ଆଉ ଫେରିବେନି ‘ଦଣ୍ଡା ବାଳୁଙ୍ଗା’

ଭୁବନେଶ୍ବର : ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଆଉ ନାହାନ୍ତି। ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇ ସେ ଗୁରୁଗାଓଁର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ସେଠାରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୬୭ ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଅଭିନେତ୍ରୀ ପତ୍ନୀ ଅପରାଜିତା, ପୁଅ ଅଭିନେତା ବାବୁଶାନ ଓ ବୋହୂ ତୃପ୍ତି ଉପସ୍ଥିତ ଥିଲେ। ତାଙ୍କ ବିୟୋଗ ଖବର ଓଲିଉଡେର ଶୋକର ଛାୟା ଖେଳାଇ ଦେଇଛି। ଉତ୍ତମଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ୟ୍ୟାଦାର ସହ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଉତ୍ତମ ୧୯୫୮ ମସିହା ଡିସେମ୍ବର ୨୩ରେ ମୟୂରଭଞ୍ଜ ଜିଲାର ବାରିପଦାରେ ଜନ୍ମଗ୍ରହଣ କରିଥିଲେ। ‘କୁନିଆ’ ନାମରେ ସେ ବେଶ୍ ପରିଚିତ ଥିଲେ। ୧୯୭୭ରେ ସାଧୁ ମେହେରଙ୍କ ନିର୍ଦେଶିତ ‘ଅଭିମାନ’ ଚଳଚ୍ଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ ସେ। ତିନି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ଅପ୍ରତିଦ୍ୱନ୍ଦ୍ୱୀ ଚେହେରା ଭାବେ ଉତ୍ତମ ନିଜକୁ ପ୍ରତିଷ୍ଠା କରିଥିଲେ। ଓଲିଉଡର ‘ଦଣ୍ଡା ବାଳୁଙ୍ଗା’ ରୂପେ ସେ ପରିଚିତ ଥିଲେ। ଅସଲରେ ଉତ୍ତମଙ୍କ ଅଭିନୀତ ‘ଦଣ୍ଡା ବାଳୁଙ୍ଗା’ ଚଳଚ୍ଚିତ୍ର ତାଙ୍କୁ ଘରେ ଘରେ ବେଶ୍ ପରିଚିତ କରିଥିଲା। ସେ ୧୩୫ରୁ ଅଧିକ ଓଡ଼ିଆ, ୩୦ଟି ବଙ୍ଗଳା ଓ ହିନ୍ଦୀ ଚଳଚ୍ଚିତ୍ର ‘ନୟା ଜହର’ରେ ଅଭିନୟ କରିଥିଲେ। ଗୋଟିଏ ପରେ ଗୋଟିଏ ସଫଳ ଚଳଚ୍ଚିତ୍ର ଦେଇ ଓଲିଉଡରେ ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଥିଲେ ଉତ୍ତମ। ତାଙ୍କର ନିଖୁଣ ଅଭିନୟ ପାଇଁ ସବୁବେଳେ ସେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିପାରିଥିଲେ। ଶ୍ରେଷ୍ଠ ଅଭିନେତା ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଓଡ଼ିଆ ଫିଲ୍ମଫେୟାର ପୁରସ୍କାର ଏବଂ ଅନେକ ପୁରସ୍କାର ପାଇଥିଲେ। ସାଥୀ ଅଭିନେତ୍ରୀ ଅପରାଜିତାଙ୍କୁ ସେ ବିବାହ କରିଥିବାବେଳେ ଉଭୟଙ୍କ ପୁଅ ବାବୁସାନ ମଧ୍ୟ ଜଣେ ଆଗଧାଡ଼ିର ଅଭିନେତା। ବୋହୂ ତୃପ୍ତି ଚଳଚ୍ଚିତ୍ର ପ୍ରଯୋଜିକା।
‘ରାମାୟଣ’, ‘ଫୁଲଚନ୍ଦନ’, ‘ଝିଅଟି ସୀତା ପରି’, ‘ସହରୀ ବାଘ’, ‘ପୂଜାଫୁଲ’, ‘ସୁହାଗ ସିନ୍ଦୂର’, ‘ଜୋର୍ ଯାର ମୂଲକ ତା’ର’, ‘ଏଇ ଆମ ସଂସାର’, ‘କପାଳ ଲିଖନ’, ‘ସମୟ ବଡ଼ ବଳବାନ’, ‘ଦଣ୍ଡା ବାଳୁଙ୍ଗା’ ଭଳି ଏକାଧିକ ସୁପରହିଟ୍ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା। ୧୯୯୯ରେ ମହାନ୍ତିଙ୍କୁ ଜୟଦେବ ପୁରସ୍କାର ମିଳିଥିଲା। ‘ଫୁଲ ଚନ୍ଦନ’, ‘ଝିଅଟି ସୀତା ପରି’, ‘ଦଣ୍ଡା ବାଳୁଙ୍ଗା’, ‘ସୁନା ଚଢ଼େଇ’ ଚିତ୍ର ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ‘ତୋ ବିନୁ ଅନ୍ୟଗତି ନାହିଁ’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ସହ ଅଭିନେତା ପୁରସ୍କାର ପାଇଥିଲେ। ସେହିପରି ଉଲ୍ଲେଖନୀୟ ଅଭିନୟ ନିମନ୍ତେ ସିନେ କ୍ରିଟିକ୍ ଆସୋସିଏସନ, ଚିତ୍ରପୁରୀ, ବାଣୀଚିତ୍ର, ଚଳଚ୍ଚିତ୍ର ଜଗତ ସମ୍ମାନ ପ୍ରଭୃତି ପାଇଥିଲେ। ତାଙ୍କର ନିଖୁଣ ଏବଂ ମେଳାପି ସ୍ବଭାବ ଯୋଗୁଁ ସେ ଚଳଚ୍ଚିତ୍ର ଜଗତରେ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ। ଅଭିନୟ ସହ ସେ ମଧ୍ୟ ରାଜନୀତିରେ ସାମିଲ ହୋଇଥିଲେ।
Comments are closed.