍ରତିବିମ୍ବ। ଆମେ ତାକୁ ଆନ୍ତରିକତାର ସହ ଲାଗୁ ନ କରିଥିବାରୁ ଆମ ଲକ୍ଷ୍ୟ ଘୁଞ୍ଚିଯାଇଛି।
ଶଶିଭୂଷଣ ବେହେରା
ବିଧାୟକ , କେନ୍ଦ୍ରାପଡ଼ା


